ଅର୍ଥ ବିଭାଗର କଡ଼ା ଚିଠି, ତତ୍‌କ୍ଷଣାତ ଜରୁରୀ ନଥିଲେ ଟ୍ରେଜେରୀରୁ ଟଙ୍କା ଉଠାଣ ନାହିଁ

ବିଭିନ୍ନ ବ୍ୟାଙ୍କରେ ରହୁଛି ସରକାରୀ ଟଙ୍କା । ବଡ଼ ଧରଣର ଡିପୋଜିଟ୍‌ ରାଷ୍ଟ୍ରାୟତ୍ତ ବ୍ୟାଙ୍କରୁ ଘରୋଇ ବ୍ୟାଙ୍କକୁ ସ୍ଥାନାନ୍ତର ହେଉଥିବା ଅଭିଯୋଗ ହେଉଛି । ସରକାରୀ ଡିପୋଜିଟ୍‌ ବିବାଦ ପରେ କଠୋର ହୋଇଛି ରାଜ୍ୟ ଅର୍ଥ ବିଭାଗ । ଅର୍ଥ କେମିତି ଖର୍ଚ୍ଚ କରିବେ ବିଭିନ୍ନ ବରିଷ୍ଠ ପ୍ରଶାସନିକ ଅଧିକାରୀ ଓ ବିଭାଗୀୟ ମୁଖ୍ୟଙ୍କୁ କଡ଼ା ଚିଠି ଲେଖିଛନ୍ତି ଅର୍ଥ ବିଭାଗ ପ୍ରମୁଖ ସଚିବ ଅଶୋକ ମୀନା । ଏବେ ଆସନ୍ତୁ ଦେଖିବା ନିର୍ଦ୍ଦେଶନାମାରେ କ’ଣ ସବୁ ରହିଛି ।

ବିଭିନ୍ନ ବ୍ୟାଙ୍କରେ ସରକାରୀ ଟଙ୍କା ଡିପୋଜିଟ୍‌ ରଖିବା ପ୍ରସଙ୍ଗରେ କଠୋର ହେଲା ରାଜ୍ୟ ଅର୍ଥ ବିଭାଗ । ପ୍ରମୁଖ ସଚିବ ଅଶୋକ ମୀନାଙ୍କ କଡ଼ା ଚିଠି । ବିଭିନ୍ନ ବିଭାଗୀୟ ମୁଖ୍ୟଙ୍କୁ ଲେଖଛନ୍ତି । ଇଏ ହେଉଛି ଚିଠିର ନକଲ । ଯେଉଁଥିଲେ ଉଲ୍ଲେଖ ରହିଛି, ତତ୍‌କ୍ଷଣାତ ଜରୁରୀ ନଥିଲେ ଟ୍ରେଜେରୀରୁ ଟଙ୍କା କେହି ଉଠାଇ ପାରିବେ ନାହିଁ । ସେହିପରି ଅର୍ଥ ବିଭାଗର ବିନା ଅନୁମତିରେ ଟ୍ରେଜେରୀ ଟଙ୍କା ଘରୋଇ ବ୍ୟାଙ୍କକୁ ସ୍ଥାନାନ୍ତର ହେବନି । ସରକାରୀ ଖାତାରୁ ଟଙ୍କା ବାହାର କରିବା କିମ୍ବା ଅନ୍ୟ କେଉଁଠି ଡିପୋଜିଟ୍‌ କରିବାକୁ ଆଦୌ ଅନୁମତି ମିଳିବ ନାହିଁ । ବିଭିନ୍ନ ସମୟରେ ଦେଖାଯାଏ, ଧାର୍ଯ୍ୟ ସମୟରେ ଖର୍ଚ୍ଚ ହୋଇ ପାରି ନଥିବା ଆଳ ଦେଖାଇ ସରକାରୀ ଅନୁଦାନକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଏ । ଫଣ୍ଡ ଲାପ୍‌ସ ଭୟରେ ଅର୍ଥ ବିଭାଗର ବିନା ଅନୁମତିରେ ସରକାର ଅର୍ଥକୁ ଅନ୍ୟତ୍ର ସ୍ଥାନାନ୍ତର କରିବେ ନାହିଁ ବୋଲି ଚିଠିରେ ସ୍ପଷ୍ଟ ଉଲ୍ଲେଖ କରିଛନ୍ତି ଅଶୋକ ମୀନା । କାରଣ ଏବେ ବିଭିନ୍ନ ସରକାରୀ ଯୋଜନାରେ ହିତାଧିକାରୀ ଓ ଭେଣ୍ଡରଙ୍କୁ ସିଧାସଳଖ ବ୍ୟାଙ୍କ ଆକାଉଣ୍ଟରେ ଅର୍ଥ ଦିଆଯାଉଛି ।

