କାଲିଠାରୁ କନ୍ଧମାଳ ସଂସଦୀୟ କ୍ଷେତ୍ରରେ ସାଂସଦ ମେଗା ସ୍ୱାସ୍ଥ୍ୟ ଶିବିର କରୁଛି କିମ୍ସ୍, ୨୦ଟି ବ୍ଲକର ବିଭିନ୍ନ ପଞ୍ଚାୟତ ହେବ ସାମିଲ

କେନ୍ୟୁଜ୍(ବ୍ୟୁରୋ): କିମ୍ସ ଭୁବନେଶ୍ୱର ପକ୍ଷରୁ କନ୍ଧମାଳ ସଂସଦୀୟ କ୍ଷେତ୍ର କନ୍ଧମାଳ, ବୌଦ୍ଧ, ନୟାଗଡ଼ ଓ ଗଞ୍ଜାମ ଜିଲ୍ଲାରେ ଆସନ୍ତାକାଲିଠାରୁ ସାଂସଦ ମେଗା ସ୍ୱାସ୍ଥ୍ୟ ଶିବିର ମାଗଣା ଔଷଧ ବଣ୍ଟନ କାର୍ଯ୍ୟକ୍ରମ ପୁନର୍ବାର ଆରମ୍ଭ ହେଉଛି । କନ୍ଧମାଳ, ବୌଦ୍ଧ, ନୟାଗଡ଼ ଓ ଗଞ୍ଜାମ ଜିଲ୍ଲାରେ ଥିବା ୨୦ଟି ବ୍ଲକର ବିଭିନ୍ନ ପଞ୍ଚାୟତରେ ଏହି ସ୍ୱାସ୍ଥ୍ୟ ଶିବିର ଓ ମାଗଣା ଔଷଧ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

ପୂର୍ବରୁ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ପରାମର୍ଶ କ୍ରମେ କିମ୍ସ ପକ୍ଷରୁ କନ୍ଧମାଳ ସଂସଦୀୟ କ୍ଷେତ୍ରର ବିଭିନ୍ନ ଅଞ୍ଚଳରେ ମାଗଣା ସ୍ୱାସ୍ଥ୍ୟ ଶିବିର ସହ ମାଗଣା ଔଷଧ ବଣ୍ଟନ କାର୍ଯ୍ୟକ୍ରମ ନିରନ୍ତର ଚାଲି ଆସୁଥିଲେ ମଧ୍ୟ କୋଭିଡ୍‌ ମହାମାରୀ ଯୋଗୁଁ ଏହା ସ୍ଥଗିତ ରହିଥିଲା ।

ପୁନର୍ବାର ସ୍ୱାସ୍ଥ୍ୟ ଶିବିର ଚାଲୁ କରିବା ପାଇଁ ଡ. ସାମନ୍ତ ପରାମର୍ଶ ଦେବା ପରେ ୨୭ ତାରିଖରୁ ଏହା ପୁନର୍ବାର ଆରମ୍ଭ କରାଯିବା ନେଇ କିମ୍ସ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ପ୍ରଥମ ପର୍ଯ୍ୟାୟରେ ୨୦ଟି ବ୍ଲକରେ ଏହା ଆରମ୍ଭ କରାଯିବ । ଏଥିରେ କିମ୍ସ-ଭୁବନେଶ୍ୱରର ଅଭିଜ୍ଞ ଡାକ୍ତର ଓ ବିଶେଷଜ୍ଞ ତଥା ସ୍ୱାସ୍ଥ୍ୟକର୍ମୀ ଯୋଗଦେଇ ରୋଗୀମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ମାଗଣା ଔଷଧ ବଣ୍ଟନ କରିବେ ।