ପଇସା ଅଭାବରୁ ଅଧାରୁ ରହିଯାଇଥାନ୍ତା ଡାକ୍ତରୀ ପାଠପଢା, ସହାୟତାର ହାତ ବଢାଇ ମନରେ ଆଶା ସଞ୍ଚାର କରାଇଲେ କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ

କେନ୍ୟୁଜ(ବ୍ୟୁରୋ): ଅର୍ଥ ଅଭାବ ଯୋଗୁଁ ପ୍ରଥମ ବର୍ଷ ଡାକ୍ତରୀ ପାଠ ପଢି ସାରିବା ପରେ ପାଠରେ ଡୋରୀ ବନ୍ଧା ହୋଇଥାନ୍ତା । କିସ୍‌ ଫାଉଣ୍ଡେସନ ପକ୍ଷରୁ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ଠାରୁ ସହାୟତା ପାଇବା ପରେ ଡାକ୍ତରୀ ଛାତ୍ରଙ୍କ ମନରେ ଆଶା ସଞ୍ଚାର ହୋଇଛି । ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଅଞ୍ଚଳର ହଳଦୀପଦା ଗାଁର ଗରିବ ଓ ମେଧାବୀ ଛାତ୍ର ଜ୍ୟୋତି ରଞ୍ଜନ ଦାସ ମେଡିକାଲ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ୨୦୧୮-୧୯ ଶିକ୍ଷାବର୍ଷରେ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜରେ ନାମ ଲେଖାଇଥିଲେ । ପ୍ରଥମ ବର୍ଷ ଶିକ୍ଷା ସମାପ୍ତ ହେବା ପରେ ଅର୍ଥାଭାବରୁ ସେ ଆଗକୁ ଆଉ ବଢି ପାରି ନଥିଲେ । ପିତା ପ୍ରଶାନ୍ତ ଦାସ ଦରଜୀ ଭାବେ କାର୍ଯ୍ୟକରି ପରିବାର ପ୍ରତିପୋଷଣ କରନ୍ତି । ପୁଅର ଡାକ୍ତରୀ ପଢା ପାଇଁ ସେ ଅର୍ଥ ଯୋଗାଇ ନପାରିବାରୁ ବାଧ୍ୟ ହୋଇ ଜ୍ୟୋତିରଞ୍ଜନ ଏମବିବିଏସ ପାଠ ପଢାରୁ ବଞ୍ଚିତ ହୋଇଥିଲେ । dr achyuta samant

ଇତିମଧ୍ୟରେ ସେ କିସ୍‌ ଫାଉଣ୍ଡେସନ ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କୁ ଉଚ୍ଚତର ଶିକ୍ଷା ପାଇଁ ସହୟତା କରୁଥିବା ଜାଣିବା ପରେ ସେ ଏହାର ପ୍ରତିଷ୍ଠାତା ଡ.ସାମନ୍ତଙ୍କ ନିକଟରେ ପହଞ୍ଚିଥିଲେ । ଡ.ସାମନ୍ତ ଜ୍ୟୋତିରଞ୍ଜନଙ୍କ ଠାରୁ ତାଙ୍କର ଆର୍ଥିକ ଦୁରବସ୍ଥା ଏବଂ ସେ ଜଣେ ମେଧାବୀ ଛାତ୍ର ଜାଣିବା ପରେ ତାଙ୍କୁ ସହାୟତାର ହାତ ବଢାଇଛନ୍ତି । ତାଙ୍କର ଡାକ୍ତରୀ ଶିକ୍ଷା ସମାପ୍ତ ପର୍ଯ୍ୟନ୍ତ ପ୍ରତିମାସ ୧୦ ହଜାର ଟଙ୍କା ପ୍ରଦାନ କରିବାକୁ ଡ.ସାମନ୍ତ ଜ୍ୟୋତିରଞ୍ଜନ ଓ ତାଙ୍କ ପିତାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ।

ଏହା ସହ ଆବଶ୍ୟକ ହେଲେ ଅନ୍ୟାନ୍ୟ ସହାୟତା ଯୋଗାଇ ଦେବାକୁ ମଧ୍ୟ ଡ.ସାମନ୍ତ ପ୍ରତିଶ୍ରୁତି ଦେଇଛନ୍ତି । ଜ୍ୟୋତିରଞ୍ଜନ ମ୍ୟାଟ୍ରିକ ଓ ଯୁକ୍ତ ୨ ବିଜ୍ଞାନରେ ୮୦ ପ୍ରତିଶତ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଗୋଟିଏ ଥରରେ ଡାକ୍ତରୀ ପ୍ରବେଶିକାରେ ଉତ୍ତୀର୍ଣ୍ଣ ହୋଇଥିଲେ । ଏଣିକି ଜ୍ୟୋତିରଞ୍ଜନଙ୍କ ପାଠ ପଢାରେ ଆଉ କୈଣସି ଅସୁବିଧା ହେବ ନାହିଁ ବୋଲି ଡ.ସାମନ୍ତ କହିଛନ୍ତି । ସେପଟେ ଉଭୟ ଜ୍ୟୋତି ରଞ୍ଜନ ଓ ତାଙ୍କ ପିତା ପ୍ରଶାନ୍ତ ଡ. ସାମନ୍ତ ଏବଂ କିସ୍‌ ଫାଉଣ୍ଡେସନକୁ କୃତଜ୍ଞତା ଜଣାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.