ପୁଅକୁ ବଞ୍ଚାଇବା ପାଇଁ ତାର ଚିକିତ୍ସା କରିବାକୁ ବାପା ମାଆ ବିକୁଛନ୍ତି ଗୁପଚୁପ୍‌

କଟକ (କେନ୍ୟୁଜ) : ଏ ରୋଗ କେତେବେଳେ ଯେ କାହାକୁ ମାଡି ବସିବ ତାହା କେହି ଜାଣିନାହାଁନ୍ତି। ଆଉ ଏ ରୋଗ ଦେଖେନି କିଏ ଧନୀ କିଏ ଗରିବ। ବାସ୍‌ ସେ ତ ମାଡିବସିବ, କିନ୍ତୁ ବିଚରା ଦହଗଞ୍ଜ ହେବେ ରୋଗରେ ଆକ୍ରାନ୍ତ ଗରିବ ଅସହାୟ ବ୍ୟକ୍ତି। ଜୀବନ କେତେବେଳେ ଯେ କାହାର ବଦଳିିଯିବ ଆଉ କିଏ ଆସି କେଉଁ ପରିସ୍ଥିତିରେ ଛିଡା ହେବ ସେ କଥା କେହି ଜାଣନ୍ତିନି। ଆଜି ଯିଏ ହସି ହସି ଜୀବନକୁ ଏଞ୍ଜୟ କରୁଛି କାଲି ସିଏ ଜୀବନ ସହ କରୁଛି ସଂଗ୍ରାମ। ଏଇ ଯେମିତି ଏ ବ୍ୟକ୍ତି। ବୟସ ମାତ୍ର ୪୦ ବର୍ଷ। କିନ୍ତୁ ନଷ୍ଟ ହୋଇଯାଇଛି ଦୁଇଟି ଯାକ ଫୁସଫୁସ।

ଏ ହେଉଛନ୍ତି କଟକ ଫିରିଙ୍ଗି ବଜାରର ରଜନୀକାନ୍ତ ମହାନ୍ତି। ଦୀର୍ଘ ୨୨ ବର୍ଷ ଧରି କଟକ ଓଟିଏମରେ କାମ କରିଆସୁଥିଲେ। କିନ୍ତୁ ହଠାତ୍‌ ଦେହ ଅସୁସ୍ଥ ହେଲା ଆଉ ଜଣାପଡିଲା ରଜନୀକାନ୍ତଙ୍କର ଫୁସଫୁସ ନଷ୍ଟ ହୋଇଯାଇଛି। ବାସ୍‌ ତାପରଠାରୁ ବଦଳିଗଲା ପରିସ୍ଥିତି। ଯାହା କିଛି ଜମାପୁଞ୍ଜି ରଖିଥିଲେ ଧାର ଉଦ୍ଧାର କରି ନିଜ ଚିକିତ୍ସାରେ ଖର୍ଚ୍ଚ କରିସାରିଲେଣି ପାଖାପାଖି ୮ ଲକ୍ଷ ଟଙ୍କା। ରଜନୀକାନ୍ତଙ୍କର ଅବସ୍ଥା ଏତେ ଖରାପ ଯେ ତାଙ୍କର ଚିକିତ୍ସା ପାଇଁ ଖର୍ଚ୍ଚ ହେଉଛି ମାସକୁ ପ୍ରାୟ ୩୦ ହଜାର ଟଙ୍କା।

ଘର ଲୋକେ ଟଙ୍କା ଆଣିବେ କୋଉଠୁ। ପୁଅର ଅବସ୍ଥା ଏତେ ଖରାପ ଯେ ଘର ଚଳାଇବାକୁ ରଜନୀକାନ୍ତଙ୍କର ବାପା ମାଆ ଫିରିଙ୍ଗ ବଜାର ରେ ଏକ ଠେଲା ଗାଡି ରେ ଗୁପଚୁପ ତିଆରି କରି ବେପାର କରୁଛନ୍ତି। ଏଥିରୁ ଯାହା ଦୁଇ ପଇସା ରୋଜଗାର କରନ୍ତି ସେହି ପଇସାରେ ନିଜ ପୁର ଚିକିତ୍ସା କରିବା ସହ ନାତୁଣୀକୁ ପାଠ ପଢ଼ାଉଛନ୍ତି। ତେବେ କିଛି ସମାଜିକ ଅନୁଷ୍ଠାନ ଅକ୍ସିଜେନ ମେସିନ ଦେଇଛନ୍ତି ରଜନୀକାନ୍ତଙ୍କୁ।

