ହଜିଲା ପୁଅକୁ ଖୋଜି ଆଣିଲା କେନ୍ୟୁଜ, ଧନ୍ୟବାଦ ଓ ଆଶୀର୍ବାଦ ଦେଲେ ପରିବାର ଲୋକେ

କେନ୍ଦୁଝର (କେନ୍ୟୁଜ) : ଗରିବ ଘରେ ଖେଳି ଯାଇଛି ଖୁସିର ପରିବେଶ । କାରଣ ଛଅ ବର୍ଷ ତଳେ ହଜି ଯାଇଥିବା ପୁଅ ଫେରିଛି ଘରକୁ । ତେଣୁ ବାପା ମା, ଭାଇ ଭଉଣୀ ସମସ୍ତେ ଭାରି ଖୁସି । ୨୦୧୬ ମସିହାରେ ମାତ୍ର ୧୦ ବର୍ଷ ବୟସରେ ପୁଅ ହଜି ଯାଇଥିଲା । ବହୁତ ଖୋଜିବା ପରେ ବି ମିଳିଲାନି । ଥାନାରେ ଏତଲା ଦେଲେ । ତଥାପି ପୁଅର କିଛି ଖୋଜ ଖବର ପାଇଲେନି ଘର ଲୋକେ । ପୁଅ ଆଉ ଫେରିବ ବୋଲି ଆଶା ନଥିଲା । ହେଲେ କିଛି ଦିନ ତଳେ କେନ୍ୟୁଜରେ ପୁଅର ଖବର ଦେଖି ଚିନ୍ତାରେ ପଡ଼ିଗଲେ । ପାଟିରୁ ବାହାରିଲା, ଆରେ ଇଏ ତ ଆମ ପୁଅ । ତେଣୁ ଘସିପୁରା ଥାନା ପୋଲିସ୍ ଜରିଆରେ କେନ୍ୟୁଜ୍ ଏବଂ ପିଲାଟିକୁ ରଖା ଯାଇଥିବା ଚାଇଲଡ୍ ଲାଇନ୍ ସହିତ ଯୋଗାଯୋଗ କରି ପୁଅକୁ ଫେରି ପାଇଛନ୍ତି ।

କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଘସିପୁରା ଥାନା ଅନ୍ତର୍ଗତ ଶାଳପଡା ନୂଆ କଲୋନୀରେ ରୁହନ୍ତି ସୁରେନ୍ଦ୍ର ସ୍ୱାଇଁଙ୍କ ପରିବାର । ତାଙ୍କ ସାନପୁଅ ହେଉଛି ପିଣ୍ଟୁ । ୨୦୧୬ ମସିହା ନଭେମ୍ବର ମାସ ୧୦ ତାରିଖରେ ସେ କେଉଁଆଡ଼େ ନିଖୋଜ ହୋଇଯାଇଥିଲା । ସେତେବେଳକୁ ପିଣ୍ଟୁକୁ ହୋଇଥିଲା ମାତ୍ର ୧୦ବର୍ଷ ବୟସ। ନିଖୋଜ ହେବାର କିଛିଦିନ ପୂର୍ବରୁ ପିଣ୍ଟୁ ମାନସିକ ରୋଗରେ ଆକ୍ରାନ୍ତ ହୋଇଥିଲା ବୋଲି ପରିବାର ଲୋକ କୁହନ୍ତି । ସେହି ଦିନ ସେ ୨୦ନଂ ଜାତୀୟ ରାଜପଥର ବାରିଗାଁ ନିକଟରୁ କୁଆଡେ ପଳାଇ ଯାଇଥିଲା।

ଏ ଘଟଣା ଥିଲା କିଛି ଏମିତି । ପିଲାଟି କିଛି ଦିନ ହେଲା ଚନ୍ଦ୍ରକା ଦାରୁଠେଙ୍ଗ ଅଞ୍ଚଳରେ ବୁଲୁଥିଲା । ନିରୀହ ବାଳକଟିକୁ ଦେଖଇ ଲୋକଙ୍କର ଦୟା ହେଲା । ସେମାନେ ତାକୁ ଖାଇବା ପିଇବା ଠାରୁ ଆରମ୍ଭ କରି ପୋଷାକପତ୍ର ମଧ୍ୟ ଦେଉଥିଲେ । ସେ କଥା କହି ପାରୁନଥିବାରୁ ତା ବିଷୟରେ କେହି କିଛି ଜାଣି ପାରିଲେ ନାହିଁ । କିଏ କହିଲା ସେ ଓଡ଼ିଆ ତ ଆଉ କିଏ କହିଲା ପିଲାଟି ଅଣଓଡ଼ିଆ । ଏମିତିରେ କିଛି ଦିନ ବିତିଯିବା ପରେ ସେହି ଅଞ୍ଚଳର ବାସିନ୍ଦା କେନ୍ୟୁଜର କର୍ମଚାରୀ ଅଜୟ ମୁଦୁଲିଙ୍କ ନିକଟରେ ଏହି ଖବର ପହଞ୍ଚିବାରୁ ସେ ଅଫିସ୍‌କୁ ଜଣାଇଥିଲେ । ପରେ କେନ୍ୟୁଜ୍ ରିପୋର୍ଟର ରାଜା ସେଠାରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହଯୋଗରେ ପିଲା ବିଷୟରେ ଚନ୍ଦକା ଥାନାକୁ ଜଣାଇଲେ । ଏହାପରେ ପିଲାଟିକୁ ଚାଇଲଡ୍ ଲାଇନ୍‌କୁ ନିଆଯାଇଥିଲା । ସେଠାରେ ତାର ଚିକିତ୍ସା କରାଯିବା ସହ ତାର ଯତ୍ନ ମଧ୍ୟନିଆଗଲା । ତେବେ ଏହି ଖବରଟି କେନ୍ୟୁଜ୍‌ରେ ପ୍ରସାରଣ ହେବା ପରେ ଏହାକୁ ସୁରେନ୍ଦ୍ର ସ୍ୱାଇଁଙ୍କ ପରିବାର ଲୋକେ ଦେଖି ଆମ ଆନନ୍ଦପୁର ରିପୋର୍ଟର ସ୍ୱପ୍ନେଶ୍ୱର ପଣ୍ଡାଙ୍କୁ ଯୋଗାଯୋଗ କରିଥିଲେ ।

