ଶୋଇଥିବା ବେଳେ କାମୁଡ଼ିଲା ବିଷାକ୍ତ ସାପ: ମା’ ପୁଅ ମୃତ

ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ତଳଝିରି ପଞ୍ଚାୟତ ଅନ୍ତର୍ଗତ ସିପିଯୋଡ଼ି ଗାଁରେ ବିଳମ୍ବିତ ରାତିରେ ବିଷାକ୍ତ ସାପକାମୁଡ଼ାରେ ପୁଅ ପରେ ମା’ର ମୃତ୍ୟୁ ହୋଇଛି ।

ରାୟଗଡ଼ା (କେନ୍ୟୁଜ): ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ତଳଝିରି ପଞ୍ଚାୟତ ଅନ୍ତର୍ଗତ ସିପିଯୋଡ଼ି ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ଗତକାଲି ବିଳମ୍ବିତ ରାତିରେ ବିଷାକ୍ତ ସାପକାମୁଡ଼ାରେ ପୁଅ ପରେ ମା’ର ମୃତ୍ୟୁ ହୋଇଛି । ଗୁରୁତର ଅବସ୍ଥାରେ ଥିବା ମା ଏବଂ ପୁଅକୁ କାଶୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । କିନ୍ତୁ ଡାକ୍ତର ପୁଅ କୈଳାଶ ବିଶିଙ୍କ ମୃତ୍ୟୁ ଘୋଷଣା କରିଥିଲେ । ସେପଟେ ସଙ୍କଟାପନ୍ନ ଅବସ୍ଥାରେ ଥିବା ମା’ବୃନ୍ଦାଙ୍କୁ ପ୍ରାଥମିକ ଚିକିତ୍ସା ପରେ ରାୟଗଡ଼ା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବୃନ୍ଦାଙ୍କ ମୃତ୍ୟୁ ହୋଇଥିଲା ।

ସୂଚନା ଅନୁସାରେ ଗତକାଲି ରାତିରେ ଉଭୟ ମା’ପୁଅ ଖାଇ ସାରି ଶୋଇଥିଲେ । କିନ୍ତୁ ରାତି ଅଧରେ ସାପ କାମୁଡ଼ି ଦେବାରୁ ଯନ୍ତ୍ରଣାରେ ଛଟପଟ ହୋଇଥିଲେ । ଏହା ପରେ ପୁଅକୁ ପ୍ରାଥମିକ ଚିକିତ୍ସା ପାଇଁ କାଶିପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ମାକୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଉଭୟ ମୃତ୍ୟୁବରଣ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.