ସ୍କୁଟି ଚଢ଼ିବେ ମିଶନ ଶକ୍ତି ମହିଳା, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ମିଶନ ଶକ୍ତି ସ୍କୁଟର ଯୋଜନାର ଶୁଭାରମ୍ଭ । ଲୋକସେବା ଭବନ କନଭେନସେଣ୍ଟରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ମିଶନ ଶକ୍ତି ସ୍କୁଟର ଯାେଜନାକୁ ଅନୁମୋଦନ ମିଳିଥିଲା ।

ଭୁବନେଶ୍ୱର (କେନ୍ୟୁଜ): ସଶକ୍ତ ମହିଳା । ସଶକ୍ତ ଓଡ଼ିଶା । ଗତିଶୀଳତା ହିଁ ସଶକ୍ତିକରଣ । ମିଶନ ଶକ୍ତି ସ୍କୁଟର ଯୋଜନାର ଶୁଭାରମ୍ଭ । ଲୋକସେବା ଭବନ କନଭେନସେଣ୍ଟରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଛନ୍ତି । ବିଏଲଏଫ ଓ ଡିଏଲଏଫଙ୍କ ପାଇଁ କରାଯାଇଛି ଗାଡି ବ୍ୟବସ୍ଥା । ୧୫ ହଜାର ମାଆଙ୍କୁ ସ୍କୁଟର ପ୍ରଦାନ କରାଯାଇଛି । ଏହି ଅବସରରେ ରାଜ୍ୟବାସୀଙ୍କୁ ଉଦବୋଧନ ଦେଇ କହିଛନ୍ତି, ଗତି ହିଁ ଶକ୍ତି । ସ୍କୁଟର ଯୋଜନା ମାଆଙ୍କ ଗତିକୁ ଶକ୍ତିଶାଳୀ କରିଛି । ଓଡ଼ିଶା ପାଇଁ ମାଆମାନେ ଆଣିଛନ୍ତି ନୂଆ ଗତି, ଶକ୍ତି ଓ ପ୍ରଗତୀ ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ମହିଳା ସଶକ୍ତିକରଣରେ ଆଜିର ଦିନ ଗୁରୁତ୍ବପୂର୍ଣ୍ଣ । ମାଆମାନେ ଭଲ କାମ କରୁଛନ୍ତି । ୧୫ ହଜାର ମାଆଙ୍କୁ ସ୍କୁଟର ଦିଆଯାଇଛି । ଆଗାମୀ ଦିନରେ ୨ ଲକ୍ଷ ମାଆ ସ୍କୁଟର ପାଇବେ ।’ କାର୍ଯ୍ୟକ୍ରମରେ ମା’ ମାନଙ୍କୁ ପ୍ରସଂଶା କରିଛନ୍ତି ମିଶନଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ । ସେ କହିଛନ୍ତି, ‘ଆଜି ଏକ ଯୁଗାନ୍ତକାରୀ ପଦକ୍ଷେପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରଥମ ପର୍ଯ୍ୟାୟରେ ୧୫ ହଜାର ମାଆ ସ୍କୁଟର ନେଇଛନ୍ତି । ଆଗକୁ ୨ ଲକ୍ଷ ମିଶନ ଶକ୍ତି ସଦସ୍ୟାଙ୍କୁ ଏହି ସ୍କୁଟର ମିଳିବ ।

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ମିଶନ ଶକ୍ତି ସ୍କୁଟର ଯାେଜନାକୁ ଅନୁମୋଦନ ମିଳିଥିଲା । ମହିଳା ସଶକ୍ତିକରଣ ସାଙ୍ଗକୁ ଗମନାଗମନ ସୁବିଧା ପାଇଁ ମିଶନ ଶକ୍ତି ସ୍କୁଟର ଯୋଜନା କରାଯାଇଛି । କମ୍ୟୁନିଟି ସପୋର୍ଟ ଷ୍ଟାଫ ଏବଂ ଇସି ସଦସ୍ୟାମାନଙ୍କ ପାଇଁ ବୈଦ୍ୟୁତିକ ସ୍କୁଟର ପାଇଁ ସହାୟତା ଯୋଗାଇ ଦିଆଯିବ ।

ଏହି ଯୋଜନା ଅଧିନରେ ସ୍କୁଟର କ୍ରୟ ପାଇଁ ବ୍ୟାଙ୍କ ଋଣ ଉପରେ ସମ୍ପୂର୍ଣ୍ଣ ସୁଧ ରିହାତି ପ୍ରସ୍ତାବ ଦିଆଯାଇଛି । ଦକ୍ଷତା ବୃଦ୍ଧି ତାଲିମ, ଜୀବିକା ପ୍ରୋତ୍ସାହନ ଏବଂ ବଜାର ସଂଯୋଗୀକରଣ ଦିଗରେ ଗୁରୁତ୍ବପୂର୍ଣ୍ଣ ସେବା ଯୋଗାଇ ଦେଉଛନ୍ତି । ରାଜ୍ୟରେ ମହିଳା ସଶକ୍ତିକରଣ ଦିଗରେ ସେମାନଙ୍କର ଅବଦାନକୁ ସୀକୃତି ଦେବା ସହ ସେମାନଙ୍କୁ ନିଜ କାର୍ଯ୍ୟ ତୁଲାଇବାକୁ ଆହୁରି ସୁଗମ କରିବା ପାଇଁ ରାଜ୍ୟ ସରକାର ସ୍କୁଟର କିଣିବା ଉପରେ ଋଣର ସୁଦ୍ଧ ଛାଡ଼ ଘୋଷଣା କରାଯାଇଛି । ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ଦିଆଯିବ । ଏଥିପାଇଁ ଚଳିତ ଆର୍ଥିକ ବର୍ଷରେ ୫୦ କୋଟି ଟଙ୍କାର ବଜେଟ ଆବଣ୍ଟନ ପ୍ରସ୍ତାବ ରଖାଯାଇଛି । ମିଶନ ଶକ୍ତି ମା’ଙ୍କୁ ଗତବର୍ଷ ୧୧ ହଜାର କୋଟି ଟଙ୍କାର ଋଣ ଦିଆଯାଇଛି । ୨୫୦ କୋଟିରୁ ଅଧିକ ଟଙ୍କାର ସୁଧ ପ୍ରଦାନ କରାଯାଇଛି ।

ବର୍ତ୍ତମାନ ରାଜ୍ୟରେ ୭୫ ହଜାର କମ୍ୟୁନିଟି ସପୋର୍ଟ ଷ୍ଟାଫ୍ କାର୍ଯ୍ୟରତ ଅଛନ୍ତି । ସେହିପରି ୧ ଲକ୍ଷ ୨୫ ହଜାର ଗ୍ରାମ ପଞ୍ଚାୟତ, ୱାର୍ଡ, ବ୍ଲକ୍, ସଦର ଏବଂ ଜିଲ୍ଲାସ୍ତରୀୟ ମହାସଂଘର କାର୍ଯ୍ୟନିର୍ବାହୀ ସଦସ୍ୟା ଅଛନ୍ତି । ସରକାରଙ୍କ ‘ମିଶନ ଶକ୍ତି ସ୍କୁଟର ଯୋଜନା’ ରେ ଏମାନେ ଉପକୃତ ହେବେ । ଉକ୍ତ ଯୋଜନା ପାଇଁ ଆଗାମୀ ୫ ବର୍ଷ ମଧ୍ୟରେ ୫୨୮.୫୫ କୋଟି ଟଙ୍କାର ବଜେଟ୍ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.