ଓଡ଼ିଆ ପୁଅଙ୍କ ନୂଆ କୀର୍ତ୍ତିମାନ, ୨୪ ଘଣ୍ଟା ହୁଇଲ ଚେୟାର ଚଳାଇ ଗିନିଜ୍‌ ରେକର୍ଡ଼ କଲେ କମଳାକାନ୍ତ

ଭୁବନେଶ୍ୱର (କେନ୍ୟୁଜ୍‌) :  ଓଡ଼ିଆ ପୁଅ କଲେ ଗିନିଜ୍‌ ରେକର୍ଡ଼ । ହୁଇଲ ଚେୟାରରେ କରି ଦେଖାଇଲେ କମାଲ । ଆଜି ସେ କରିଛନ୍ତି ଗିନିଜ୍‌ ବୁକ୍‌ ଅଫ୍‌ ଓ୍ଵାର୍ଲଡ ରେକର୍ଡ଼ । ଲଗାତର ୨୪ ଘଣ୍ଟା ହୁଇଲ ଚେୟାର ଚଳାଇ ପୂର୍ବର ବିଶ୍ୱ ରେକର୍ଡ଼ ଭାଙ୍ଗିଛନ୍ତି । ସିଏ ହେଉଛନ୍ତି ଓଡ଼ିଆ ପୁଅ ପାରା ଆଥଲେଟ୍‌ କମଳାକାନ୍ତ ନାୟକ । ଭୁବନେଶ୍ୱର ରାଜମହଲରୁ ମାଷ୍ଟର କ୍ୟାଣ୍ଟିନ୍‌କୁ ଯାଇଥିବା ରାସ୍ତାରେ ଗତକାଲି ଠାରୁ ୟୁଟର୍ଣ୍ଣ ନେଇ ନିଜ ଗାଡ଼ିକୁ ନନ୍‌ଷ୍ଟପ୍‌ ଚଲାଇଲେ । ଏଥିରେ ସେ ପୂରା କଲେ ୨୧୫.୪ କିଲୋମିଟର । ଯାହା ତାଙ୍କୁ ଗିନିଜ ରେକର୍ଡ଼ କରିବାରେ ସାହାଯ୍ୟ କରିଛି । ପୂର୍ବର ରେକର୍ଡ଼ ଥିଲା ପର୍ତ୍ତୁଗାଲର ମାରିଓ ଟ୍ରିଣ୍ଡାଆଡେଙ୍କ ନାଁରେ । ଯିଏକି ୨୪ ଘଣ୍ଟା ଭିତରେ ୧୮୨.୪ କିମି ହୁଇଲ ଚେୟାର ଚଳାଇଥିଲେ । ଗତକାଲି ଅପରାହ୍ନରେ ହୁଇଲ ଚେୟାର ଚଳାଇବା ଆରମ୍ଭ କରିଥିଲେ ଯାହା ଆଜି ଶେଷ ହୋଇଛି ।

ସାତ ବର୍ଷ ତଳେ ଏକ ଦୁର୍ଘଟଣାରେ ତାଙ୍କ ମେରୁଦଣ୍ଡରେ ଆଘାତ ଲାଗିଲା । ଶଯ୍ୟାଶାୟୀ ହୋଇ ରହିଲେ । ମନକୁ ଅନେକ ଦୁଶ୍ଚିନ୍ତା ଆସିଲା କମଳାକାନ୍ତଙ୍କର । ଏମିତିକି ଏ ଜୀବନ ହାରିଦେବା ପାଇଁ ବି ଉଦ୍ୟମ କଲେ । ସେ ନିଜେ କୁହନ୍ତି କି ସାତଥର ଉଦ୍ୟମ କରିଛନ୍ତି ଆତ୍ମହତ୍ୟା ପାଇଁ । ହେଲେ ଏଭଳି ବିଷମ ପରିସ୍ଥିତିରେ ସବୁବେଳେ ପରିବାର ଲୋକେ ତାଙ୍କୁ ସାହସ ଦେଲେ, ସହାୟତା କଲେ । ଆଉ ତା ପରେ ତାଙ୍କ ଭିତରେ ବଞ୍ଚିବାର ଇଚ୍ଛା ଜାଗି ଉଠିଲା । ମନୋବଳ ଦୃଢ଼ ହେଲା । ଆଜି ସେଇ କମଳାକାନ୍ତ ବିଶ୍ୱ ରେକର୍ଡ଼ର ଅଧିକାରୀ ହୋଇଛନ୍ତି ।

kamalakant-2

କଣ ଏଇ ୨୮ ବର୍ଷ ବୟସ୍କ କମଳାକାନ୍ତ ଏବଂ ତାଙ୍କ ପରିବାର ଠାରୁ ଆପଣମାନେ ବି କିଛି ଶିଖିବେ ନାହିଁ ? ଦୁର୍ଦ୍ଦିନରେ କିଭଳି ନିଜ ଲୋକଙ୍କ ପାଖରେ ଠିଆ ହେବ ଅସମୟରେ କିଭଳି ନିଜର ନକାରାତ୍ମକ ଚିନ୍ତାଧାରା ଦୂରେଇ ଦେଇ ମନ ଦୃଢ଼ କରିବ, ପରିସ୍ଥିତି ସହ ଲଢ଼ିବ ଆଉ ଜିତିବ, ତାର ଉଦାହରଣ ପାଲଟିଛନ୍ତି କମଳାକାନ୍ତ ଓ ତାଙ୍କ ପରିବାର ।

କମଳାକାନ୍ତ ପୂର୍ବରୁ ମଧ୍ୟ ଏକ ରେକର୍ଡ଼ର ଅଧିକାରୀ ହୋଇଥିଲେ । ୨୦୨୦ରେ ସେ ୪୨୦୦ କିଲୋମିଟର ହୁଇଲ ଚେୟାର ଚଳାଇ ଏହି ରେକର୍ଡ଼ କରିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.