Below header

ଏବର୍ଷ ଦେଶରେ ହେବ ସ୍ୱାଭାବିକଠାରୁ କମ୍‌ ମୌସୁମୀ ବର୍ଷା

ମୌସୁମୀ ଋତୁରେ ଏବର୍ଷ ସ୍ୱାଭାବିକଠାରୁ କମ୍‌ ବର୍ଷା ହେବ। ଏଲନିନୋ ପ୍ରଭାବରେ କମିବ ବର୍ଷା। ଏଭଳି ଆକଳନ କରିଛି ଘରୋଇ ପାଣିପାଗ ବିଭାଗ ସ୍କାଏମେଟ୍‌। ସ୍ୱାଭାବିକଠାରୁ କମ୍‌ ବର୍ଷା ହେବା ନେଇ ୫୫ ପ୍ରତିଶତ ଆଶଙ୍କା ରହିଛି। ଅର୍ଥାତ୍‌ ଦେଶରେ ଏବର୍ଷ ୯୦ରୁ ୯୫ ପ୍ରତିଶତ ବୃଷ୍ଟିପାତ ହୋଇପାରେ। ଜୁନ୍‌ରୁ ସେପ୍ଟେମ୍ବରରେ ଲଙ୍ଗ୍‌ ପିରିୟଡ୍‌ ଆଭରେଜ୍‌ ବା ଏଲପିଏରେ ବର୍ଷା ପରିମାଣ ୯୩ ପ୍ରତିଶତ ରହିବ ବୋଲି କହିଛି ସ୍କାଏମେଟ୍‌। ସ୍ୱାଭାବିକ ବୃଷ୍ଟିପାତର ସମ୍ଭାବନା ମାତ୍ର ୩୦ ପ୍ରତିଶତ। ୧୫ ପ୍ରତିଶତ ମରୁଡ଼ି ପୂର୍ବାନୁମାନ କରିଛି ସ୍କାଏମେଟ୍‌। ଜୁନ୍‌ରୁ ସେପ୍ଟେମ୍ବର ମୌସୁମୀ ସମୟରେ ଓଡ଼ିଶା, ଛତିଶଗଡ଼ ସମେତ ଆନ୍ଧ୍ରପ୍ରଦେଶର ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକରେ ସ୍ୱାଭାବିକ ବର୍ଷା ନେଇ ପୂର୍ବାନୁମାନ କରିଛି ସ୍କାଏମେଟ୍‌। ତେଣୁ ଓଡ଼ିଶା ପାଇଁ ବିପତ୍ତିର ଆଶଙ୍କା ନାହିଁ।

କିନ୍ତୁ ପୂର୍ବ ଭାରତ ଓ କେନ୍ଦ୍ରୀୟ ଅଞ୍ଚଳ ବିଶେଷ କରି ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନାର କିଛି ଅଞ୍ଚଳରେ ମରୁଡ଼ି ଆଶଙ୍କା ରହିଛି। ସାଧାରଣତଃ ଜୁନ୍‌ ମାସରେ ୧୬୪ ମିଲିମିଟର ବର୍ଷା ରେକର୍ଡ କରାଯାଇଥାଏ। ସ୍କାଏମେଟ୍‌ ଆକଳନ ଅନୁସାରେ, ଏବର୍ଷ ଏହି ପରିମାଣ ୧୨୬ ମିଲିମିଟରକୁ କମିପାରେ। ଜୁଲାଇରେ ୨୮୯ ମିଲିମିଟର ସ୍ଥାନରେ ୨୬୩ ମିଲିମିଟର, ଅଗଷ୍ଟରେ ୨୬୧ ମିଲିମିଟର ସ୍ଥାନରେ ୨୬୬ ଓ ସେପ୍ଟେମ୍ବରରେ ୧୭୩ ମିଲିମିଟର ସ୍ଥାନରେ ୧୭୧ ମିଲିମିଟର ବର୍ଷା ସମ୍ଭାବନା ରହୁଥିବା କହିଛି ସ୍କାଏମେଟ୍‌। ବିଶେଷ କରି ଜୁନ୍‌ ଓ ଜୁଲାଇ ମାସରେ ସ୍ୱାଭାବିକଠାରୁ କମ୍‌ ବର୍ଷା ବର୍ଷା ଚାଷୀକୂଳ ପାଇଁ ଭଲ ଖବର ହୋଇ ନପାରେ।

ସ୍କାଏମେଟ୍‌ କହିଛି, ଏଲନିନୋ ପ୍ରଭାବ ଯୋଗୁ ଏବର୍ଷ ସ୍ୱାଭାବିକଠାରୁ କମ୍‌ ବୃଷ୍ଟିପାତ ହୋଇପାରେ। କାରଣ ପ୍ରଶାନ୍ତ ମହାସାଗର ସ୍ୱାଭାବିକଠାରୁ ଅଧିକ ଉତ୍ତପ୍ତ ରହିଛି। ତେଣୁ ଏଲନିନୋ ସମ୍ଭାବନା ଅଧିକ ରହୁଛି। ଯାହାର ପ୍ରଭାବ ପଡ଼ିବ ମୌସୁମୀ ବର୍ଷା ଉପରେ। ମାର୍ଚ୍ଚରୁ ମେ ମାସ ଭିତରେ ଏଲନିନୋର ପ୍ରଭାବ ପଡ଼ିବାର ୮୦ ପ୍ରତିଶତ ସମ୍ଭାବନା ରହିଛି। ତେବେ ଜୁନ୍‌-ଅଗଷ୍ଟରେ ଏଲନିନୋ ପ୍ରଭାବ ୬୦ ପ୍ରତିଶତକୁ ଖସିବ। ତେଣୁ ମୌସୁମୀ ବର୍ଷା ସ୍ୱାଭାବିକଠାରୁ କମ୍‌ ହେବ। ଏଲପିଏରେ ୯୦ରୁ ୯୫ ପ୍ରତିଶତ ବର୍ଷାକୁ ସ୍ୱାଭାବିକଠାରୁ କମ୍‌ ତାଲିକାଭୁକ୍ତ କରାଯାଉଛି। ସାଧାରଣତଃ ୯୬ ପ୍ରତିଶତ କିମ୍ବା ତାଠୁ ୫ପ୍ରତିଶତ ଅଧିକ ବର୍ଷା ହେଲେ ଏହାକୁ ସ୍ୱାଭାବିକ ମୌସୁମୀ ବର୍ଷା ବୋଲି କୁହାଯାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.