ସ୍ୱପ୍ନରେ ଆସି ବଳାତ୍କାର କରୁଛନ୍ତି ତାନ୍ତ୍ରିକ, ପୋଲିସରେ ଅଭିଯୋଗ କଲେ ମହିଳା

ସ୍ୱପ୍ନରେ ଆସି ବଳାତ୍କାର କରୁଛନ୍ତି ତାନ୍ତ୍ରିକ। ବିହାରର ଔରଙ୍ଗାବାଦ ଜିଲ୍ଲାର ନଗର ଥାନାରେ ଜଣେ ମହିଳା ଆଣିଛନ୍ତି ଏଭଳି ଅଭିଯୋଗ। ଏ ନେଇ ଶୁକ୍ରବାର ସେ ପୋଲିସରେ ଅଭିଯୋଗ କରିଛନ୍ତି। ନଗର ଥାନା ଅଧ୍ୟକ୍ଷ ଅଞ୍ଜନୀ କୁମାର କହିଛନ୍ତି ମହିଳାଙ୍କ ଅଭିଯୋଗ ପରେ ପୋଲିସ ଉକ୍ତ ତାନ୍ତ୍ରିକ ପ୍ରଶାନ୍ତ ଚତୁର୍ବେଦୀଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲା। କିନ୍ତୁ ପ୍ରମାଣ ଅଭାବରୁ ତାଙ୍କୁ ପରେ ଛାଡ଼ି ଦେଇଛି।

ଥାନାଧିକାରୀ କହିଛନ୍ତି, ମହିଳାଙ୍କ ପୁଅର ମୃତ୍ୟୁ ପରେ ତାଙ୍କ ମାନସିକ ସନ୍ତୁଳନ ବିଗିଡ଼ି ଯାଇଛି। ଏଣୁ ସେ ଏମିତି ଏଣୁତେଣୁ ଅଭିଯୋଗ କରିଛନ୍ତି। ମାମଲାର ସତ୍ୟତା ଯାଞ୍ଚ ହୋଇପାରିନଥିବାରୁ ତାନ୍ତ୍ରିକକୁ ଛାଡ଼ିବାକୁ ପଡ଼ିଥିବା ପୋଲିସ କହିଛି।

ଅନ୍ୟପଟେ ଅଭିଯୋଗ କରିଥିବା ମହିଳା କହିଛନ୍ତି, କିଛି ଦିନ ତଳେ ତାଙ୍କ ପୁଅର ଦେହ ଖରାପ ହେବାରୁ ସେ ତାକୁ ତାନ୍ତ୍ରିକ ପାଖକୁ ନେଇଥିଲେ। ତାନ୍ତ୍ରିକ କିଛି ପୂଜା ପାଠ କରିଥିଲେ ବି ପୁଅକୁ ବଞ୍ଚାଇପାରିନଥିଲେ। ଏଥିସହ ସେ ଅଭିଯୋଗ କରିଥିଲେ ଯେ ଚତୁର୍ବେଦୀ ସ୍ୱପ୍ନରେ ଆସି ତାଙ୍କୁ ବଳାତ୍କାର କରିବାକୁ ଚେଷ୍ଟା କରୁଛନ୍ତି। ସେ ଏହାକୁ ବିରୋଧ କରି ତାନ୍ତ୍ରିକଙ୍କ ପାଖକୁ ଯିବାରୁ ସେ ଓଲଟା ତାଙ୍କ ଦ୍ୱିତୀୟ ପୁଅକୁ ବି ତନ୍ତ୍ରମନ୍ତ୍ର କରି ମାରିବାକୁ ଧମକ ଦେଇଥିଲେ। ପରେ ଏନେଇ ସେ ଥାନାରେ ଅଭିଯୋଗ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.