ଓଡ଼ିଶା ଆସିଲା ସହିଦ୍ ଯବାନଙ୍କ ମରଶରୀର, ଗାଁରେ ଶୋକାକୁଳ ପରିବେଶ

କେନ୍ଦୁଝର (କେନ୍ଯୁଜ୍) : ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁରରେ ମାଓ ହମଲା । ମାଓବାଦୀଙ୍କ ଆଇଇଡି ବିସ୍ଫୋରଣରେ ୫ ଜଣ ସିଆରପିଏଫ ଯବାନ ସହିଦ ହୋଇଛନ୍ତି । ସହିଦ୍ଙ୍କ ମଧ୍ୟରେ ଅଛନ୍ତି ଜଣେ ଓଡ଼ିଆ ଯବାନ । କେନ୍ଦୁଝର ଆନନ୍ଦପୁରର ଯବାନ ବି. ଏମ୍. ବେହେରା ସହିଦ ହୋଇଛନ୍ତି । ସହିଦ୍ ଯବାନଙ୍କ ମରଶରୀର ଓଡ଼ିଶା ଅଣାଯାଇଛି । ଝାରସଗୁଡ଼ା ବିମାନ ବନ୍ଦରରେ ପହଞ୍ଚିଥିଲା ମରଶରୀର । ସେଠାରେ ଭୁବନେଶ୍ୱର ସିଆରପିଏଫ୍ ଅଫିସ୍ ଅଣାଯିବା ପରେ ତାଙ୍କ ଗାଁ ଆନନ୍ଦପୁର ନିଆଯିବ । ସେଠାରେ ସହିଦ୍ ଯବାନଙ୍କ ଶେଷକୃତ୍ୟ କରାଯିବ । ତେବେ ଯବାନଙ୍କ ମୃତ୍ୟୁକୁ ନେଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।
ଗତକାଲି ଦିନ ଗୋଟାଏ ବେଳେ ଆଓ୍ଵାପଲ୍ଲି, ମୁର୍ଦଣ୍ଡା ରାସ୍ତାରେ ଏହି ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଥିଲା । ମାଓବାଦୀମାନେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରି ସୁରକ୍ଷାକର୍ମୀ ଯାଉଥିବା ଏକ ବୁଲେଟ୍ଫ୍ରୁଫ୍ ଗାଡ଼ିକୁ ଉଡାଇ ଦେଇଥିଲେ । ଏଥିରେ ୩ ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି । ଆହତ ଯବାନଙ୍କୁ ହେଲିକପ୍ଟର ଯୋଗେ ଚିକତ୍ସା ଲାଗି ରାୟପୁର ସ୍ଥାନାନ୍ତର କରାଯାଇଛି । ଏହି ଘଟଣାରେ ପରେ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜୋରଦାର କରାଯାଇଛି ।