କାହିଁକି ଓ କେମିତି ପ୍ରସ୍ତୁତ ହୁଅନ୍ତି ପଟିଦିଅଁ ଜାଣନ୍ତୁ

ପୁରୀ (କେନ୍ୟୁଜ) : ସ୍ନାନ ପୂର୍ଣ୍ଣିମାରେ ଖୁବ୍‌ ସ୍ନାନ କଲେ ଶ୍ରୀଜୀଉ । ଆଉ ଏବେ ଅସୁସ୍ଥ । ଅତ୍ୟାଧିକ ସ୍ନାନ ହେତୁ ଅଣସର ଘରେ ରହିଛନ୍ତି ମହାପ୍ରଭୁ । ତେଣୁ ଶ୍ରୀଅଙ୍ଗ ରକ୍ଷକ ଓ ଦଇତାପତିମାନେ ଏବେ ମହାପ୍ରଭୁଙ୍କ ସେବାରେ ଲାଗି ପଡିଛନ୍ତି । ଗତକାଲି ମହାପ୍ରଭୁଙ୍କ ଓଦାଲୁଗା ଫିଟାଯିବା ପରେ ଆଜି ମହାପ୍ରଭୁଙ୍କ ଅନ୍ୟ ଗୁପ୍ତନୀତି କରାଯିବ । ଏବେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଚକଟା ଭୋଗ, ପଣା, ଫଳମୂଳ ଓ ଧଳାଫୁଲ ଇତ୍ୟାଦି ଲାଗି କରାଯାଇଛି ।

ଘଣ୍ଟଘଣ୍ଟା ବଜାଇବା ନିଷିଦ୍ଧ କରାଯିବା ସହ ପଟିଦିଅଁଙ୍କୂ ପୂଜାର୍ଚ୍ଚନା କରାଯାଉଛି । ସକାଳୁ ସିଂହଦ୍ୱାର ଫିଟାଯିବା ପରେ ମହାପ୍ରଭୁଙ୍କ ମଙ୍ଗଳ ଆଳତି କରାଯାଇଥିଲା । ସ୍ନାନବେଦୀରେ ୧୦୮ ଗରା ଜଳ ସ୍ନାନ କରିବା ପରେ ଜ୍ୱରରେ ପୀଡିତ ମହାପ୍ରଭୁ ଅଣସର ପିଣ୍ଡିରେ ଗୁପ୍ତ ଉପଚାରରେ ରୁହନ୍ତି। ତାଙ୍କ ପ୍ରତିବଦଳରେ ପଟିଦିଅଁ ପୂଜା ପାଆନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ଥାନରେ ଅନନ୍ତ ନାରାୟଣ, ବଳଭଦ୍ରଙ୍କ ସ୍ଥାନରେ ଅନନ୍ତ ବାସୁଦେବ ଓ ସୁଭଦ୍ରାଙ୍କ ସ୍ଥାନରେ ମା ଭୁବନେଶ୍ୱରୀଙ୍କ ପଟିଦିଅଁ ପୂଜା ପାଇଥାନ୍ତି।

ପଟିରେ ପାରମ୍ପରିକ ରଙ୍ଗ ତୁଳୀରେ ଚିତ୍ରକର ସେବକଙ୍କ ଅଙ୍କିତ ଦାରୁ ଦେବତାଙ୍କ ପଟ୍ଟଚିତ୍ର ସ୍ଥାନିତ ହୋଇଥାଏ। ଶ୍ରୀମନ୍ଦିରର ଜୟ ବିଜୟ ଦ୍ୱାର ପଛପଟେ ଦେବୀ ସୁଭଦ୍ରାଙ୍କୁ ଭୁବନେଶ୍ୱରୀ ବା ଯଜ୍ଞେଶ୍ୱରୀ, ପ୍ରଭୁ ବଳଭଦ୍ରଙ୍କୁ ଅନନ୍ତ ବାସୁଦେବ, ଶ୍ରୀ ଜଗନ୍ନାଥଙ୍କୁ ଭଗବତ ବାସୁଦେବ ବା ନାରାୟଣ ଓ ସୁଦର୍ଶନଙ୍କୁ ପତିତପାବନ ଭାବେ ଭକ୍ତମାନେ ଦର୍ଶନ କରିଥାନ୍ତି।

ଚିତ୍ରକର ସେବକମାନେ ପାରମ୍ପରିକ ବିଧି ବିଧାନ ଅନୁଯାୟୀ ଶ୍ରୀଜଗନ୍ନାଥ ପ୍ରଭୁ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ପଟିଦିଅଁ ପ୍ରସ୍ତୁତ କରିଥାନ୍ତି। ସାବିତ୍ରୀ ପୂଜାର ଦୁଇ ଦିନ ପରଠାରୁ ଏହି ପଟିଦିଅଁ ପ୍ରସ୍ତୁତି ଆରମ୍ଭ ହୋଇଥାଏ । ଯାହା ଶେଷ ହୋଇଥାଏ ସ୍ନାନ ପୂର୍ଣ୍ଣିମାରେ। ଏହି ଚିତ୍ରକର ସେବାୟତମାନେ ସମ୍ପୂର୍ଣ୍ଣ ନିଷ୍ଠାରେ ରହି ହବିଷ୍ୟାନ୍ନ ଖାଇ ପଟିଦିଅଁ ପ୍ରସ୍ତୁତ କରନ୍ତି। ଏମାନେ କାହା ଘରେ ପାଣି ଟୋପାଏ ମଧ୍ୟ ପିଅନ୍ତି ନାହିଁ ।

ସବୁଠୁ ବଡ କଥା ହେଲା ପଟିଦିଅଁରେ ଲାଗୁଥିବା ସମସ୍ତ ରଙ୍ଗ ପ୍ରାକୃତିକ ଭାବରେ ତିଆରି କରାଯାଏ। ବାହାରୁ କୌଣସି କେମିକାଲ ରଙ୍ଗ ଏଥିରେ ଲାଗେ ନାହିଁ। ଜୟ ବିଜୟ ଦ୍ୱାର ପଛପଟେ ଖଟ ଉପରେ ମଦନ ମୋହନ, ରାମକୃଷ୍ଣ, ଶ୍ରୀଦେବୀ, ଭୂଦେବୀ, ଶ୍ରୀନୃସିଂହ ଓ ମାଧବଙ୍କ ସହିତ ପଟିଦିଅଁ ଶୋଭା ପାଇବେ। ପରମ୍ପରା ଅନୁଯାୟୀ ଦେବସ୍ନାନ ପୂର୍ଣ୍ଣିମା ପରଦିନ ଠାରୁ ନବଯୌବନ ଦର୍ଶନ ପର୍ଯ୍ଯନ୍ତ ଏହି ପଟିଦିଅଁମାନଙ୍କ ନିକଟରେ ଅନ୍ନ ମହାପ୍ରସାଦ ଭୋଗ କରାଯାଏ। ଚତୁର୍ଦ୍ଧା ମୂର୍ତ୍ତି ଅଣସର ଘରେ ଥିବା ଯାଏ ଏଇ ପଟିଦିଅ ହିଁ ମହାପ୍ରଭୁଙ୍କ ପ୍ରତୀକ ଭାବେ ପୂଜା ପାଇଥାନ୍ତି ।

Leave A Reply

Your email address will not be published.