ଅର୍ଚ୍ଚନା ନାଗ ହନିଟ୍ରାପ୍‌ ମାମଲାରେ ୪ ଅଭିଯୁକ୍ତଙ୍କ କ’ଣ ଥିଲା ଭୂମିକା? ନୟାଗଡ଼ର କେଉଁ ରାଜନେତା ଫସିଥିଲେ?

ଭୁବନେଶ୍ବର(କେନ୍ୟୁଜ୍): ଅର୍ଚ୍ଚନା ନାଗ ହନିଟ୍ରାପ୍‌ ମାମଲାରେ କେନ୍ୟୁଜ୍ ହାତରେ EXCLUSIVE ତଥ୍ୟ । ୪ ଅଭିଯୁକ୍ତଙ୍କ କ’ଣ ଥିଲା ଭୂମିକା? ଏନେଇ ଚାର୍ଜସିଟରେ ଉଲ୍ଲେଖ ରହିଛି । ୪ ଅଭିଯୁକ୍ତ ହେଲେ ଅର୍ଚ୍ଚନା ନାଗ, ସ୍ୱାମୀ ଜଗବନ୍ଧୁ, ସହଯୋଗୀ ଖଗେଶ୍ୱର ଓ ଶ୍ରଦ୍ଧାଞ୍ଜଳି ବେହେରା । ପୂରା ଘଟଣାରେ କାହାର କ’ଣ ଭୂମିକା ରହିଛି, ଆସନ୍ତୁ ଜାଣିବା । ଅର୍ଚ୍ଚନା ନାଗ, ସ୍ୱାମୀ ଜଗବନ୍ଧୁ ସହ ମିଶି ସୁଚିନ୍ତିତ ଯୋଜନା କରୁଥିଲେ । ଧନୀ ବ୍ୟବସାୟୀ ଓ ରାଜନେତାଙ୍କୁ ହନିଟ୍ରାପ କରିଥିଲେ ।

କୋଟି କୋଟି ଟଙ୍କାର ବେଆଇନ ଅର୍ଥ ରୋଜଗାର କରିଛନ୍ତି । ବ୍ୟବସାୟୀ ଓ ରାଜନେତାଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡ଼ିଓ କରୁଥିଲେ । ପରେ ସୋସିଆଲ ମିଡିଆରେ ଭାଇରାଲ ବା ମହିଳା ଥାନାରେ ଏତଲା ଦେବାକୁ ଧମକ ଦେଉଥିଲେ । ଶ୍ରଦ୍ଧାଞ୍ଜଳି ବେହେରାଙ୍କୁ ବ୍ୟବହାର କରି ଅର୍ଚ୍ଚନା ଅକ୍ଷୟ ପରିଜାଙ୍କୁ ଧମକାଇଥିଲେ । ଏହାସହ ଟଙ୍କା ଆଦାୟ କରିବା ଯୋଜନା କରିଥିବା ଇଡି ଚାର୍ଜସିଟରେ ଉଲ୍ଲେଖ କରିଛି । ସେହିଭଳି ନୟାଗଡ଼ର ଜଣେ ବ୍ୟବସାୟୀ ତଥା ରାଜନେତାଙ୍କୁ ଧମକାଇବା ସହ ଟଙ୍କା ହଡପ କରିଥିବା ଚାର୍ଜସିଟରେ ଲେଖାଯାଇଛି । ଅପରାଧୀକ କାର୍ଯ୍ୟ କରି ଟଙ୍କା ଅର୍ଜୁଥିଲେ ଅର୍ଚ୍ଚନା ।

