Below header

ଆଗକୁ ପ୍ରଳୟ ଆଣିବ ମହାମାରୀ କରୋନା,ପ୍ରତିଦିନ ଅଢେଇ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହେବେ

କେନ୍ୟୁଜ୍(ବ୍ୟୁରୋ): କରୋନା ଭାଇରସ୍‌ର ଝଲକ ଦେଖୁଛି ଭାରତ । ଆଗକୁ ଝଡ଼ ଆସୁଛି । ୨୦୨୧ ଶୀତ ଋତୁ ଶେଷ ଆଡ଼କୁ ପ୍ରତିଦିନ ୨ ଲକ୍ଷ ୮୭ ହଜାର ଲୋକ ସଂକ୍ରମିତ ହେଉଥିବେ । ଛାତି ଥରିଲା ଭଳି ଏମିତି ଭବିଷ୍ୟବାଣୀ କରିଛି ମାସାଚୁସେଟ୍‌ସ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି । ୮୪ଟି ଦେଶର ତଥ୍ୟକୁ ବିଶ୍ଲେଷଣ କରି ସଂସ୍ଥାର ବିଶେଷଜ୍ଞମାନେ ଏଭଳି ଆକଳନ କରିଛନ୍ତି। କେବଳ ଭାରତ ନୁହେଁ, ବିଶ୍ୱର ଆହୁରି ଅନେକ ଦେଶରେ ସ୍ଥିତି ଅସମ୍ଭାଳ ହେବ । ଆମେରିକା, ଦକ୍ଷିଣ ଆଫ୍ରିକା, ଇରାନ୍‌, ଇଣ୍ଡୋନେସିଆ, ଇଂଲଣ୍ଡ, ନାଇଜେରିଆ, ତୁର୍କୀ, ଫ୍ରାନ୍ସ, ଜର୍ମାନୀ ଆଦି ଦେଶରେ ଭାଇରସ୍‌ର ସୁନାମୀ ଆସିବ। ତେବେ ଟିକା ଏବଂ ଚିକିତ୍ସା ପାଇଁ ଯଦି କୌଣସି ନିର୍ଦ୍ଦିଷ୍ଟ ଔଷଧ ବିକଶିତ ହୋଇନଥାଏ, ତାହାଲେ ସଂକ୍ରମଣ ଉଛୁଳିବ ବୋଲି ସଂସ୍ଥା କହିଛି। ଏପଟେ ୨୩୯ ଜଣ ବୈଜ୍ଞାନିକଙ୍କ ଦାବି ପରେ କରୋନା ବାୟୁ ବାହକ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏକ ପ୍ରକାର ମାନି ନେଇଛି। ପବନରେ ସଂକ୍ରମଣ ବ୍ୟାପିଲେ ଆଗକୁ ପ୍ରଳୟର ଆଶଂକା ରହିଛି।

 ନିକଟରେ କରୋନା ଭାଇରସ୍‌ର ଅନ୍ତ ହେବା ଭଳି କୌଣସି ଆଭାସ ମଧ୍ୟ ଦେଖିବାକୁ ମିଳୁନି। ଯଦିଓ ୟୁରୋପ ଓ ଆମେରିକାରେ ମୃତ୍ୟୁ ହାର କମିଛି, ତଥାପି ପ୍ରତିଦିନ ସଂକ୍ରମଣ ଲମ୍ବା ଲମ୍ଫ ମାରୁଛି । ଗତ ୨୪ ଘଣ୍ଟାରେ ସାରା ବିଶ୍ୱରେ ୨ ଲକ୍ଷ ୮ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆମେରିକାରେ ୫୫ ହଜାର, ବ୍ରାଜିଲ୍‌ରେ ୪୮ ହଜାର ଲୋକ ସଂକ୍ରମିତ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ଭାରତରେ ସଂକ୍ରମିତ ହୋଇଛନ୍ତି ୨୨ ହଜାର ୭୫୨ ଜଣ । ଏହାକୁ ମିଶାଇ ଦେଶର ଆକ୍ରାନ୍ତ ସଂଖ୍ୟା ୭ ଲକ୍ଷ ୪୨ ହଜାର ୪୧୭ରେ ପହଞ୍ଚିଛି। ଏହି ସମୟ ଭିତରେ ୪୮୨ ଜୀବନ ନେଇଛି ମହାମାରୀ। ଦେଶର ମୃତ୍ୟୁ ସଂଖ୍ୟା ହୋଇଛି ୨୦ହଜାର ୬୪୨ । ତେବେ ଭାରତ ପାଇଁ ବଡ଼ ଆଶ୍ୱାସନା ହେଉଛି, ଆରୋଗ୍ୟ ହାର ଦ୍ରୁତ ଭାବେ ଆଗକୁ ବଢୁଛି। ଏଯାଏଁ ୪ ଲକ୍ଷ ୫୬ ହଜାର ୮୩୧ ଜଣ ସୁସ୍ଥ ହୋଇ ସାରିଲେଣି। ଆକ୍ଟିଭ୍‌ କେସ୍‌ ରହିଛି ୧ ଲକ୍ଷ ୯୧ ହଜାର ୮୮୬ । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ମୁତାବକ, ଏପର୍ଯ୍ୟନ୍ତ ବିଶ୍ୱ ସଂକ୍ରମଣ ହାରଠାରୁ ବହୁ ପଛରେ ରହିଛି ଭାରତ । ଭାରତରେ ପ୍ରତି ୧୦ ଲକ୍ଷରେ ୫୦୫ ଜଣ ସଂକ୍ରମିତ ହେଉଥିବା ବେଳେ ବିଶ୍ୱର ଏହି ହାର ରହିଛି ୧ ହଜାର ୪୫୩ ।

ସାରା ବିଶ୍ୱରେ କୋଟିଏ ୨୦ ଲକ୍ଷ ଲୋକ ଆକ୍ରାନ୍ତ ହେଲେଣି । ପ୍ରାୟ ସାଢେ ୫ ଲକ୍ଷ ଜୀବନ ନେଲାଣି ମହାମାରୀ । କିନ୍ତୁ ଭାଇରସ୍‌ର ଉତ୍ସ କେଉଁଠି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରୁନି । ଚଳିତ ସପ୍ତାହର ଶେଷ ଆଡ଼କୁ ଏହାର ଅନୁଧ୍ୟାନ ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏକ ପ୍ରତିନିଧି ଦଳ ଚୀନ୍‌ ଯିବ ବୋଳି କହିଛନ୍ତି WHO ମୁଖ୍ୟ ଟେଡ୍ରସ୍‌ ଆଧାନୋମ ଘେବ୍ରିୟସ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.