Below header

ଫୋକସରେ ମୟୂରଭଞ୍ଜ, ଦିନକ ପରେ ବାରିପଦା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଭୁବନେଶ୍ବର : ଖୋର୍ଦ୍ଧା ପରେ ମୟୂରଭଞ୍ଜ । ୫ରେ ପ୍ରଧାନମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ ନେଇ ଚାଲିଛି ପ୍ରସ୍ତୁତି । ଚଳଚଞ୍ଚଳ ରାଜ୍ୟ ବିଜେପି ଶିବିର । ବିଜେପି ଫୋକସରେ ମୟୂରଭଞ୍ଜ କାହିଁକି ? ଆଦିବାସୀବହୁଳ ଅଞ୍ଚଳ ମୟୂରଭଞ୍ଜ ଜିଲ୍ଲାରେ ଗତ ପଞ୍ଚାୟତ ନିର୍ବାଚନରେ କ୍ଲିନସୁଇପ୍‌ କରିଥିଲା ବିଜେପି। ହେଲେ ଗତ ମାସରେ ବିଜାତଳା ଜିଲ୍ଲା ପରିଷଦ ଉପନିର୍ବାଚନରେ ମଉଳିଲା ପଦ୍ମ । ବିଜେଡି ପ୍ରାର୍ଥୀ ୪ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଛି । ପୂର୍ବରୁ ମଧ୍ୟ ମୟୂରଭଞ୍ଜ ଲୋକସଭା ଆସନରେ ସଫଳତା ପାଇଛି ବିଜେପି। ୧୯୯୮, ୧୯୯୯ ମସିହାରେ ବିଜେପିର ସାଲଖାନ ମୁର୍ମୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ମୟୂରଭଞ୍ଜ ଜିଲ୍ଲାରେ ରହିଛି ମୋଟ୍‌ ୯ଟି ବିଧାନସଭା ଆସନ ।

୨୦୦୦ ମସିହାରେ ୬ଟି, ୨୦୦୪ରେ ୫ଟି ଆସନରେ ବିଜୟୀ ହୋଇଥିଲା ବିଜେପି । କିନ୍ତୁ ତା’ ପରେ ମୟୂରଭଂଜରେ ଜିଲ୍ଲାରେ ଖାତା ଖୋଲିପାରିନି ଦଳ । ଏବେ ଜିଲ୍ଲାର ମୋଟ ୯ଟି ବିଧାନସଭା ସିଟ୍‌ ଓ ଲୋକସଭା ଆସନ ବିଜେଡି କବଜାରେ । ୨୦୧୪ ନିର୍ବାଚନରେ ବିଜେଡି ପ୍ରାର୍ଥୀ ରାମଚନ୍ଦ୍ର ହାଁସଦା ସାଂସଦ ଭାବେ ବିଜୟୀ ହୋଇଥିଲେ । ନବଦିଗନ୍ତ ଚିଟଫଣ୍ଡ ମାମଲାରେ ୪ ବର୍ଷ ଧରି ଜେଲରେ ରହିବା ପରେ ରାମଚନ୍ଦ୍ର ହାଁସଦା କିଛି ଦିନ ତଳେ ଜାମିନରେ ମୁକୁଳିଛନ୍ତି । ଖୋର୍ଦ୍ଧାରେ ଚିଟ୍‌ଫଣ୍ଡ ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ ମୋଦି । ବାରିପଦା ସଭାରେ ଏହି ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ପୁଣି ଟାର୍ଗେଟ କରିପାରନ୍ତି ପ୍ରଧାନମନ୍ତ୍ରୀ ।

ଗତ ପଞ୍ଚାୟତ ନିର୍ବାଚନରେ ସଫଳତାକୁ ଆଉ ଧରି ରଖିପାରିନି ବିଜେପି । ବିଜେପୁର ଠାରୁ ବିଜାତଳା ଯାଏଁ ସବୁଠି ଉପନିର୍ବାଚନରେ ହାରିଛି ବିଜେପି । ସେପଟେ ମୋଦିଙ୍କ ଗସ୍ତର କିଛି ପ୍ରଭାବ ପଡ଼ିବ ନାହିଁ ବୋଲି ବିଜେଡି କହିଛି ।  ଖୋର୍ଦ୍ଧାରେ ପ୍ରଧାନମନ୍ତ୍ରୀ ଭାଷଣରେ ନବୀନଙ୍କ ନାଁ ସିଧାସଳଖ ନେଇନଥିଲେ । କେବଳ ରାଜ୍ୟ ସରକାରଙ୍କ କିଛି ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଥିଲେ । ଯାହା ବିଜେପି କର୍ମୀଙ୍କୁ ନିରାଶ କରିଥିଲା। ଏବେ ମୋଦିଙ୍କର କଣ ରହିବ ଆଭିମୁଖ୍ୟ ତା ଉପରେ ରହିଛି ନଜର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.