ଜାନୁଆରୀ ୧୨ ଓ ୧୩ ରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣି

ଭୁବନେଶ୍ୱର (କେନ୍ୟୁଜ) : ଜାନୁଆରୀ ୧୨ ଓ ୧୩ତାରିଖରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । କୁଆପଥର ସହ ପ୍ରବଳବର୍ଷା ପାଇଁ ଜାରି ହୋଇଛି ଚେତାବନୀ। ୧୨ ତାରିଖରେ ୭ଟି ଓ ୧୩ ତାରିଖରେ ୯ଟି ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ। ଦେଶର ଉତ୍ତର ଭାଗରେ ସକ୍ରିୟ ପଶ୍ଚିମା ଝଡ଼ ପ୍ରଭାବରେ ଉତ୍ତର ଦିଗରୁ ପବନ ଓ ବଙ୍ଗୋପସାଗରରୁ ରାଜ୍ୟ ମଧ୍ୟକୁ ଉଷ୍ଣ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବାହିତ ହେଉଛି।
ଏହାର ପ୍ରଭାବରେ ୧୧ତାରିଖରୁ ରାଜ୍ୟରେ ବର୍ଷାର ସମ୍ଭାବନା ରହିଛି। ୧୪ ଯାଏ ବର୍ଷା ଲାଗି ରହିବ। ଆସନ୍ତାକାଲି ଠାରୁ ବର୍ଷାର ପରିମାଣ ବୃଦ୍ଧି ପାଇବ। ୧୨ ଓ ୧୩ତାରିଖରେ ବର୍ଷାର ପରିମାଣ ସର୍ବାଧିକ ରହିବ। ୧୧ତାରିଖରେ କୁଆପଥର ସହ ବର୍ଷା ପାଇଁ ୭ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ପ୍ରବଳ ବର୍ଷା ପାଇଁ ୧୨ତାରିଖରେ ୭ଟି ଜିଲ୍ଲା କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, କଟକ ଓ ନୟାଗଡ଼କୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ପ୍ରବଳ ବର୍ଷା ପାଇଁ ୧୩ ତାରିଖରେ ୯ଟି ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ। ଆଗାମୀ ୨ଦିନ ମଧ୍ୟରେ ରାତିର ତାପମାତ୍ରାରେ ୨ରୁ ୩ଡିଗ୍ରୀ ସେଲସିୟସ ଯାଏ ତାପମାତ୍ରା ବଢିବାର ସମ୍ଭାବନା ରହିଛି।
ସେପଟେ ଗତ ୨୪ ଘଣ୍ଟାରେ ଦକ୍ଷିଣ ଓ଼ଡିଶା ଉପକୂଳରେ ରାତି ତାପମାତ୍ରା ସାମାନ୍ୟ ତଳକୁ ଖସିଥିବା ବେଳେ ଅବଶିଷ୍ଟ ଓଡ଼ିଶାରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହୋଇନାହିଁ। ଉପକୂଳ ଓଡ଼ିଶାରେ ସ୍ୱାଭାବିକ ତାପମାତ୍ରା ଓ ରାତି ତାପମାତ୍ରା ମଧ୍ୟରେ ୦.୪ରୁ ୨ଡିଗ୍ରୀ ସେଲସିୟସ ବ୍ୟବଧାନ ରହିଥିବା ବେଳେ ଆଭ୍ୟନ୍ତରୀଣ ଓଡ଼ିଶାରେ ୨ରୁ ୪ଡିଗ୍ରୀ ଅଧିକ ରହିଛି। ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପରେ ସୃଷ୍ଟ ଗୁରୁଚାପ ବଳୟ ପ୍ରଭାବରେ ରାଜ୍ୟର କିଛି ଅଞ୍ଚଳରେ ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡ଼ିର ସମ୍ଭାବନା ରହିଛି।