ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି ଜାଗରଯାତ୍ରା, ବିଭିନ୍ନ ଶୈବପୀଠରେ ଉଠିଲା ମହାଦୀପ

ଭୁବନେଶ୍ବର/ଚାନ୍ଦବାଲି(କେନ୍ଯୁଜ୍): ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିରରେ ଉଠିଲା ମହାଦୀପ । ବେଢା ପରିକ୍ରମା ପରେ ରାତି ୧୦ଟା ୨୦ ମିନିଟ୍ରେ ମହାଦୀପ ଉଠିଛି । ହରହର ମହାଦୀପ ଧ୍ୱନୀରେ କମ୍ପିଲା ଲିଙ୍ଗରାଜଙ୍କ ମନ୍ଦିର ପରିସର । ଶତାଧିକ ଶ୍ରଦ୍ଧାଳୁ ମହାଦୀପକୁ ଦର୍ଶନ କରିଛନ୍ତି ।
ଏପଟେ ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଜାଗରଯାତ୍ରା। ଭୋର ୫ଟାରେ ଉଠିଛି ମହାଦୀପ। ଭକ୍ତଙ୍କ ହରିବୋଲ ଓ ହୁଳୁହୁଳିରେ ପ୍ରକମ୍ପିତ ହୋଇଉଠିଥିଲା ସାରା ପରିବେଶ। ଭକ୍ତମାନେ ମଧ୍ୟ ବାବାଙ୍କ ଅପୂର୍ବ ସୁନାବେଶ ଦର୍ଶନ କରିଥିଲେ। ଚତୁର୍ଥ ପ୍ରହର ପୂଜା ସରିଲା ପରେ ମହାଦୀପ ପୂଜା ପ୍ରସ୍ତୁତି ଆରମ୍ଭ ହୋଇଥିଲା। ବାବା ସୁନାବେଶରେ ସଜ୍ଜିତ ହେଲା ପରେ ଷୋଡଶ ଉପଚାର ପୂଜାରେ ମହାଦୀପ ପୂଜା ହୋଇଥିଲା। ପରେ ପାଳିଆ ସେବକ ମହାଦୀପକୁ ମୁଣ୍ଡରେ ମୁଣ୍ଡାଇ ବେଢା ପରିକ୍ରମା କରିବା ପରେ ମନ୍ଦିର ଚୂଡ଼ାରେ ମହାଦୀପ ସ୍ଥାପନ କରାଯାଇଥିଲା। କରୋନା କଟକଣାରେ ଦର୍ଶନ ବ୍ୟବସ୍ଥା କରାଯାଇଥିବା ବେଳେ, ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ମୁତୟନ ହୋଇଥିଲେ।