ୟୁପି: ଫ୍ଲାଏଓଭରରୁ ୨୫ ଫୁଟ୍‌ ତଳକୁ ଖସିଲା ଦ୍ରୁତ ଗତିରେ ଯାଉଥିବା ମର୍ସିଡିଜ୍‌, ୪ ଯୁବକ ଗୁରୁତର

ଉତ୍ତର ପ୍ରଦେଶର ହମିରପୁର ଜିଲ୍ଲାରେ ଭୟଙ୍କର ସଡ଼କ ଦୁର୍ଘଟଣା । ବୁନ୍ଦେଲଖଣ୍ଡ ଏକ୍ସପ୍ରେସ୍‌-ୱେରେ ଘଟିଛି ଏହି ଦୁର୍ଘଟଣା । ଜବଲପୁରରୁ ଦିଲ୍ଲୀ ଯାଉଥିବା ଏକ ମର୍ସିଡିଜ୍‌ କାର୍‌ ଫ୍ଲାଏଓଭରରୁ ୨୫ ଫୁଟ୍‌ ତଳକୁ ଖସି ପଡ଼ିଛି ।

ଉତ୍ତର ପ୍ରଦେଶର ହମିରପୁର ଜିଲ୍ଲାରେ ଭୟଙ୍କର ସଡ଼କ ଦୁର୍ଘଟଣା । ବୁନ୍ଦେଲଖଣ୍ଡ ଏକ୍ସପ୍ରେସ୍‌-ୱେରେ ଘଟିଛି ଏହି ଦୁର୍ଘଟଣା । ଜବଲପୁରରୁ ଦିଲ୍ଲୀ ଯାଉଥିବା ଏକ ମର୍ସିଡିଜ୍‌ କାର୍‌ ଫ୍ଲାଏଓଭରରୁ ୨୫ ଫୁଟ୍‌ ତଳକୁ ଖସି ପଡ଼ିଛି । କାର୍‌ରେ ୪ ଜଣ ଯୁବକ ଥିଲେ । ଦୁର୍ଘଟଣାରେ ସେମାନେ ଗୁରୁତର ଆହତ ହୋଇଛନ୍ତି । ପ୍ରାଥମିକ ଉପଚାର ପରେ ସେମାନଙ୍କୁ ଉରଇ ମେଡିକାଲ କଲେଜକୁ ରେଫର୍‌ କରି ଦିଆଯାଇଛି ।

ସୌଭାଗ୍ୟର କଥା, ଏୟାରବ୍ୟାଗ୍‌ ଖୋଲିଯିବାରୁ ମର୍ସିଡିଜରେ ଥିବା ୪ ଜଣ ଯୁବକଙ୍କ ଜୀବନ ରକ୍ଷା ପାଇଯାଇଛି । କିନ୍ତୁ ସେମାନଙ୍କୁ ଗମ୍ଭୀର ଆଘାତ ଲାଗିଛି । ବର୍ତ୍ତମାନ ସେମାନଙ୍କ ଚିକିତ୍ସା ଚାଲିଛି । ପୋଲିସ ଆହତମାନଙ୍କ ପରିବାର ଲୋକଙ୍କୁ ଦୁର୍ଘଟଣା ସମ୍ପର୍କରେ ଖବର ଦେଇଛି । ଏବେ ସେମାନେ ବିପଦମୁକ୍ତ ଥିବା ହସ୍ପିଟାଲ ପକ୍ଷରୁ କୁହାଯାଉଛି ।

ମିଳିଥିବା ସୂଚନା ମୁତାବକ, ରାଠ କୋତଓ୍ଵାଲି ଅଞ୍ଚଳର ଜଖେଡି ଗାଁ ନିକଟରେ ଆଜି ସକାଳ ୬ଟାରେ ଏହି ଦୁର୍ଘଟଣା ଘଟିଥିଲା । ଦିଲ୍ଲୀ ଆଡ଼କୁ ଯାଉଥିବା ଏକ ମର୍ସିଡିଜ୍‌ କାର୍‌ ଜଖେଡି ଗାଁର ଫ୍ଲାଏଓଭରରୁ ହଠାତ୍‌ ଭାରସାମ୍ୟ ହରାଇ ତଳକୁ ଖସି ପଡ଼ିଥିଲା । ତେବେ କାର୍‌ ଅନିୟନ୍ତ୍ରିତ ହେବା କ୍ଷଣି ଏହାର ଏୟାରବ୍ୟାଗ୍‌ ଖୋଲିଯାଇଥିଲା, ଯଦ୍ଦ୍ଵାରା କାର୍‌ରେ ଥିବା ଯୁବକମାନଙ୍କ ଜୀବନ ରକ୍ଷା ପାଇଯାଇଥିଲା ।

ଦୁର୍ଘଟଣା ସମ୍ପର୍କରେ ଖବର ମିଳିବା ପରେ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚିଥିଲା । ସମସ୍ତ ଆହତଙ୍କୁ ଆମ୍ବୁଲାନ୍ସ ସାହାଯ୍ୟରେ ରାଠ ସିଏଚ୍‌ସି ନିଆଯାଇଥିଲା । ସେଠାରୁ ସେମାନଙ୍କୁ ଉରଇ ସ୍ଥାନାନ୍ତର କରାଯାଇଛି । ଆହତ ଯୁବକମାନେ ହେଲେ, ଗୁଡଗାଁଓର ୨୫ ବର୍ଷୀୟ ନରେଶ ଏବଂ ଦିଲ୍ଲୀର ୨୮ ବର୍ଷୀୟ ସୁମିତ୍‌, ୩୨ ବର୍ଷୀୟ ଅବଦୁଲ୍‌ ମୁନାଫ୍‌ ଓ ୩୨ ବର୍ଷୀୟ ମଞ୍ଜିତ୍‌ ସିଂ । ଏହି ୪ ଜଣ ଜବଲପୁରରୁ ଦିଲ୍ଲୀ ଯାଉଥିଲେ । ରାସ୍ତାରେ ହମିରପୁର ନିକଟରେ ଦୁର୍ଘଟଣା ଘଟିଥିଲା ।

ସେପଟେ ଏହି ଦୁର୍ଘଟଣାରେ ମର୍ସିଡିଜ୍‌ କାର୍‌ଟି ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଛି । ପୋଲିସ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.