Below header

କନ୍ଧମାଳ ସଂସଦୀୟ କ୍ଷେତ୍ରରେ ରେଳପଥ ନିର୍ମାଣ ନେଇ ରେଲୱେ ବୋର୍ଡ ଅଧ୍ୟକ୍ଷଙ୍କୁ ଚିଠିରେ ନିର୍ଦ୍ଦେଶ

କେନ୍ୟୁଜ୍(ବ୍ୟୁରୋ):  କନ୍ଧମାଳ ସଂସଦୀୟ କ୍ଷେତ୍ରରେ ରେଳପଥ ନିର୍ମାଣ ନେଇ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତଙ୍କ କ୍ରମାଗତ ଦାବି ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ରେଲୱେ ବୋର୍ଡ ଅଧ୍ୟକ୍ଷଙ୍କୁ ଚିଠିରେ ନିର୍ଦ୍ଦେଶ । ଚଳିତ ଜୁଲାଇ ମାସ ୯ ତାରିଖରେ ରେଲୱେ ଷ୍ଟାଣ୍ଡିଂ କମିଟିର ଯୁଗ୍ମ ସମ୍ପାଦକ ପ୍ରସନଜିତ ସିଂ ବୋର୍ଡ ଅଧ୍ୟକ୍ଷ ତଥା ସିଇଓ ସୁମିତ ଶର୍ମାଙ୍କୁ ଚିଠି ଲେଖି କନ୍ଧମାଳବାସୀଙ୍କ ଏହି ଦୀର୍ଘ ଦିନର ଦାବି ସମ୍ପର୍କରେ ଅବଗତ କରାଇଛନ୍ତି।

ରେଳପଥ ନିର୍ମାଣ ପାଇଁ କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ କ୍ରମାଗତ ଦାବି କରିଆସୁଛନ୍ତି। ଏଥିସହ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ଐତିହାସିକ ଉତ୍କଳ ଆଗମନର ଶହେ ବର୍ଷ ପୂର୍ତ୍ତିକୁ ସ୍ମରଣୀୟ କରିବା ପାଇଁ କଟକ ରେଳ ଷ୍ଟେସନଠାରେ ଗାନ୍ଧିଜୀଙ୍କର ଏକ ପ୍ରତ୍ତିମୂର୍ତ୍ତି ନିର୍ମାଣ କରିବା, ରେଳ ବିଭାଗ ପକ୍ଷରୁ ରେଳବାଇ ଯାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ଖାଦ୍ୟ ସେବାରେ ମାଟି ନିର୍ମିତ ପାତ୍ର ଓ ଶାଳପତ୍ରର ବିନିଯୋଗ ଏବଂ ଦୁଗ୍ଧ ଜାତୀୟ ଦ୍ରବ୍ୟ ବ୍ୟବହାର ନିମନ୍ତେ ପ୍ରୋତ୍ସାହନ ଆଦି ସମ୍ବନ୍ଧରେ ସାଂସଦଙ୍କ ଦ୍ୱାରା ଦାବି ଉପସ୍ଥାପନ କରାଯାଇଥିଲା।

ଏହାପରେ କନ୍ଧମାଳ ଜିଲ୍ଲାରେ ରେଳପଥ ନିର୍ମାଣ କାର୍ଯ୍ୟ ତ୍ୱରାନ୍ଵିତ ହେବା ସହ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ସଂସଦରେ ବହୁବାର ଉପସ୍ଥାପିତ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଗୁଡିକ କାର୍ଯ୍ୟକାରୀ ହେବ ବୋଲି ଆଶା କରାଯାଉଛି। ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ ଏନେଇ ରେଲୱେ ଷ୍ଟାଣ୍ଡିଂ କମିଟିର ଯୁଗ୍ମ ସମ୍ପାଦକଙ୍କୁ ସାଧୁବାଦ ଜଣାଇବା ସହ ତୁରନ୍ତ ବିହିତ ପଦକ୍ଷେପ ଗ୍ରହଣ କରିବା ଲାଗି ଦାବି ଜଣାଇଛନ୍ତି।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.