Below header

ଦଶ ବର୍ଷ ତଳେ ନିଶା ଖୁଆଇ ଝିଅକୁ ଅପହରଣ କରିଥିଲେ ସମ୍ପର୍କୀୟ, ଏବେ ୨୧ ବର୍ଷର ହୋଇ ଘରକୁ ଫେରିଲା ଝିଅ; ଥାନାରେ ମାମଲା ରୁଜୁ କଲେ ପରିବାର

ରେଢାଖୋଲ(କେନ୍ୟୁଜ ବ୍ୟୁରୋ) : ରେଢାଖୋଲ ବ୍ଲକ ଅନ୍ତର୍ଗତ ଲୁହାପଙ୍କ ଗ୍ରାମ ପଞ୍ଚାୟତର ଖରସାଳୀ ଗ୍ରାମର ଆଦିବାସୀ ଝିଅ ସବିତା କିଶାନ । ବୟସ ୨୧ ବର୍ଷ । ୧୦ ବର୍ଷ ତଳେ ରେଢାଖୋଲ ହାଟକୁ ଯାଇଥିବା ବେଳେ ଜଣେ ସଂପର୍କୀୟ ବିନୋଦିନୀ ତାଙ୍କୁ ନିଶା ଖୁଆଇ ନେଇଯାଇଥିଲା । ସେ ଗୋପାଳ ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ବିକ୍ରି କରି ଦେଇଥିବା ଅଭିଯୋଗ ହୋଇଛି । ଆଉ ଗୋପାଳ ସାହୁ ନିଜ ପରିବାର ସହ ୧୧ ବର୍ଷ ବୟସର ସବିତାକୁ ନେଇ ତାମିଲନାଡୁ ଚାଲି ଯାଇଥିଲେ । ସେ ସମୟରେ ପରିବାର ଲୋକେ ବହୁ ଖୋଜାଖୁଜି କରିବା ପରେ ନ ପାଇବାରୁ ଚୁପ୍ ହୋଇ ରହିଗଲେ । ତେବେ ଭୟରେ ପୋଲିସ୍‌ରେ ଜଣାଇଲେ ନାହିଁ ।

ସବିତାର କହିବା ଅନୁସାରେ ଅନ୍ୟ ଚାରିଜଣ ଝିଅଙ୍କ ସହ ଗୋପାଳ ତାଙ୍କୁ ତାମିଲନାଡୁର କୌଣସି ଏକ ଜାଗାରେ ରଖି କାମ କରାଉଥିଲେ । ପ୍ରଥମେ ଭଲ ବ୍ୟବହାର କଲେ ଓ ପରେ ନିର୍ଯାତନା ଦେଉଥିଲେ । କେବେ ବାହାରକୁ ଛାଡୁ ନଥିଲେ । ଏମିତି ସେଠାରେ ଦଶ ବର୍ଷ ବିତିଗଲା । କିଛି ଦିନ ତଳେ ଗୋପାଳ ଅସୁସ୍ଥ ହୋଇ ପଡ଼ିବାରୁ ସମସ୍ତେ ଓଡ଼ିଶା ଫେରି ଆସିଲେ । ଗୋପାଳଙ୍କ ଘର ହେଉଛି ସୋନପୁର ସ୍ଥିତ କଳାପଥର ଠାରେ । ଗତ ଶୁକ୍ରବାର ଦିନ ତାଙ୍କର ମୃତ୍ୟୁ ହୋଇଗଲା । ଏହା ପରେ ଗୋପାଳଙ୍କ ମା ସବିତାକୁ ଘରକୁ ଫେରିଯିବାକୁ କହିଲେ । କେବଳ ରେଢ଼ାଖୋଲ ପାଖରେ ତାଙ୍କ ଗାଁ ବୋଲି ସବିତା ଜାଣିଥିଲେ ଏବଂ ଜଣେ ବ୍ୟକ୍ତିଙ୍କ ସହଯୋଗରେ ଆସି ଘରେ ପହଞ୍ଚିଲେ ।

SABITA

ଏହା ଭିତରେ ସବିତାଙ୍କ ମା’ର ଦେହାନ୍ତ ହୋଇ ସାରିଛି । ତେବେ ତାର ଭାଇ ଭାଉଜ ତାଙ୍କୁ ଚିହ୍ନି ପାରି ଘରେ ରଖିଛନ୍ତି । ସବିତା ଫେରି ଆସିଥିବାରୁ ସମସ୍ତେ ଖୁସି । ତେବେ ସେମାନେ ଅପହରଣ କରିଥିବା ବିନୋଦିନୀଙ୍କ ବିରୋଧରେ ଥାନାରେ ଅଭିଯୋଗ ମଧ୍ୟ କରିଛନ୍ତି । ତାଙ୍କ ଦଣ୍ଡ ଦେବାକୁ ଦାବି କରିଛନ୍ତି । ପୋଲିସ୍‌ ଘଟଣାର ତଦନ୍ତ କରୁଥିବା ରେଢ଼ାଖୋଲ ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.