ଯଦି ସେମିତି ତତକ୍ଷଣାତ ଅତ୍ୟାବଶ୍ୟକ ନାହିଁ ଡ୍ରଇଂ ଓ ଡିସବର୍ସିଂ ଅଫିସର ବା ଡିଡିଓମାନେ ଟ୍ରେଜେରୀରୁ ଟଙ୍କା ଉଠାଇ ପାରିବେ ନାହିଁ । ଅର୍ଥ ବିଭାଗର ନିୟମ ଓ ନିର୍ଦ୍ଦେଶନାମାର ଖିଲାପ କଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ । ଡିଡିଓଙ୍କ ବିରୋଧରେ ହେବ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ । ନିକଟରେ ଭିଜିଲାନ୍ସ ମାମଲାରେ ଗିରଫ ହୋଇଥିଲେ ଉଦ୍ୟାନ କୃଷି ବିଭାଗର ନିଲମ୍ବିତ ନିର୍ଦ୍ଦେଶକ ବିଜୟ କେତନ ଉପାଧ୍ୟାୟ । ତଦନ୍ତ ବେଳେ ଜଣା ପଡ଼ିଥିଲା ଉଦ୍ୟାନ କୃଷି ବିଭାଗର ଡିପୋଜିଟ୍‌ ଏକ ରାଷ୍ଟ୍ରାୟତ୍ତ ବ୍ୟାଙ୍କରୁ ଏକ ଘରୋଇ ବ୍ୟାଙ୍କକୁ ସ୍ଥାନାନ୍ତର କରାଯାଇଥିଲା । ସେହିପରି ଶ୍ରୀମନ୍ଦିର ଅର୍ଥ ବି ଘରୋଇ ବ୍ୟାଙ୍କରେ ଜମା ଥିବା ଜଣା ପଡ଼ିବା ପରେ ଦେଖାଦେଇଥିଲେ ବିବାଦ । ଏହାପରେ ସରକାରୀ ଅର୍ଥ କିଭଳି ଓ କେଉଁ ପ୍ରକ୍ରିୟାରେ ଖର୍ଚ୍ଚ କରିବେ ସେନେଇ ବିଭାଗୀୟ ମୁଖ୍ୟଙ୍କୁ ଚିଠି ଲେଖି ଅବଗତ କରାଇଛି ଅର୍ଥ ବିଭାଗ ।

ସେହିପରି ୨୦୧୯-୨୦ ଆର୍ଥିକ ବର୍ଷର ଖର୍ଚ୍ଚ ଚିଠା ମାର୍ଚ୍ଚ ୧୩ ତାରିଖ ସୁଦ୍ଧା ଦାଖଲ କରିବାକୁ ବିଭିନ୍ନ ବିଭାଗକୁ କହିଛି ଅର୍ଥ ବିଭାଗ । ତାପରେ ଆଉ ଗ୍ରହଣୀୟ ହେବ ନାହିଁ । ତ୍ରୁଟି ଥିଲେ ମାର୍ଚ୍ଚ ୧୮ ତାରିଖ ଭିତରେ ସଂଶୋଧନ କରି ଜମା କରିବାକୁ କହିଛି ଅର୍ଥ ବିଭାଗ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.