ନନ୍ଦନକାନନରେ ୬ ମାସର ସିଂହ ଛୁଆର ବାପା ସାଜିଛନ୍ତି ପ୍ରଶାନ୍ତ, ବହୁତ ରୋମାଞ୍ଚକ ତାଙ୍କ କାହାଣୀ

ଭୁବନେଶ୍ୱର (କେନ୍ୟୁଜ୍) : ଜନ୍ମକଲା ମା ପଚାରିଲାନି ହେଲେ କୋଳେଇ ନେଲା ମଣିଷଟିଏ। ଯେମିତି କାହା ପାଇଁ ଅଲୋଡା ତ କାହାର ଜୀବନ। ବର୍ଷା ବୋଲି ଡାକିଲା ମାତ୍ରେ ଯେଊଁଠି ବି ଥାଉ ନା କାହିଁକି ଧାଇଁ ଆସୁଛି। ବସ କହିଲେ ବସୁଛି ଆଉ ପ୍ରଶାନ୍ତଙ୍କ ସହ ଖେଳୁଛି। ପ୍ରଶାନ୍ତ ବି ତାଙ୍କ ନିଜ ପିଲା ପରି ଗେଲ କରୁଛନ୍ତି ଓ ତା ସହ ଖେଳୁଛନ୍ତି। ଆମେ କହୁଚୁ ୬ ମାସର ସିଂହ ଛୁଆ ଓ ତାର ପାଳକ ପ୍ରଶାନ୍ତଙ୍କ କଥା। ହିଂସ୍ର ଜନ୍ତୁ ବି ସ୍ନେହ ପାଇ ମଣିଷ ପ୍ରେମରେ ପଡେ ତାର ବହୁତ ବଡ଼ ଉଦାହରଣ ହେଉଛନ୍ତି ବର୍ଷା ଓ ପ୍ରଶାନ୍ତ।

ସ୍ନେହ ଆଦର ଆଗରେ ନରମି ଯାଇଛି ବନ୍ୟ ପଶୁର ହିଂସ୍ରତା। ମା ଓ ଛୁଆ ଠୁ ବି ବଡ ଉଦାହରଣ ମଣିଷ ଏବଂ ଜଙ୍ଗଲୀ ହିଂସ୍ର ପଶୁର ଏ ସମ୍ପର୍କ। ଅନେକ ବର୍ଷ ତଳେ ଖଇରୀ ବାଘ ଏମିତି ମଣିଷ ପ୍ରେମରେ ପଡ଼ି ଯାଇଥିଲା । ଆଉ ଆଜି ଦେଖିବାକୁ ମିଳିଛି ବର୍ଷା ଠାରେ। ଜନ୍ମ ପରେ ମା’ ନିଜ ମମତାରୁ ବଞ୍ଚିତ ରଖିଥିବା ବେଳେ ନନ୍ଦନକାନନର ପଶୁପାଳକ ପ୍ରଶାନ୍ତ ଗୌଡଙ୍କ ସ୍ନେହ ପାଖରେ ନିଜ ପଶୁ ପ୍ରବଣତାକୁ ବିକି ଦେଇଛି ଏହି ୬ ମାସର ସିଂହ ଶାବକ ବର୍ଷା।

lion childସମ୍ରାଟ ଓ ବିଜଲି ଔରସରୁ ଜନ୍ମ ନେଇଥିଲା ବର୍ଷା। ତେବେ କୌଣସି କାରଣରୁ ମା ସିଂହୀ ନିଜ ଛୁଆ ବର୍ଷାକୁ ପାଖରେ ପୂରାଇଲା ନାହିଁ । ଏତିକି ବେଳେ ସିଂହ ଛୁଆଟିକୁ ଆଦରି ନେଇଥିଲେ ପଶୁ ପାଳକ ପ୍ରଶାନ୍ତ। ତାର ଲାଳନ ପାଳନ କଲେ ଅତି ଆଦରରେ। ସିଂହୀ ବିଜଲୀର ହୋଇଥିଲା ୩ଟି ଛୁଆ। ଗୋଟିଏ ମଲା ଛୁଆ ଜନ୍ମ ହୋଇଥିବା ବେଳେ ଆଉଗୋଟେ ଜନ୍ମପରେ ମରି ଯାଇଥିଲା। ଆଉ ଗୋଟେ ଛୁଆ ବିଜଲୀ ପାଇଁ ଅଲୋଡା ହୋଇଯାଇଥିଲା। ମା ସ୍ନେହରୁ ବଞ୍ଚିତ ସିଂହୀ ଛୁଆକୁ ଆଦର କରି ଯତ୍ନ ନବାରେ ହେଳା କରିନଥିଲେ ନନ୍ଦନକାନନ କର୍ତ୍ତୃପକ୍ଷ।

ଏଇ ଛଅ ମାସର ସମ୍ପର୍କରେ ଏମିତି ନିବିଡ଼ତା ଆସି ଯାଇଛି ଯେ ଲାଗୁଛି ଯେମିତି ଜନ୍ମ ଜନ୍ମର ସମ୍ପର୍କ । ନିଜ ଜନ୍ମ କଲା ସନ୍ତାନ ପରି ସିଂହ ଛୁଆଟିର ଗାଧୁଆ ଠାରୁ ଆରମ୍ଭ କରି ଖୁଆଇ ପିଆଇ ଦେଉଛନ୍ତି ପ୍ରଶାନ୍ତ । ସବୁ ଯତ୍ନ ନେଉଛନ୍ତି । ତେବେ ବର୍ଷା ଆଉ ରହିବନି ପ୍ରଶାନ୍ତଙ୍କ ପାଖରେ । ଛଅ ମାସର ହୋଇ ଯାଇଥିବାରୁ ଦିନ କେଇଟା ପରେ ସେ ଖୁଆଡକୁ ଚାଲିଯିବ । ପ୍ରଶାନ୍ତଙ୍କ ସ୍ନେହରେ ବନ୍ଧା ପଡିଥିବା ଏହି ସିଂହ ଛୁଆ ଆଗକୁ ନିଜ ବଳରେ ନିଜେ ବଞ୍ଚିବାର ରାହା ଖୋଜିବ ।

ରିପୋର୍ଟ : ସୁଜାତା ମହାପାତ୍ର