କଂଗ୍ରେସ ଓ ବିଧାୟକ ପଦରୁ ଇସ୍ତଫା ଦେଲେ ଯୋଗେଶ ସିଂ

ଭୁବନେଶ୍ବର(କେନ୍ୟୁଜ୍) : କଂଗ୍ରେସ ଓ ବିଧାୟକ ପଦରୁ ଇସ୍ତଫା ଦେଲେ ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂ । ଦଳ ବିରୋଧୀ କାର୍ୟ୍ୟ ଅଭିଯୋଗରେ ଗତକାଲି ତାଙ୍କୁ କଂଗ୍ରେସରୁ ନିଲମ୍ବନ କରାଯାଇଥିଲା । ଏହା ପରେ ଆଜି ଯୋଗେଶ ସିଂ ଦଳ ଓ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ପାଖକୁ ଇସ୍ତଫା ପତ୍ର ପଠାଇଛନ୍ତି ଯୋଗେଶ ।
ଇସ୍ତଫା ପତ୍ରରେ ଯୋଗେଶ ସିଂ ଲେଖିଛନ୍ତି, ନବୀନଙ୍କୁ ପ୍ରଶଂସା କରିବା କ’ଣ ଦଳ ବିରୋଧୀ କାର୍ୟ୍ୟ । ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିବାରେ ସେ ପ୍ରଥମ ବ୍ୟକ୍ତି ନୁହନ୍ତି । ୟୁପିଏ ସରକାର ବେଳେ ବହୁ କେନ୍ଦ୍ରମନ୍ତ୍ରୀ, କଂଗ୍ରେସ ନେତା ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିଥିଲେ । ସେ ତାଙ୍କ ନିଲମ୍ବନ ସମ୍ପର୍କରେ ମିଡିଆରୁ ଜାଣି ଆଶ୍ଚର୍ୟ୍ୟ ହୋଇଥିଲେ ବୋଲି ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି ଯୋଗେଶ ।
ଯୋଗେଶ କହିଛନ୍ତି ଦୁଇଟି କାରଣ ପାଇଁ ନିଲମ୍ବନ କରାଯାଇଥିବା କଥା ଶୁଣିଛି । ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା ଓ ରାହୁଲା ଗାନ୍ଧିଙ୍କ ସଭାରେ ଯୋଗନଦେବା । ୧୭ ବର୍ଷ ଧରି କଂଗ୍ରେସ ପାଇଁ କାମ କରିଛି । ଯେହେତୁ କଂଗ୍ରେସ ପାର୍ଟି ତାଙ୍କୁ ଆଉ ଦରକାର କରୁନି, ତେଣୁ ଦଳ ଓ ବିଧାୟକ ପଦରୁ ଇସ୍ତଫା ଦେଇଛି ବୋଲି କହିଛନ୍ତି ଯୋଗେଶ।
ଯୋଗେଶ ସିଂ କଂଗ୍ରେସରୁ ଇସ୍ତଫା ଦେବା ନେଇ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ। କେହି ଇସ୍ତଫା ଦେଲେ ଦଳ ଉପରେ ପ୍ରଭାବ ପଡିବନି ବୋଲି ସେ କହିଛନ୍ତି।