ଆଉ ଏପଟେ ଡାକ୍ତର କହିଛନ୍ତି ମାସେ ଭିତରେ ଚିକିତ୍ସା କରିବା ଦରକାର ଆଉ ଚିକିତ୍ସା ପାଇଁ ପ୍ରାୟ ଦେଢ଼ କୋଟି ଟଙ୍କା ଖର୍ଚ୍ଚ ହେବ। ଏତେ ଗରିବ ଅସହାୟ ଏ ପରିବାର ଏତେ ଟଙ୍କା ଆଣିବେ କେଉଁଠୁ, ସେ କଥା ଭାବିଲା ବେଳକୁ ପାଦ ତଳୁ ଯେମିତି ମାଟି ଖସିଯାଉଛି। ସ୍ୱାମୀର ଏପରି ଅବସ୍ଥାକୁ ଦେଖିପାରୁନାହାଁନ୍ତି ସ୍ତ୍ରୀ। ଝିଅ ବି କିଛି ଜାଣିପାରୁନି ବାପା ଏମିତି ଆଉ କେତେ ଦିନ ରହିବେ। ଘର ଚଳାଇବା ପାଇଁ ବାହାରେ ଗୁପଚୁପ୍‌ ବେପାର ସାରି ଘରକୁ ଫେରିଲେ ଭେଣ୍ଡିଆ ପୁଅର ଏ ଅବସ୍ଥା ଦେଖି ନିଜର କୋହ ସମ୍ଭାଳି ପାରୁନାହାଁନ୍ତି ବାପା ମାଆ।

ଉପାୟଶୂନ୍ୟ ହୋଇ ରଜନୀକାନ୍ତଙ୍କ ପରିବାର ଲୋକେ ଅନୁରୋଧ କରିଛନ୍ତି ସରକାରଙ୍କୁ ଓ ଆପଣ ମାନଙ୍କୁ। ସରକାର ଏବଂ ଆପଣ ମାନଙ୍କ ସାହାଯ୍ୟ ରଜନୀକାନ୍ତଙ୍କୁ ହୁଏତ ନୂଆ ଜୀବନ ଦେଇପାରିବ। ଗୋଟେ ଘରର ଖୁସି ମଉଳିଯିବା ପୂର୍ବରୁ ଫୁଟି ଉଠିବ। ଗୋଟେ ସ୍ତ୍ରୀର ସିନ୍ଦୁର ବଞ୍ଚିଯିବ ଆଉ ଗୋଟେ କୁନି ଝିଅ ମଥାରୁ ବାପାର ହାତ ଉଠିଯିବା ଠାରୁ ରକ୍ଷା ପାଇଯିବ। ଆପଣଙ୍କର ଛୋଟିଏ ପ୍ରୟାସ ଏ ଘରର ଉଜୁଡି ଯାଉଥିବା ସଂସାରକୁ ରକ୍ଷା କରିପାରିବେ। ଯଦି ଆପଣ ରଜନୀକାନ୍ତଙ୍କୁ ସାହାଯ୍ୟ କରିବାକୁ ଚାହୁଁଛନ୍ତି ତାହେଲେ ତାଙ୍କୁ ସାହାଯ୍ୟ କରିବା ପାଇଁ ଆପଣ ତାଙ୍କର ଗୁଗଲ ପେ ଓ ଫୋନ ପେ ନମ୍ବର୯୮୫୩୩୪୦୭୫୦କୁ ଟଙ୍କା ପଠାଇ ଆର୍ଥିକ ସହାୟତା କରିପାରିବେ।

ଏହା ବ୍ୟତୀତ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ନମ୍ବର ହେଉଛି ୩୨୯୦୯୩୭୪୭୨୮ (ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ)
Ifsc code=SBIN0002036
ଫୋନ ନମ୍ବର-୯୮୫୩୩୪୦୭୫୦