Below header

ପୁଣି ମୁଣ୍ଡ ଟେକୁଛି ମାନବବାଦ ସଂଗଠନ, କିଛି ସମର୍ଥନ ଓ ବେଶ୍‌ କିଛି ବିରୋଧ

ଖୋର୍ଦ୍ଧା ବ୍ଲକ ସହିତ ବେଗୁନିଆର କିଛି ଗାଁରେ ପୁଣି ଥରେ ମୁଣ୍ଡ ଟେକିଲେଣି ମାନବ ବାଦ ସଙ୍ଗଠନ ତଥା ଏହାର ମୁଖ୍ୟ ମାନସ ଦାସ ।

ଖୋର୍ଦ୍ଧା/ବେଗୁନିଆ : ଖୋର୍ଦ୍ଧା ବ୍ଲକ ସହିତ ବେଗୁନିଆର କିଛି ଗାଁରେ ପୁଣି ଥରେ ମୁଣ୍ଡ ଟେକିଲେଣି ମାନବ ବାଦ ସଙ୍ଗଠନ ତଥା ଏହାର ମୁଖ୍ୟ ମାନସ ଦାସ । ଦୁଇ ବର୍ଷ ତଳେ ଏହି ସଙ୍ଗଠନ ନାଁରେ ଆସିଥିଲା ବଡ଼ ଅଭିଯୋଗ । ଜଣେ ବ୍ଯକ୍ତିଙ୍କୁ ହତ୍ୟା ସହିତ ବିଭିନ୍ନ ଗାଁ ଲୋକଙ୍କୁ ନିର୍ଯାତନା ଦେବା ଅଭିଯୋଗ ହୋଇଥିଲା । ଏହାପରେ ସଙ୍ଗଠନର କିଛି ବ୍ଯକ୍ତି ଏବଂ ମାନସ ଦାସ ଓ ତାଙ୍କ ପୁଅ ଗିରଫ ହୋଇଥିଲେ । ଏବେ ଜେଲରୁ ସର୍ତ୍ତ ମୂଳକ ଜାମିନରେ ଆସିବା ପରେ ପୁଣିଥରେ ସଙ୍ଗଠନର ପ୍ରଚାର ଆରମ୍ଭ କରିଛନ୍ତି । ବାଙ୍ଗିଦା ଦଳିତ ସାହିରେ ଉତ୍କଳ ଦିବସ ଅବସରରେ ମାଳ ମାଳ ପୋଷ୍ଟର ଦେଖିବାକୁ ମିଳିଛି । କେବଳ ଖୋର୍ଦ୍ଧା ବ୍ଲକ ନୁହେଁ ବେଗୁନିଆ ବ୍ଲକର ଅନେକ ଗାଁରେ ପୋଷ୍ଟର ଲାଗିଛି ।

ସେହିପରି ବେଗୁନିଆ ବୋଲଗଡରେ ମଧ୍ୟ ପୁଣି ମୁଣ୍ଡ ଟେକିଲାଣି ବହୁଚର୍ଚ୍ଚିତ ମାନସ ଦାସଙ୍କ ମାନବବାଦ ସଂଗଠନ । ଗରିବ, ଦଳିତମାନଙ୍କୁ ସେମାନଙ୍କ ହକ୍‌ ଦେବାକୁ କହି ନିର୍ଯାତନା ଦେଉଥିବା ତାଙ୍କ ନାଁରେ ଅଭିଯୋଗ ହୋଇଥିଲା । ତେବେ ଜାମିନରେ ଆସିବା ପରେ ବିଭିନ୍ନ ଆଦିବାସୀ ସାହି ବସ୍ତିକୁ ଆସି ସଭା ସମିତି କରୁଥିବା ଚର୍ଚ୍ଚା ମଧ୍ୟ ହେଉଛି । ତେବେ ନିରୀହ ଆଦିବାସୀମାନଙ୍କୁ ଢାଲ କରି ଆଗାମୀ ୨୦୨୪ ନିର୍ବାଚନ ପାଇଁ ମାନସ ଦାସ ଏପରି ଅଭିନବ ଯୋଜନା ପ୍ରସ୍ତୁତ କରୁଥିବା କୁହା ଚର୍ଚ୍ଚା ହେଉଛି ।

୨୦୨୧ ମସିହାରେ ବେଗୁନିଆ ଅଭିମାନପୁର ଗାଁର ସତ୍ୟବ୍ରତ ନାୟକଙ୍କୁ ହତ୍ୟା କରି ପୋଡ଼ି ଦେବା ଏବଂ କଡବ ଗାଁର ଆନନ୍ଦ ନାୟକଙ୍କୁ ମାଡମରା ଆଦି ଭିଡିଓ ଭାଇରାଲ ହୋଇଥିଲା । ଏହା ସହିତ ଅନେକ ମାମଲା ତାଙ୍କ ନାଁରେ ଥିଲା । ଏଥିରେ ନିଜେ ମାନସ ଦାସ ପ୍ରତ୍ୟକ୍ଷ ସମ୍ପୃକ୍ତ ସହିତ ସଂଗଠନର ପ୍ରାୟ ପନ୍ଦର ଜଣରୁ ଅଧିକ କର୍ମୀ ଜେଲରେ ଥିଲେ । ତେବେ ପରବର୍ତ୍ତୀ ସମୟରେ ମାନସ ସର୍ତ୍ତମୂଳକ ଜାମିନ ପାଇଛନ୍ତି । କିଛି ଲୋକ ତାଙ୍କୁ ସମର୍ଥନ କରୁଥିବା ବେଳ ଆଉ କିଛି ତାଙ୍କୁ ବିରୋଧ କରୁଛନ୍ତି । ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି । ତେବେ ଏ ନେଇ ମାନସ ଦାସଙ୍କ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.