ସିକ୍ୟୁରିଟି ଗାର୍ଡଙ୍କୁ ହତ୍ୟା କରି ଏଟିଏମ୍‌ରୁ କ୍ୟାଶ୍‌ ଲୁଟିଲା ଯୁବକ! କାନ୍ଧରେ ଟଙ୍କା ବସ୍ତା ଲଦି ଖସି ପଳାଉଥିବାର ଦୃଶ୍ୟ ସିସିଟିଭିରେ କଏଦ

ଉତ୍ତର ଦିଲ୍ଲୀର ଓ୍ଵଜିରାବାଦ ଅଞ୍ଚଳରେ ମଙ୍ଗଳବାର ଦିନ ଦ୍ୱିପ୍ରହରରେ ଜଣେ ସିକ୍ୟୁରିଟି ଗାର୍ଡଙ୍କୁ ହତ୍ୟା କରି ଏଟିଏମ୍‌ରୁ କ୍ୟାଶ୍‌ ଲୁଟ୍‌ ମାମଲା ସାମ୍ନାକୁ ଆସିଛି। ଲୁଟେରା ୧୦.୭୮ ଲକ୍ଷ ଟଙ୍କା ଲୁଟି ନେଇଥିବା ଜଣାପଡ଼ିଛି। ତେବେ ଘଟଣାକୁ ଦୁଇ ଦିନ ବିତି ଯାଇଥିଲେ ମଧ୍ୟ ଏ ଯାଏ ପୋଲିସ ହାତ ଖାଲି ରହିଛି। ଆଶ୍ଚର୍ଯ୍ୟଜନକ କଥା ହେଲା, ଜଣେ ଏକୁଟିଆ ବ୍ୟକ୍ତି ଗାର୍ଡଙ୍କୁ ହତ୍ୟା କରି କ୍ୟାଶ୍‌ ଲୁଟିଥିଲେ ଏବଂ ବହୁତ ଆରାମରେ ଚାଲି ଚାଲି ସେଠାରୁ ଫେରାର୍‌ ହୋଇ ଯାଇଥିଲେ।

ବୁଧବାର ଅଭିଯୁକ୍ତଙ୍କର ଅନେକ ସିସିଟିଭି ଫୁଟେଜ୍‌ ସାମ୍ନାକୁ ଆସିଛି, ଯେଉଁଥିରେ ସେ ନିଜ କାନ୍ଧରେ ଅଖା ବସ୍ତା ଭଳି କ୍ୟାଶ୍‌ ବ୍ୟାଗ୍‌ ଲଦି ଚାଲି ଚାଲି ଯାଉଛନ୍ତି। ସିସିଟିଭି ଫୁଟେଜ୍‌ ଆଧାରରେ ପୋଲିସ ଅଭିଯୁକ୍ତଙ୍କୁ ଚିହ୍ନଟ କରିବାକୁ ଚେଷ୍ଟା କରୁଛି। ଜିଲ୍ଲା ଲୋକାଲ ପୋଲିସ ବ୍ୟତୀତ ସ୍ପେଶାଲ ଷ୍ଟାଫ୍‌, କ୍ରାଇମ୍‌ ବ୍ରାଞ୍ଚ ଏବଂ ସ୍ପେଶାଲ ସେଲ୍‌ ମଧ୍ୟ ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ଲାଗି ପଡ଼ିଛନ୍ତି।

ଘଟଣାର ତଦନ୍ତ କରୁଥିବା ପୋଲିସ ଅଧିକାରୀ କହିଛନ୍ତି, ସିଏମଏସ କମ୍ପାନୀରେ କାର୍ଯ୍ୟ କରୁଥିବା କ୍ୟାଶ୍‌ କଷ୍ଟୋଡିୟନ ବାଲମ ସିଂ ଓ କମଲ କିଶୋର, ଡ୍ରାଇଭର ଦେବେନ୍ଦ୍ର ସିଂ ଏବଂ ଗାର୍ଡ ଉଦୟପାଲ ସିଂ ଚୌହାନ ଏଟିଏମରେ କ୍ୟାଶ୍‌ ଜମା କରିବାକୁ ଯାଇଥିଲେ। ଭ୍ୟାନ୍‌ ପାଖାପାଖି ୪ଟା ୩୬ ମିନିଟ୍‌ରେ ଗଳି ନମ୍ବର ୬ ଆଇସିଆଇସିଆଇ ଏଟିଏମ୍ ପାଖରେ ପହଞ୍ଚିଥିଲା। ଏହାରି ଭିତରେ ବାଲମ ଓ କମଲ ଏଟିଏମ ଭିତରକୁ ଯାଇଥିଲେ। ଗାର୍ଡ ଉଦୟପାଲ ବନ୍ଧୁକ ଧରି ବାହାରେ ଛିଡ଼ା ହୋଇଥିଲେ।

ଏହି ସମୟରେ ଗ୍ରେ ରଙ୍ଗର ଜ୍ୟାକେଟ୍ ପିନ୍ଧା ଜଣେ ଯୁବକ ହଠାତ୍‌ ସେଠାରେ ପହଞ୍ଚିଥିଲେ। ସେ ଆସିବା ମାତ୍ରେ ଉଦୟପାଲଙ୍କ ଛାତିରେ ଗୁଳି ଚଳାଇଥିଲେ। ପରେ ସେ ବାଲମ ଓ କମଲଙ୍କ ପାଖକୁ ଯାଇଥିଲେ। ଯୁବକ ଦୁହିଁଙ୍କଠାରୁ ଟଙ୍କା ବ୍ୟାଗ ଲୁଟି ନେଇ ସେଠାରୁ ପାଦରେ ଚାଲି ଫେରାର ହୋଇ ଯାଇଥିଲେ। ଅଭିଯୁକ୍ତ କାନ୍ଧରେ ଏକ ଭାରୀ ବ୍ୟାଗ ଲଦି ଯାଉଥିବାର ଦୃଶ୍ୟ କେତେକ ଜାଗାରେ ସିସିଟିଭି କ୍ୟାମେରାରେ କଏଦ ହୋଇଥିଲା।

ଏକ ପଏଣ୍ଟ ପରେ ସେ ଗାଏବ ହୋଇଗଲେ। ଏହା ପରର ସିସିଟିଭି ଫୁଟେଜ ପୋଲିସ ପାଖରେ ନାହିଁ। ଅଭିଯୁକ୍ତ ଜଣକ ଏହାପରେ ପାଦରେ ଚାଲି କେଉଁଆଡ଼େ ଗଲେ ଏବଂ କିଏ ତାଙ୍କୁ ଅପେକ୍ଷା କରିଥିଲା, ପୋଲିସ ଏହାର ତଦନ୍ତରେ ଲାଗି ପଡ଼ିଛି। ଯାଞ୍ଚ ସମୟରେ ପୋଲିସ ଜାଣିବାକୁ ପାଇଛି ଯେ ଘଟଣା ଘଟାଇବା ପୂର୍ବରୁ ଅଭିଯୁକ୍ତ କାହା ସହିତ ଫୋନ୍‌ରେ କଥା ହୋଇ ଭ୍ୟାନ ଆଡକୁ ଆସୁଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.