Below header

ଜୀବନ ଯୁଦ୍ଧରେ ଏକା କାଙ୍ଗୁଲୀ ଜୁଆଙ୍ଗ, ରାସନକାର୍ଡରୁ ନାଁ କଟିଯିବା ପରେ ପର କରିଦେଲା ପୁଅ

କେନ୍ଦୁଝର: ସ୍ୱାର୍ଥ ଚିହ୍ନେନି କିଏ ପର କିଏ ନିଜର । ସ୍ୱାର୍ଥ ହାସଲ୍‌ ହୋଇନପାରିଲେ ମଣିଷ କେତେ ତଳକୁ ଖସିଯାଏ ତାର ଏକ ନଗ୍ନ ଉଦାହରଣ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍‌ କାଞ୍ଜିପାଣି ଗାଁରେ । ରାସନକାର୍ଡରୁ ନାଁ କଟିଯିବା ପରେ ମାଆକୁ ଘରୁ ତଡି ଦେଇଛନ୍ତି ଜନ୍ମ କଲା ପୁଅ । ଫଳରେ ଭାଗ୍ୟକୁ ଆଦରି ଛିଣ୍ଡା ଜରିପାଲ ଘେରା କୁଡିଆରେ ଜୀବନ କାଟୁଛନ୍ତି କାଙ୍ଗୁଲୀ ଜୁଆଙ୍ଗ ।

ଅଣ୍ଟା ଭାଙ୍ଗି ନଇଁ ଗଲାଣି । ସଳଖି ଚାଲିବାକୁ ଯୁ ନାହିଁ । ବାଡି ଧରିଲେ ଚାଲୁଛନ୍ତି ପହଣ୍ଡେ । ଏ ହେଉଛନ୍ତି ଜୀବନ ଯୁଦ୍ଧରେ ଏକା ହୋଇଯାଇଥିବା କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍‌ କାଞ୍ଜିପାଣି ଗାଁର କାଙ୍ଗୁଲୀ ଜୁଆଙ୍ଗ । ରାସନ୍‌ କାର୍ଡରେ ନାଁ ଥିବା ସମୟରେ କାଙ୍ଗୁଲୀଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ପ୍ରତିମାସରେ ଚାଉଳ ମିଳୁଥିଲା । ଆଧାର ସଂଯୋଗ ହୋଇନପାରିବାରୁ ଏବେ ରାସନ୍‌ କାର୍ଡରୁ ନାଁ କଟିଯାଇଛି । ଫଳରେ ପୁଅମାନେ ଖାଇବାକୁ ଦେବାକୁ ମନା କରିଦେବା ସହ ଘରୁ ତଡି ଦେଇଛନ୍ତି । ଏବେ ବୟସର ଅପରାହ୍ମରେ ଭାଗ୍ୟକୁ ଆଦରି ଛିଣ୍ଡା ଜରିପାଲ ଘେରା କୁଡିଆରେ ପଡି ରହିଛନ୍ତି ।

୧୨ ବର୍ଷ ତଳେ କାଙ୍ଗୁଲିଙ୍କ ହାତ ଛାଡି ଆରପାରିକୁ ଚାଲିଯାଇଥିଲେ ସ୍ୱାମୀ କାର୍ତ୍ତିକ ଜୁଆଙ୍ଗ । ସେବେଠାରୁ ଆବେଦନ କରି ଆସୁଥିଲେ ମଧ୍ୟ ଏଯାଏ କାଙ୍ଗୁଲୀଙ୍କୁ ମିଳିନି ବିଧବା ଭତ୍ତା । ଅନ୍ୟପଟେ କାଙ୍ଗୁଲିଙ୍କ କ୍ଷେତ୍ରରେ କାହିଁକି ପହଞ୍ଚିପାରୁନି ସରକାରୀ ଯୋଜନା ଅନୁଧ୍ୟାନ କରିବା ପରେ ଉପଯୁକ୍ତ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ବାଂଶପାଳ ବ୍ଲକ୍‌ ଅଧ୍ୟକ୍ଷା । କାଙ୍ଗୁଲୀ ଜୁଆଙ୍ଗଙ୍କୁ କେବେ ସହାୟତା ମିଳିବ ଦେଖିବାକୁ ବାକି ରହିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.