Below header

ତାଳଚେରରେ ମୋଦି : ଜୟ ଜଗନ୍ନାଥ ଓ ଜୟ ମା ହିଙ୍ଗୁଳାରୁ ଆରମ୍ଭ କଲେ ଉଦବୋଧନ, ଆୟୁଷ୍ମାନ ଭାରତରେ ସାମିଲ ପାଇଁ ନବୀନଙ୍କୁ ନିମନ୍ତ୍ରଣ

ତାଳଚେର/ମନୁଗୁଳ (କେନ୍ୟୁଜ୍) : ଓଡ଼ିଶା ହେଉଛି ପୂର୍ବ ଭାରତର ବିକାଶ କ୍ଷେତ୍ର । ତାଳଚେରର ବିକାଶ, ନୂଆ ଓଡ଼ିଶାର ବିକାଶ ଗାଥା କହିବ । ତାଳଚେରରେ ସାଧାରଣ ସଭାରେ ଯୋଗ ଦେଇ ଏକଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ କହିଛନ୍ତି, ବିକାଶ ଦିଗରେ ପୂର୍ବ ସରକାରଙ୍କ ଆଭିମୁଖ୍ୟ ଠିକ୍‌ ନ ଥିଲା । ନିଜ ଅଭିଭାଷଣରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର ସଫଳତା କଥା ବଖାଣିଛନ୍ତି ପ୍ରଧାନମନ୍ତ୍ରୀ । ଜନଧନ ଯୋଜନା ଓ ସ୍ୱଚ୍ଛ ଭାରତ ଅଭିଯାନ ଉପରେ ଗୁରୁତ୍ୱ ଦେଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, କେନ୍ଦ୍ର ସରକାରଙ୍କ ଏହି ଯୋଜନାରେ ଓଡ଼ିଶା ଆଗକୁ ବଢୁଛି । ରାଜ୍ୟକୁ ପୂର୍ଣ୍ଣ ସ୍ୱଚ୍ଛତା କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଆହ୍ଵାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ସେହିପରି ନିଜ ଅଭିଭାଷଣରେ ପ୍ରଧାନମନ୍ତ୍ରୀ କେନ୍ଦ୍ରର ଆୟୁଷ୍ମାନ ଭାରତ ଯୋଜନା ଓ ଏହାର ଉପକାରିତା ଉପରେ ଆଲୋକପାତ କରିଛନ୍ତି । ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିଛନ୍ତି ପ୍ରଧାନମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କୁ ନିଜର ମିତ୍ର ବୋଲି ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ।

ମୋଦି କହିଛନ୍ତି, ଉଜ୍ଜ୍ୱଳା ଯୋଜନାରେ ଏଲ୍‌ପିଜି ସଂଯୋଗ ଦ୍ୱାରା ଓଡ଼ିଶାର ମହିଳାମାନେ ଉପକୃତ ହୋଇଛନ୍ତି । ଏହାବ୍ୟତୀତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସଫଳତା କଥା କହିଥିଲେ ପ୍ରଧାନମନ୍ତ୍ରୀ । ଭାରତ ମାତା, ଜୟ ଜଗନ୍ନାଥ ଓ ଜୟ ମାଆ ହିଙ୍ଗୁଳା କହି ତାଳଚେର ସାଧାରଣ ସଭାରେ ଉଦବୋଧନ ଆରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ।

ମୋଦି କହିଥିଲେ, କଳା ହୀରାର ମାଟିକୁ ମୋର ପ୍ରଣାମ । ଢେଙ୍କାନାଳର ସଂଗ୍ରାମୀ ମାଟିକୁ ଆସି ଗର୍ବ ଅନୁଭବ କରୁଛି । ଓଡ଼ିଶାବାସୀଙ୍କ ଭଲ ପାଇବା ମୋ ପାଇଁ ଆଶୀର୍ବାଦ । ଶେଷରେ ନୂଆ ଓଡ଼ିଶାର ସ୍ୱପ୍ନକୁ ମିଳିମିଶି ପୂରଣ କରିବାକୁ ତାଳଚେର ସଭାରେ ଆହ୍ଵାନ ଦେଇଥିଲେ ପ୍ରଧାନମନ୍ତ୍ରୀ । ସେ କହିଛନ୍ତି, କେନ୍ଦ୍ର ସରକାର ଓଡ଼ିଶା ସହିତ ଅଛନ୍ତି । ତେବେ ନିଜ ଅଭିଭାଷଣରେ ରାଜ୍ୟ ସରକାରଙ୍କୁ କଟାକ୍ଷ କରିବାକୁ ପଛାଇ ନାହାନ୍ତି ମୋଦି । ଟଙ୍କିକିଆ ଚାଉଳ ପ୍ରସଙ୍ଗ ଉଠାଇ ଏଭଳି କହିଛନ୍ତି । ଶେଷରେ ତିନି ଥର ଜୟଜଗନ୍ନାଥ କହି ଅଭିଭାଷଣ ସମାପ୍ତ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.