ଯାଜପୁର: ଧର୍ମଶାଳା ମେଡିକାଲ ପରିଦର୍ଶନ କଲେ ଜିଲ୍ଲାପାଳ, ଡାକ୍ତର ଅଭାବ ଓ ଆନୁସଙ୍ଗିକ ଅସୁବିଧାର କଲେ ତଦନ୍ତ

ଯାଜପୁର (କେନ୍ୟୁଜ):   ଯାଜପୁର ଜିଲ୍ଲା ଧର୍ମଶାଳା ମେଡିକାଲ ପରିଦର୍ଶନ କଲେ ଜିଲ୍ଲାପାଳ । ମେଡିକାଲରେ ଲାଗି ରହିଥିବା ଡାକ୍ତର ସମସ୍ୟା ଓ ଆନୁସଙ୍ଗିକ ଅସୁବିଧାର ସରଜମିନ ତଦନ୍ତ କରିଛନ୍ତି ଜିଲ୍ଲାପାଳ ରଂଜନ କୁମାର ଦାସ । ପ୍ରଥମେ ଜିଲ୍ଲାପାଳ ମେଡିକାଲରେ ପହଂଚି ରୋଗୀମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିବା ସହ ଡାକ୍ତରଖାନା ପରିସର ବୁଲି ଦେଖିଥିଲେ । ଜିଲ୍ଲାପାଳଙ୍କ ଗସ୍ତ ସମୟରେ ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ଉପସ୍ଥିତ ରହି ଆଲୋଚନା କରିଥିଲେ ।

ଡାକ୍ତରଖାନାର ଭିତିଭୂମି ରହିଥିଲେ ସୁଦ୍ଧା ଏଠାରେ ନିର୍ମିତ ଏମ୍‌ସିଏଚ୍ ବିଲଡିଂ ପୂର୍ଣ୍ଣାଙ୍ଗ ଭାବେ କାର୍ଯ୍ୟକ୍ଷମ ହୋଇପାରିନାହିଁ । ଡାକ୍ତରଖାନାରେ ୩ଜଣ ଡାକ୍ତର ରହିଥିବା ବେଳେ ୨ଜଣ ଡାକ୍ତର ପରିଦର୍ଶନରେ ଆସି ରୋଗୀଙ୍କ ଚିକିତ୍ସା କରୁଛନ୍ତି । ଏଠାରେ ଶିଶୁ ଏବଂ ସ୍ତ୍ରୀ ଓ ପ୍ରସୂତୀ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଡାକ୍ତର ନାହାନ୍ତି । ଫଳରେ ଏହି ଡାକ୍ତରଖାନା ଉପରେ ନିର୍ଭର କରୁଥିବା ହଜାର ହଜାର ରୋଗୀ ଉପଯୁକ୍ତ ଚିକିତ୍ସା ପାଇବାରୁ ବଂଚିତ ହେଉଥିବା ଜାଣିବାକୁ ପାଇଥିଲେ । ଖୁବ୍ ଶୀଘ୍ର ମେଡିକାଲର ଡାକ୍ତର ସମସ୍ୟା ଦୂର କରାଯିବା ସହ ଏମ୍‌ସିଏଚ୍ ବିଲଡିଂକୁ ପୂର୍ଣ୍ଣାଙ୍ଗ କାର୍ଯ୍ୟକ୍ଷମ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।

ଏଥିସହ ମେଡିକାଲରେ ‘ମେ ଆଇ ହେଲପ୍ ୟ’ୁ କାଉଁଟର କରାଯାଇ ରୋଗୀମାନଙ୍କୁ ସେବା ଯୋଗାଇଦେବାକୁ ମେଡିକାଲ କର୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଏହି ସମୟରେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ, ଧର୍ମଶାଳା ତହସିଲଦାର ସରୋଜ କୁମାର ପଣ୍ଡା, ବିଡିଓ ହେମନ୍ତ କୁମାର ସ୍ୱାଇଁ, ମେଡିକାଲ ଅଫିସର ମାନସ ରଂଜନ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.