ଭୁବନେଶ୍ୱର : ବସ୍ତି କମିଟି ସଦସ୍ୟଙ୍କୁ ଦୁର୍ବୃତ୍ତଙ୍କ ମରଣାନ୍ତକ ଆକ୍ରମଣ

ଭୁବନେଶ୍ୱର (କେନ୍ୟୁଜ୍) : ରାଜଧାନୀ ଭୁବନେଶ୍ୱର ପ୍ରତିଦିନ କିଛି ନା କିଛି ଅପରାଧିକ ଘଟଣା ଘଟୁଛି । ଗତକାଲି ସେହିଭଳି ଏକ ଘଟଣା ସହିଦ ନଗର ଥାନା ଅନ୍ତର୍ଗତ ଆଇନସ୍କ ନିକଟରେ ଘଟିଛି। ଅଭିଯୋଗ କାରୀଙ୍କ କହିବା ଅନୁଯାୟୀ ଗତ କାଲି ସନ୍ଧ୍ୟା ପ୍ରାୟ ୬.୩୦ମିନିଟ୍ ପାଖା ପାଖି ଶାନ୍ତିପଲ୍ଲୀ ବସ୍ତିର କିଛି ଅସାମାଜିକ ବ୍ୟକ୍ତି ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ।
ସେମାନେ ଖଣ୍ଡା, ଲୁହାରଡ୍ ଓ ପାଇପରେ ଆକ୍ରମଣ କରି ତୁରନ୍ତ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲେ। ଏ ନେଇ ସହିଦ ନଗର ଥାନାରେ ଏତଲା ଦିଆଯାଇଛି।ଏତଲା କାରୀଙ୍କ ନାଁ ଶନିଆ ବିଶ୍ଵାଳ । ସେ ଶାନ୍ତି ପଲ୍ଲୀ ବସ୍ତିର ବାସିନ୍ଦା ଏବଂ ଅଟୋ ରିକ୍ସା ଚଳାଇ ପରିବାର ପୋଷେ। ସେ ପୁଣି ଶାନ୍ତି ପଲ୍ଲୀ ବସ୍ତି ବାସିନ୍ଦା କମିଟିର ଜଣେ ସଦସ୍ୟ । ଶନିଆଙ୍କ ମୁଣ୍ଡରେ ଆଘାତ ଲାଗିଛି । ଏହା ସହିତ ସେମାନେ ଶନିଆଙ୍କ ଅଟୋକୁ ମଧ୍ୟ ଭାଙ୍ଗି ଦେଇଛନ୍ତି ।
ତେବେ ସେହି ବସ୍ତିରେ କିଛି ଅସାମାଜିକ ଯୁବକ ବ୍ରାଉନ୍ ସୁଗାର, ମଦ ଓ ଅନ୍ୟାନ୍ୟ ନିଶା କାରବାର କରୁଥିବାରୁ, କମିଟି ପକ୍ଷରୁ ବିରୋଧ ହୋଇଥିଲା। ଅଭିଯୋଗ ପାଇବା ପରେ ପୋଲିସ ମଧ୍ୟ ସେମାନଙ୍କୁ ତାଗିଦ୍ କରିଥିଲା। ଏହି ଘଟଣାକୁ କେନ୍ଦ୍ର କରି ଶନିଆ ଉପରେ ଆକ୍ରମଣ ହୋଇ ଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏତଲାକୁ ଆଧାର କରି ପୋଲିସ ବିଭିନ୍ନ ଦଫାରେ ମାମଲା ରୁଜୁ କରିବା ସହ ଦୁଇଟି ଗାଡ଼ି ଜବତ କରି ଥାନାକୁ ଆଣିଛନ୍ତି। ଆକ୍ରମଣକାରୀମାନେ ଫେରାର ହୋଇ ଯାଇଛନ୍ତି ।