ଆସନ୍ତାକାଲି ରାଜ୍ୟ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ, ମନ୍ତ୍ରିମଣ୍ଡଳରେ କାହାକୁ ମିଳିବ ସ୍ଥାନ ?

କେନ୍ୟୁଜ୍(ବ୍ୟୁରୋ): ଆଜି ଓଡ଼ିଶା ଫେରୁଛନ୍ତି ରାଜ୍ୟପାଳ । ଆସନ୍ତାକାଲି ରାଜ୍ୟ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ । ଶପଥ ନେବେ ୩ ନୂଆ ମନ୍ତ୍ରୀ । ସେମାନଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇବେ ରାଜ୍ୟପାଳ । ଆସନ୍ତାକାଲି ସକାଳ ୯ଟାରୁ ୧୦ଟା ମଧ୍ୟରେ ଲୋକସେବା ଭବନରେ ନୂଆ ସମ୍ମିଳନୀ ଗୃହରେ ନୂଆ ମନ୍ତ୍ରୀମାନଙ୍କୁ ରାଜ୍ୟପାଳ ପଦ ଓ ଗୋପନୀୟତାର ଶପଥପାଠ କରାଇବେ । ଏଥିପାଇଁ ସଂସଦୀୟ ବ୍ୟାପାର ପକ୍ଷରୁ ପ୍ରସ୍ତୁତି ଚାଲିଛି । ମନ୍ତ୍ରିମଣ୍ଡଳରେ କାହାକୁ ମିଳିବ ସ୍ଥାନ ? ବିଜେଡି ବିଧାୟକଙ୍କ ଭିତରେ ଉତ୍କଣ୍ଠା ବଢିଛି । ଏବେ ଫୋନ୍‌ କଲ୍‌କୁ ସମସ୍ତଙ୍କର ଅପେକ୍ଷା ରହିଛି । ନବ ଦାସଙ୍କୁ ହତ୍ୟା ପରେ ସ୍ୱାସ୍ଥ୍ୟ ମନ୍ତ୍ରୀ ପଦ ଖାଲି ପଡ଼ିଥିଲା । ଏହି ବିଭାଗର ଦାୟିତ୍ୱ ତୁଲାଉଛନ୍ତି ନିରଞ୍ଜନ ପୂଜାରୀ ।

ସେହିପରି ଗଣଶିକ୍ଷା ମନ୍ତ୍ରୀ ପଦରୁ ସମୀର ରଞ୍ଜନ ଦାଶ ଓ ଶ୍ରମ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଶ୍ରୀକାନ୍ତ ସାହୁ । ଗଣଶିକ୍ଷା ଓ ଶ୍ରମ ବିଭାଗ ଦାୟିତ୍ୱ ସମ୍ଭାଳୁଛନ୍ତି ପ୍ରମିଳା ମଲ୍ଲିକ । ତେଣୁ ସମ୍ଭାବ୍ୟ ସମ୍ପ୍ରସାରଣରେ ଏହି ୩ ପଦରେ ନୂଆ ମନ୍ତ୍ରୀ ସ୍ଥାନ ପାଇପାରନ୍ତି । … ନୂଆ ମନ୍ତ୍ରୀ ରେସରେ ଢେଙ୍କାନାଳ ଜିଲ୍ଲାରୁ ସୁଧୀର ସାମଲ ଅଛନ୍ତି । ଉପକୂଳରୁ ଦେବୀ ମିଶ୍ର, ପ୍ରଶାନ୍ତ ମୁଦୁଲି ଓ ଉମା ସାମନ୍ତରାୟଙ୍କ ନାଁକୁ ନେଇ ଚର୍ଚ୍ଚା । ସେହିପରି ମନ୍ତ୍ରୀଶୂନ୍ୟ ଜିଲ୍ଲାକୁ ଫୋକସ୍‌ କଲେ ପଶ୍ଚିମ ଓଡ଼ିଶାରୁ ସାରଦା ନାୟକ, ଦୀପାଳି ଦାସଙ୍କ ସମେତ ଚମ୍ପୁଆ ବିଧାୟିକା ମିନାକ୍ଷୀ ମହନ୍ତଙ୍କୁ ନେଇ ଚର୍ଚ୍ଚା ହେଉଛି । ଦକ୍ଷିଣରୁ ବିକ୍ରମ କେଶରୀ ଆରୁଖ କିମ୍ବା ଲତିକା ପ୍ରଧାନଙ୍କ ମଧ୍ୟରୁ ଜଣଙ୍କୁ ମିଳିପାରେ ମନ୍ତ୍ରୀ ପଦ । ସେହିପରି ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ବି ରେସରେ ଅଛନ୍ତି ।

ଅନ୍ୟପଟେ କିଏ ହେବେ ବିଧାନସଭାର ନୂଆ ବାଚସ୍ପତି । ବିକ୍ରମ କେଶରୀ ଆରୁଖ ବାଚସ୍ପଚି ପଦରୁ ଇସ୍ତଫା ଦେଇଥିଲେ । ରେସରେ ଅଛନ୍ତି ଉଷା ଦେବୀ, ସ୍ନେହାଙ୍ଗିନୀ ଛୁରିଆ, ନିରଞ୍ଜନ ପୂଜାରୀ, ବଦ୍ରି ନାରାୟଣ ପାତ୍ର, ପ୍ରଫୁଲ୍ଲ ସାମଲ, ଶଶିଭୂଷଣ ବେହେରା ପ୍ରମୁଖଙ୍କ ନାଁ । ଏସବୁ ଆକଳନ ଭିତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାହାକୁ ମନ୍ତ୍ରୀ ପଦ ଦେବେ ତାଉପରେ ସମସ୍ତଙ୍କର ନଜର ରହିଛି । .

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.