ଏମିତି ସରିଲା ମହାପ୍ରଭୁଙ୍କ ସ୍ନାନଯାତ୍ରା : ଆଜି ଭକ୍ତଙ୍କୁ ଖୋଜୁଥିଲା ଶୂନ୍ୟ ବଡ଼ଦାଣ୍ଡ, ନଥିଲା ହରିବୋଲ କି ହୁଳହୁଳି ଅବା ଜୟ ଜଗନ୍ନାଥର ଧ୍ୱନି

ପୁରୀ (କେ ନ୍ୟୁଜ୍‌) : ସ୍ନାନବେଦୀରେ ଆଜି ବସିଥିଲେ ଚତୁର୍ଦ୍ଧା ମୂରତି । ସେବାୟତ ରୀତିନୀତି ଅନୁସାରେ ଠାକୁରମାନଙ୍କୁ ସ୍ନାନ କରାଇଲେ । ହେଲେ ଭକ୍ତ ପ୍ରିୟ ଭଗବାନଙ୍କ ପାଇଁ ଆଜି ଯେମିତି ସବୁ କିଛି ଶୂନ୍ୟ ଥିଲା । ନା ବଡ଼ଦାଣ୍ଡରେ ପଡୁଥିଲା ହରିବୋଲ ହୁଳହୁଳି । ନା ଶୁଭୁଥିଲା ଜୟଜଗନ୍ନାଥର ଧ୍ୱନି । ପ୍ରାୟ ଅଢ଼େଇ ମାସ ପରେ ଆଖି ଦେଖିଲା ଚକା ନୟନକୁ । ହେଲେ ସ୍ୱଚକ୍ଷୁରେ ନୁହେଁ । ଟେଲିଭିଜନ୍ ଜରିଆରେ ।

ଘରେ ବସି ଦେଖୁଥିବା ଲୋକଙ୍କର ନଜର ଲାଖି ରହିଥିଲା ପରଦା ଉପରେ । ପ୍ରଥମ ଦେଖାରେ ହାତ ଯୋଡ଼ି ହୋଇଯାଇଥିଲା ସମସ୍ତଙ୍କର । ପାଟିରୁ ବାହାରି ଆସିଥିଲା ଜୟଜଗନ୍ନାଥ । ଟେଲିଭିଜନ୍‌ରୁ ଭାଷ୍ୟକାରଙ୍କ ସୁଲଳିତ ବର୍ଣ୍ଣନାର ସ୍ୱର ସିନା ଶୁଭୁଥିଲା ହେଲେ ଶୁଭୁ ନଥିଲା ଭକ୍ତଙ୍କ କୋଳାହଳ । ଦେଖିବାକୁ ମିଳିନଥିଲା ଶ୍ରଦ୍ଧାଳୁଙ୍କ ଭାବାବେଗ । ଧୂପ ଦୀପର ବାସ୍ନା ଚହଟୁ ନଥିଲା । ବୋଧହୁଏ ଏହା ମନର ଭ୍ରମ ହୋଇପାରେ । ହେଲେ ଭକ୍ତଙ୍କ ବିନା ମହାପ୍ରଭୁ ଯେମିତି ବିରସ ଲାଗୁଥିଲେ ।

BADADANDA-1ଗତକାଲି ରାତିରୁ ଚାଲିଥିଲା ପ୍ରଭୁଙ୍କ ନୀତିକାନ୍ତି । ଭୋର ସମୟରେ ପହଣ୍ଡିରେ ଆସି ରତ୍ନବେଦୀରୁ ସ୍ନାନବେଦୀରେ ପହଞ୍ଚିଥିଲେ । ପରମ୍ପରା ଅନୁସାରେ ସୁବାସିତ ଜଳରେ ସ୍ନାନ କରାଗଲ ସମସ୍ତଙ୍କୁ । ତା ପରେ ହାତୀ ବେଶରେ ଦର୍ଶନ ଦେଲେ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା । ସନ୍ଧ୍ୟାରେ ବାହୁଡ଼ିଗଲେ ମହାପ୍ରଭୁ । ଏବେ ଅସୁସ୍ଥତା ଯୋଗୁଁ ୧୪ ଦିନ ଅଣସର ଘରେ ରହି ସୁସ୍ଥ ହେବେ ।

JAGA-2କରୋନା ଆତଙ୍କ ଖାଲି ଆଜି ନୁହେଁ, ଆଗାମୀ ରଥଯାତ୍ରା, ସୁନାବେଶ, ନୀଳାଦ୍ରୀ ବିଜେ ସବୁ କିଛି ଉପରେ ଲଗାଇ ଦେଇଛି କଟକଣା । ତଥାପି ସରକାର ଓ ମନ୍ଦିର ପ୍ରଶାସନଙ୍କ ସହଯୋଗରେ ଲୋକେ ଛୋଟ ପରଦାରେ ମହାପ୍ରଭୁଙ୍କ ଲୀଳା ଖେଳା ଦେଖିବାକୁ ପାଉଛନ୍ତି ।

ଆଜି ସ୍ନାନଯାତ୍ରା ସରିଲା । ଏବେ ଭକ୍ତଙ୍କ ଅପେକ୍ଷା ଗୁଣ୍ଡିଚା ଯାତ୍ରାକୁ । କେମିତି ହେଉଛି ରଥ ଟଣା ? କିଭଳି ଭାବେ ଭାଇଭଉଣୀ ଯିବେ ମାଉସୀ ଘର ? ଆଉ ଫେରିବେ ବାହୁଡ଼ାକୁ । ଭକ୍ତ ମନରେ ତଥାପି ଆଶା କାଳେ ଆଗକୁ ସ୍ଥିତି ସୁଧୁରିବ । ରଥଯାତ୍ରାରେ ସାମିଲ ହୋଇ ପାରିବେ ? ଯାହା ଆଦୌ ଦମ୍ଭବ ଲାଗୁନି । ତେଣୁ କିଛି ଶ୍ରଦ୍ଧାଳୁ ତ ସେଇ ଗୀତଟି ଗାଉଛନ୍ତି ‘କାଳିଆ ତୁ କପଟିଆ କାଳିଆ ତୁ ଦଗା ଦିଆ’ । ହେଲେ ସେ ଭାବର ଠାକୁର କଣ ଯେ ଲୀଳା କରେ କେବଳ ତାକୁ ହିଁ ଜଣା । କିଏ ବୁଝିବ ତାର ମାୟାକୁ ?

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.