ଭୁବନେଶ୍ୱରରେ ଲଞ୍ଚ୍‌ ହେଲା ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା, ଓଡ଼ିଶାକୁ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀଙ୍କ ଭୂୟସୀ ପ୍ରଶଂସା

ଭୁବନେଶ୍ୱର (କେ ନ୍ୟୁଜ୍‌) : ଭାରତକୁ ଏକ ମହାନ୍‌ କ୍ରୀଡ଼ା ଦେଶରେ ପରିଣତ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି, ଯୋଜନା ବନାଇଛନ୍ତି । ଏଥିରେ ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ । ଏକଥା କହିଛନ୍ତି କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ କିରଣ ରିଜ୍‌ଜୁ । ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ମାସ୍କଟ୍‌, ଲୋଗୋ ଓ ଜର୍ସି ଉନ୍ମୋଚନ କାର୍ଯ୍ୟକ୍ରମ ଭୁବନେଶ୍ୱର ରେଳବାଇ ଅଡିଟୋରିୟମ୍‌ରେ ଅନୁଷ୍ଠିତ ହୋଇଛି । ଏହି ଅବସରରେ ସେ କ୍ରୀଡ଼ାର ପ୍ରସାର ଦିଗରେ ଓଡ଼ିଶା ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭୂମିକାକୁ ପ୍ରଶଂସା କରିଥିଲେ ।

3

ଆଜି ସନ୍ଧ୍ୟାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କ୍ରୀଡ଼ାର ଲୋଗୋ ଉନ୍ମୋଚନ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ମାସ୍କଟ୍‌କୁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ଏବଂ ଏହାର ଜର୍ସିର ଉନ୍ମୋଚନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଥିଲେ । ଏହି ଅବସରେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ, କିରଣ ରିଜିଜୁ କହିଥିଲେ, ଗୋଟିଏ ରାଜ୍ୟ ଗୋଟିଏ ଖେଳକୁ ପ୍ରାଥମିକତା ଦେବାର ଆବଶ୍ୟକତା ରହିଛି । ଖେଲୋ ଇଣ୍ଡିଆ ମାଧ୍ୟମରେ ପ୍ରତିଭାବାନ ଖେଳାଳିଙ୍କୁ ପ୍ରୋତ୍ସାହିତ କରାଯାଉଛି । କ୍ରୀଡ଼ା କ୍ଷେତ୍ରରେ ଭାରତର ଭବିଷ୍ୟତ ବହୁ ଉଜ୍ୱଳ । ଆମେ ସମସ୍ତେ ଗୋଟିଏ ଟିମ୍‌ ହୋଇ କାର୍ଯ୍ୟ କରିବୁ ବୋଲି କହିଛନ୍ତି କିରଣ ରିଜିଜୁ । ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡାର ପ୍ରଥମ ସଂସ୍କରଣ କିଟ୍‌ ବିଶ୍ୱବିଦ୍ୟାଳୟରେ ଆୟୋଜିତ ହେବ । ଫେବ୍ରୁଆରୀ ୨୧ ତାରିଖରେ ରହିଛି ଉଦ୍‌ଘାଟନୀ ଉତ୍ସବ । ମୋଟ୍‌ ୧୭ଟି କ୍ରୀଡ଼ାର ୩୪ଟି ଇଭେଣ୍ଟରେ ପ୍ରତିଯୋଗିତା ଚାଲିବ ।
ଏହି କାର୍ଯ୍ୟକ୍ରମରେ ରାଜ୍ୟ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ମନ୍ତ୍ରୀ ଅରୁଣ ସାହୁ, କନ୍ଧମାଳ ସାଂସଦ ତଥା କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ, ଫାଇଭ୍‌-ଟି ସଚିବ ଭି.କେ. ପାଣ୍ଡିଆନ୍‌, କ୍ରୀଡ଼ା ସଚିବ ବିଶାଳ ଦେବ ପ୍ରମୁଖ ଯୋଗ ଦେଇଥିଲେ ।

1

ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ଆସନ୍ତା ଫେବ୍ରୁଆରୀ ୨୨ରୁ ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ କିଟ୍‌ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌ରେ ଅନୁଷ୍ଠିତ ହେବ। ଏଥିରେ ସାରା ଦେଶରୁ ୮,୫୦୦ କ୍ରୀଡ଼ାବିତ୍‌ ଭାଗ ନେବେ ।
ଆସନ୍ତା ବର୍ଷ ଠାରୁ ଖେଲୋ ଇଣ୍ଡିଆ ସ୍କୁଲ କ୍ରୀଡ଼ା ଏବଂ ଖେଲୋ ଇଣ୍ଡିଆ ଦିବ୍ୟାଙ୍ଗ କ୍ରୀଡ଼ାର ଆୟୋଜନ ହେବ ବୋଲି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରଣ ରିଜ୍‌ଜୁ ଘୋଷଣା କରିଥିଲେ । ଏହା ସହିତ କ୍ରୀଡ଼ାର ବିକାଶ ଓ ପ୍ରସାର ଦିଗରେ ଓଡ଼ିଶାର ଅବଦାନ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମର ଭୂୟସୀ ପ୍ରଶଂସା କରିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.