ପ୍ରଥମ ପର୍ଯ୍ୟାୟ ନିର୍ବାଚନ : କାଲି ୧୬୨୫ ପ୍ରାର୍ଥୀଙ୍କ ହେବ ଭାଗ୍ୟ ପରୀକ୍ଷା

ଗଣତନ୍ତ୍ର ମହାପର୍ବର ପ୍ରଥମ ପର୍ଯ୍ୟାୟ । ୧୮ ତମ ଲୋକସଭା ପାଇଁ କାଲି ହେବ ମତଦାନ । ୨୧ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୧୦୨ଟି ଲୋକସଭା ଆସନ ପାଇଁ ହେବ ଭୋଟିଂ ।

ଭୁବନେଶ୍ୱର(କେନ୍ୟୁଜ୍‌): ୨୦୨୪ ସାଧାରଣ ନିର୍ବାଚନ ପାଇଁ କାଲି ପ୍ରଥମ ପର୍ଯ୍ୟାୟ ମତଦାନ । ୧୦୨ଟି ଆସନରେ ୧୬୨୫ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ କରିବେ ୧୬କୋଟି ୬୩ ଲକ୍ଷ ଭୋଟର । ସକାଳ ୭ଟାରୁ ସଂଧ୍ୟା ୬ଟା ଯାଏ ପୋଲିଂ । ଏକଲକ୍ଷ ୮୭ ହଜାର ପୋଲିଂ ବୁଥରେ ନିର୍ବାଚନ ପରିଚାଳନାରେ ନିୟୋଜିତ ହୋଇଛନ୍ତି ୧୮ଲକ୍ଷ ପୋଲିଂ ଅଧିକାରୀ । କାଲି ୮କୋଟି ୪୦ଲକ୍ଷ ପୁରୁଷ ଭୋଟର ଓ ୮କୋଟି ୨୩ ଲକ୍ଷ ମହିଳା ଭୋଟର ନିଜ ମତାଧିକାର ସାବ୍ୟସ୍ତ କରିବେ ।

୮୫ବର୍ଷରୁ ଅଧିକ ବୟସ୍କ ଓ ଦିବ୍ୟାଙ୍ଗମାନେ ନିଜର ଭୋଟକୁ ଘରେ ଦେଇପାରିବାର ବ୍ୟବସ୍ଥା କରାଯାଇଛି । ନିର୍ବାଚନରେ ୪୧ ହେଲିକପ୍ ଟର, ୮୪ଟି ସ୍ବତନ୍ତ୍ର ଟ୍ରେନ ଏବଂ ଏକଲକ୍ଷ ଗାଡ଼ିକୁ ବ୍ୟବହାର କରାଯିବ । ଏହା ପୂର୍ବରୁ ଭୋଟିଂରେ ନିଜ ମତାଧିକାର ସାବ୍ୟସ୍ତ କରିବାକୁ ଭୋଟରଙ୍କୁ ଅପିଲ କରିଛନ୍ତି ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାର । ନିଜର ଅଧିକାର ସାବ୍ୟସ୍ତ କରିବାକୁ ଏହା ସ୍ବତନ୍ତ୍ର ଉତ୍ସବ ବୋଲି ସେ କହିଛନ୍ତି । ଗଣତନ୍ତ୍ରର ଏହି ମହାପର୍ବରେ ନିଜକୁ ସାମିଲ କରିବାକୁ ସେ ଅପିଲ କରିଛନ୍ତି ।

ସେପଟେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନିର୍ବାଚନ ଅଧିକାରୀ ମାନେ ବିଭିନ୍ନ ପୋଲିଂ ଷ୍ଟେସନରେ ପହଞ୍ଚିଛନ୍ତି । ଦୁର୍ଗମ, ଅଗମ୍ୟ ଅଞ୍ଚଳକୁ ଯାଇ ଭୋଟିଂ ପ୍ରକ୍ରିୟାକୁ ସ୍ବାଭାବିକ କରିବାକୁ ସେମାନେ ବହୁ ପରିଶ୍ରମ କରିଛନ୍ତି । ଅରୁଣାଚଳ ପ୍ରଦେଶରେ ଝୁଲା କାଠ ପୋଲ ପାର ହୋଇ ପୋଲିଂ ଅଧିକାରୀ ପହଞ୍ଚିଥିବା ବେଳେ ମିଜୋରାମରେ ନଦୀପାର ହୋଇ ବୁଥରେ ପହଞ୍ଚିଛନ୍ତି । ଲକ୍ଷାଦ୍ବୀପର କିଲତାନ ଦୀପକୁ ବୋଟରେ ଯାଇ ପହଞ୍ଚିଛନ୍ତି ପୋଲିଂ ଅଧିକାରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.