ଟ୍ବିନ ସିଟିରେ ଦାଦାବଟି ଥମିବା ବେଳେ ବ୍ରହ୍ମପୁରରେ ସକ୍ରିୟ ହେଲେ ଦାଦା, ବଟି ନ ଦେବାରୁ ଭାଇ ଭଉଣୀଙ୍କୁ କଲେ ଆକ୍ରମଣ

ବ୍ରହ୍ମପୁର(କେନ୍ୟୁଜ୍): ବ୍ରହ୍ମପୁର ବଡ଼ ବଜାର ଥାନା ଅନ୍ତର୍ଗତ ଲକ୍ଷ୍ମୀ ନୃସିଂହ ସାହି ତୃତୀୟ ଲାଇନରେ ଗୁଣ୍ଡାଙ୍କ ଆତଙ୍କ । ଦାଦାବଟି ନ ଦେବାରୁ ଭାଇ ଭଉଣୀ ଦୁଇ ଜଣଙ୍କୁ ଖଣ୍ଡାରେ ହାଣିଲେ । ଉଭୟ ଗୁରୁତର ଆହତ ହୋଇ ଏମକେସିଜି ମେଡିକାଲରେ ଭର୍ତି ହୋଇଥିବା ଜଣାପଡିଛି । ଆହତ ଦୁଇ ଜଣ ହେଲେ କାଳିଆ ପାତ୍ର ଓ ତାଙ୍କ ଭଉଣୀ । କାଳିଆ ଜଣେ ଛୋଟ ବ୍ୟବସାୟୀ । ଗତ କାଲି  ମଧ୍ୟାହ୍ନରେ ସେମାନେ କାଳିଆ ଘର ନିକଟରେ ଥିବା ବେଳେ ଦୁଇଟି ବାଇକରେ ଆସିଥିଲେ ୫ ଜଣ ଯୁବକ। ମାଉଜର ଦେଖାଇ ବାଇକରେ ବସିବାକୁ କହିଥିଲେ କାଳିଆକୁ । କାଳିଆ ମନା କରିବାରୁ ପାଖରେ ରଖିଥିବା ଖଣ୍ଡା ବାହାର କରି ଆକ୍ରମଣ କରିଥିଲେ। ଏହି ସମୟରେ ତାଙ୍କ ଭଉଣୀ ଦେଖି କାଳିଆଙ୍କୁ ରକ୍ଷା କରିବାକୁ ଯିବା ବେଳେ ଦୁର୍ବୃତ୍ତ ମାନେ ତାଙ୍କୁ ବି ଆକ୍ରମଣ କରିଥିଲେ। ଫଳରେ ଉଭୟ ଗୁରୁତର ଆହତ ହୋଇଥିଲେ।

miscreant attacks

ଗତ କିଛି ଦିନ ହେଲା ଜଣେ ଦୁର୍ବୃତ୍ତ ଲକ୍ଷ୍ମୀ ନୃସିଂହ ଅଞ୍ଚଳରେ ବାରମ୍ବାର କାଳିଆଙ୍କୁ ମୋବାଇଲରେ କଲ କରିବା ସହ ୧୦ ହଜାର ଟଙ୍କା ଦେବାକୁ ଧମକ ଦେଇଆସୁଥିଲା । ଟଙ୍କା ନ ଦେବାରୁ ଆକ୍ରମଣ ଧମକ ଦେଇଆସୁଥିଲା ଦୁର୍ବୃତ୍ତ । ଏଭଳିକି ବଟି ନ ଦେଲେ ଅବସ୍ଥା ସେହି ଅଞ୍ଚଳର ଅନ୍ୟ ଜଣଙ୍କ ଭଳି ହେବ ବୋଲି ମଧ୍ୟ ମୋବାଇଲରେ ଧମକ ଦେଇଥିଲା । ସେପଟେ ଏନେଇ ବଡ଼ ବଜାର ଥାନା ପୋଲିସ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି  । ତେବେ ଭୁବନେଶ୍ୱର କଟକ ଭଳି ସହରରେ  ଦାଦାବଟିକୁ ନେଇ କମିଶନରେଟ ପୋଲିସ କଡା ପଦକ୍ଷେପ ନେଇଥିବା ବେଳେ ବ୍ରହ୍ମପୁର ପୋଲିସ ଏଦିଗରେ କଣ ପଦକ୍ଷେପ ନେଉଛି ତାହା  ଦେଖିବାକୁ ବାକି ରହିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.