ସେହି ଟଙ୍କାକୁ ଭାଗ ଭାଗ କରି ଆକାଉଣ୍ଟରେ ଟଙ୍କା ଡିପୋଜିଟ୍‌ କରୁଥିଲେ । କିଛି ଟଙ୍କା ନିଜ ନାଁରେ, ଆଉ କିଛି ଟଙ୍କା ସ୍ୱାମୀ ଜଗବନ୍ଧୁ ଓ ସହଯୋଗୀ ଖଗେଶ୍ୱର ଆକାଉଣ୍ଟରେ ଜମା କରିଥିଲେ । ଆଉ କିଛି ଟଙ୍କା ଜଗବନ୍ଧୁ ସମ୍ପର୍କୀୟ କେଶବ ଚାନ୍ଦ ଓ ଖଗେଶ୍ୱରର କର୍ମଚାରୀ ଅଭିଳାଷ ପ୍ରିୟଦର୍ଶୀଙ୍କ ଆକାଉଣ୍ଟରେ ଡିପୋଜିଟ୍‌ ହୋଇଛି । ଖଗେଶ୍ୱର ପାତ୍ର ବ୍ୟବସାୟରେ ମଧ୍ୟ ଟଙ୍କା ବ୍ୟବହାର ହୋଇଛି । ସେହି ଟଙ୍କାରେ ଭୁବନେ୍‌ଶ୍ୱର ସତ୍ୟବିହାରରେ ପ୍ଲଟ କିଣିଥିଲେ । ଏହାସହ କଳାଟଙ୍କାରେ ତିନି ମହଲା ଘର ନିର୍ମାଣ ହୋଇଛି । ୩୯ ଲକ୍ଷ ଟଙ୍କାରେ ଫୋର୍ଡ ଏଣ୍ଡିଏଭର ଗାଡ଼ି କିଣିଛନ୍ତି ଅର୍ଚ୍ଚନା ।

ଏବେ ଆସନ୍ତୁ ଜାଣିବା କ’ଣ ଥିଲା ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁର ଭୂମିକା । କଳାଟଙ୍କାକୁ କିଛି ନିଜ ଆକାଉଣ୍ଟରେ ଜମା ରଖିଥିଲେ ଜଗବନ୍ଧୁ । ଆଉ କିଛି ଟଙ୍କା କେଶବ ଚାନ୍ଦ ଆକାଉଣ୍ଟରେ ରଖିଥିଲେ । କଳାଟଙ୍କାରେ ମହିନ୍ଦ୍ରା ଥର୍‌ ଗାଡ଼ି କିଣିଥିଲେ ଜଗବନ୍ଧୁ । … କଳାଧନ ଲୁଚାଇବାରେ ଖଗେଶ୍ୱର ବଡ଼ ଭୂମିକା ରହିଛି । ଅର୍ଚ୍ଚନାଙ୍କୁ ସହାୟତା କରୁଥିଲେ ଖଗେଶ୍ୱର ପାତ୍ର । ଅର୍ଚ୍ଚନାଙ୍କ ଟଙ୍କା ସୁପ୍ରିମ ଅଟୋମୋବାଇଲରେ ଲାଗିଥିଲା । ୧୦ ଲକ୍ଷ ଟଙ୍କା ଖଗେଶ୍ୱରର କର୍ମଚାରୀ ଅଭିଳାଷ ପ୍ରିୟଦର୍ଶୀ ଆକାଉଣ୍ଟରେ ଜମା ହୋଇଛି । ଅଭିଳାଶ ଅର୍ଚ୍ଚନାଙ୍କ ଆକାଉଣ୍ଟରେ ଟଙ୍କା ଡିପୋଜିଟ୍‌ କରିଥିଲେ । କଳାଟଙ୍କାରେ ଖଗେଶ୍ୱର ସତ୍ୟବିହାରରେ ପ୍ଲଟ କିଣିଥିଲେ ।ଶ୍ରଦ୍ଧାଞ୍ଜଳି ଅର୍ଚ୍ଚନାଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରୁଥିଲେ । ଶ୍ରଦ୍ଦାଞ୍ଜଳିଙ୍କୁ ୧୪ ଲକ୍ଷ ୮୫ ହଜାର ଟଙ୍କା କ୍ୟାସ୍‌ ଓ UPI ଟ୍ରାନସଫର ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.