childଏହାପରେ ସୁରେନ୍ଦ୍ରଙ୍କ ପରିବାର ଭୁବନେଶ୍ୱର ଆସି ପିଲାକୁ ଚିହ୍ନଟ ମଧ୍ୟ କରିଥିଲେ । ତେବେ ତା ଭିତରେ ଆଉ କିଛି ବିଭ୍ରାନ୍ତି ସୃଷ୍ଟି ହେଲା । କାରଣ ତାମିଲନାଡୁରେ କାମ କରୁଥିବା ଏକ ବିହାରୀ ପରିବାର ମଧ୍ୟ ଦାବି କଲା ଯେ ପିଲାଟି ତାଙ୍କର ବୋଲି । ଅବଶ୍ୟ ସେମାନେ ଆସି ଭୁବନେଶ୍ୱରରେ ପହଞ୍ଚି ଜାଣି ପାରିଲେ ଯେ ପିଲା ତାଙ୍କର ନୁହେଁ । ସେହିପରି ଅନ୍ୟ କେତୋଟି ସ୍ଥାନରୁ ମଧ୍ୟ ପିଲାଟି ତାଙ୍କର କହି କେତେକ ଲୋକ ଯୋଗାଯୋଗ କରିଥିଲେ । ତେଣୁ କିଛି ସମସ୍ୟା ସୃଷ୍ଟି ହୋଇଥିଲା । ତେବେ ପରେ ସୁରେନ୍ଦ୍ରଙ୍କ ପରିବାର ଲୋକେ ଉପଯୁକ୍ତ ପ୍ରମାଣ ଦେଇ ତାଙ୍କ ପୁଅ ପିଣ୍ଟୁକୁ ଭୁବନେଶ୍ୱର ସ୍ଥିତ ଚାଇଲଡ୍ ଲାଇନ୍‌ରୁ ନେଇଛନ୍ତି । ତେବେ ପିଣ୍ଟୁର ମାନସିକ ଅବସ୍ଥା ଭଲ ନାହିଁ । ଯଦି ଉପଯୁକ୍ତ ଚିକିତ୍ସା କରାଯାଏ ତାହାହେଲେ ପିଲାଟି ସୁସ୍ଥ ହୋଇଯିବ ନିଶ୍ଚୟ । ଆଶା କରୁଛୁ, ଏଥିରେ ସ୍ଥାନୀୟ ପ୍ରଶାସନ ଏବଂ କୌଣସି ବଦାନ୍ୟ ବ୍ୟକ୍ତି କିମ୍ବା ସଂଗଠନ ସହାୟତାର ହାତ ବଢ଼ାଇବେ ।

ସତରେ, ଆମେ ଯେତେବେଳେ କୌଣସି ଅସହାୟଙ୍କ ଖବର ପ୍ରସାରଣ କରୁ କିମ୍ବା କାହାକୁ ସହାୟତା ଦରକାର ବୋଲି ଆପଣମାନଙ୍କୁ ଜଣାଉ ଆପଣମାନେ ସେମାନଙ୍କୁ ସାହାଯ୍ୟ କରନ୍ତି । ଅନେକ ଲୋକ ଏଭଳି ଭାବେ ଉପକୃତ ହୋଇଛନ୍ତି । ଆଉ ଏଥିପାଇଁ କେନ୍ୟୁଜ୍‌କୁ ବହୁତ ଆଶୀର୍ବାଦ ଓ ଭଲ ପାଇବା ମିଳିଛି । ଏବେ ପିଣ୍ଟୁକୁ ତାଙ୍କ ଘରଲୋକ ପାଇବା ପରେ ସେହିଭଳି ଆଶୀର୍ବାଦ ମିଳିଛି ଆମକୁ । ଏହା ଖୁବ୍ ଖୁସି ଦେିଛି ଆମକୁ । ଆଗକୁ କେନ୍ୟୁଜ୍ ତାର ଏଭଳି ନେତିକ ଦାୟିତ୍ୱ ତୁଲାଇ ଚାଲିବ । ଆଉ ଆମେ ଆପଣମାନଙ୍କ ସାହାଯ୍ୟ ସହଯୋଗ କାମନା କରିବୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.