ଜଟଣୀର ମହିଳା ଅଟୋ ଡ୍ରାଇଭର ରସିଦା, ପରିବାର ପ୍ରତିପୋଷଣ ପାଇଁ ଆପଣେଇଛନ୍ତି ଭିନ୍ନ ଉପାୟ

ଦେହରେ ଶାଢ଼ୀ ହାତରେ ଚୁଡ଼ି । ଯେଉଁ ହାତ ହାଣ୍ଡିଶାଳରେ ରହି ପରିବା କାଟିବା ଆଉ ରୋଷଇ କରିବା କଥା ସେଇ ହାତ ଆଜି ଧରିଛି ଅଟୋ ହ୍ୟାଣ୍ଡେଲ । ଖୁସିରେ ନୁହେଁ ପରିସ୍ଥିତି ତାଙ୍କୁ ବାଧ୍ୟ କରିଛି ଏଥିପାଇଁ । କଥାରେ ଅଛି ପେଟ ପୋଷ ନାହିଁ ଦୋଷ । ଯେମିତି ହେଉ ନିଜ ପରିବାରକୁ ବଂଚାଇବାର ଅଛି । ସମସ୍ତଙ୍କ ପେଟରେ ମୁଠେ ଦାନା ଦେବାର ଅଛି ।

ରସିଦା ବେଗମ । ବୟସ ୪୮ ବର୍ଷ । ଖୋର୍ଦ୍ଧା ଜିଲ୍ଲା ଜଟଣୀ ପୈାରପରିଷଦ ଅନ୍ତର୍ଗତ ୭ନମ୍ବର ୱାର୍ଡର ବାସିନ୍ଦା । ବର୍ତ୍ତମାନ ଆପଣ ଭାବୁଥିବେ ଯଦି ୟାଙ୍କର ପରିବାର ଅଛି ତାହେଲେ ମହିଳା ଜଣକ ଅଟୋ ଧରି ରାଜରାସ୍ତାକୁ ଓହ୍ଲାଇଛନ୍ତି କାହିଁକି ? କିନ୍ତୁ ରସିଦାଙ୍କ ବିଷୟରେ ସବୁ ଜାଣିବା ପରେ ଆପଣ ବି ଦୁଃଖୀ ହୋଇଯିବେ । ଆଉ ସାବାସୀ ତେବେ ତାଙ୍କ ସାହସକୁ । ତାହେଲେ ଆସନ୍ତୁ ଜାଣିବା ରସିଦା କାହିଁକି ପାଲଟିଲେ ଅଟୋ ଡ୍ରାଇଭର୍‌ ।

ରସିଦାଙ୍କ ସ୍ୱାମୀ ନୈମୁଲ୍ଲା ୪ବର୍ଷ ହେବ ପାରାଲିସିସ୍‌ରେ ପୀଡିତ । ଆଖିକୁ ଠିକ ଭାବେ ଦେଖାଯାଉ ନାହିଁ । ଅକ୍ଷମ ଅବସ୍ଥାରେ ଘରେ ପଡି ରହୁଛନ୍ତି । ଏଭଳି ଜଣେ ରୋଗା ମଣିଷ ସାଙ୍ଗକୁ ଘରେ ଦୁଇ ଝିଅ ଆଉ ଗୋଟିଏ ଛୋଟ ପୁଅ । ସରକାରୀ ସୁବିଧା କହିଲେ ରାସନ କାର୍ଡ ଖଣ୍ଡେ । ଘରର ଆର୍ଥିକ ଦୁରବସ୍ଥା ଦେଖି ବାଧ୍ୟ ହୋଇ ଅଟୋ ଧରିଲେ ରସିଦା । ପ୍ରତିଦିନ ଅଟୋ ଚଳାଇ ଯାହା ରୋଜଗାର ହୁଏ ସେଥିରେ ନିଜର ପରିବାର ଚଳାନ୍ତି । ଏହା ସହିତ ଅଟୋଟିକୁ ଲୋନରେ କିଣି ଥିବାରୁ କିସ୍ତି ପଇଠ କରିବା ବି କଷ୍ଟକର ହୋଇପଡୁଛି । ତେବେ କେବଳ ରସିଦା ନୁହନ୍ତି ତାଙ୍କ ଭଳି ଅନେକ ମହିଳା ଅଛନ୍ତି ଯେଉଁମାନେ ନିଜ ପରିବାରକୁ ବଞ୍ଚାଇବା ପାଇଁ ସଂଘର୍ଷ କରୁଛନ୍ତି । କିଏ ଘର ଭିତରେ ରହି ତ ଆଉ କିଏ ଘର ବାହାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.