କନ୍ଧମାଳରେ ମେଗା ନିଯୁକ୍ତି ମେଳା ଆୟୋଜିତ, ଯୋଗ ଦେଲେ ୨୦ ହଜାରରୁ ଊର୍ଦ୍ଧ୍ୱ ଯୁବକ ଯୁବତୀ

ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ପ୍ରୟାସ କ୍ରମେ କିଟ୍ ଆନୁକୂଲ୍ୟରେ କନ୍ଧମାଳ ଜିଲ୍ଲା ପ୍ରଶାସନ ସହଯୋଗରେ ଫୁଲବାଣୀଠାରେ ମେଗା ନିଯୁକ୍ତି ମେଳା ସଫଳତାର ସହ ଆୟୋଜିତ ହୋଇଛି । ଏଥିରେ କନ୍ଧମାଳ ଜିଲ୍ଲା ଓ ସଂସଦୀୟ କ୍ଷେତ୍ରର ୨୦ଟି ବ୍ଲକରୁ ୨୦ ହଜାରରୁ ଊର୍ଦ୍ଧ୍ୱ ଯୁବକଯୁବତୀ ଯୋଗ ଦେଇଥିଲେ।

କନ୍ଧମାଳ (କେନ୍ୟୁଜ): କନ୍ଧମାଳ ସଂସଦୀୟ କ୍ଷେତ୍ରରେ ସଫଳତାର ସହ ମେଗା ନିଯୁକ୍ତି ମେଳା ଆୟୋଜିତ ହୋଇଛି । ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ପ୍ରୟାସ କ୍ରମେ କିଟ୍ ଆନୁକୂଲ୍ୟରେ କନ୍ଧମାଳ ଜିଲ୍ଲା ପ୍ରଶାସନ ସହଯୋଗରେ ଫୁଲବାଣୀଠାରେ ମେଗା ନିଯୁକ୍ତି ମେଳା ସଫଳତାର ସହ ଆୟୋଜିତ ହୋଇଛି । ଏଥିରେ କନ୍ଧମାଳ ଜିଲ୍ଲା ଓ ସଂସଦୀୟ କ୍ଷେତ୍ରର ୨୦ଟି ବ୍ଲକରୁ ୨୦ ହଜାରରୁ ଊର୍ଦ୍ଧ୍ୱ ଯୁବକଯୁବତୀ ଯୋଗ ଦେଇଥିଲେ। ମୋଟ ୧୩ ହଜାର ୫ଶହ ପ୍ରାର୍ଥୀ ବିଭିନ୍ନ କମ୍ପାନୀରେ ନିଯୁକ୍ତି ଅଫର ପାଇଥିବା ଓଡ଼ିଶାର ବିଭିନ୍ନ କମ୍ପାନୀ ୩ହଜାର ୫ଶହ ପ୍ରାର୍ଥୀଙ୍କୁ ମନୋନୀତ କରିଛନ୍ତି । ପ୍ରତି ବ୍ଲକରୁ ସେମାନଙ୍କୁ ଆଣିବା ପାଇଁ ୪ଶହ ସ୍ୱତନ୍ତ୍ର ବସ୍ ସହ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରାଯାଇଥିଲା । ସେମାନଙ୍କ ମାସିକ ବେତନ ସର୍ବନିମ୍ନ ୧୨ ହଜାର ଟଙ୍କା ଥିବାବେଳେ ସର୍ବାଧିକ ବେତନ ୩୫ ହଜାର ଟଙ୍କା ଦିଆଯିବ । ଏହା ସହିତ କମ୍ପାନୀ ପକ୍ଷରୁ ଅନ୍ୟାନ୍ୟ ସୁବିଧା ମଧ୍ୟ ଯୋଗାଇ ଦିଆଯିବ।

ସକାଳ ୮ଟାରୁ ସମସ୍ତେ କନ୍ଧମାଳ ଷ୍ଟାଡିୟମରେ ପହଞ୍ଚିଥିଲେ । ଓଡ଼ିଶାର ୪୦ଟି କମ୍ପାନୀ ସମେତ ସମଗ୍ର ଦେଶରୁ ୧୨୦ଟି କମ୍ପାନୀ ଓ ଶିଳ୍ପ ସଂସ୍ଥା ଏହି ନିଯୁକ୍ତି ମେଳାରେ ଭାଗ ନେଇଥିଲେ । ସେମାନଙ୍କ ପାଇଁ ୧୨୦ଟି ଷ୍ଟଲ୍ ଖୋଲାଯାଇ ପ୍ରାର୍ଥୀ ଚୟନର ବନ୍ଦୋବସ୍ତ କରାଯାଇଥିଲା । ବିଭିନ୍ନ ବ୍ଲକ୍ ରେ ୧୨ହଜାର ପଞ୍ଜୀକରଣ ହୋଇଥିବା ବେଳେ ସ୍ପଟ ପଞ୍ଜୀକରଣ ଓ ଅନ୍ୟାନ୍ୟ ପଞ୍ଜୀକରଣ ମିଶାଇ ପ୍ରାୟ ୨୦ ହଜାର ପଞ୍ଜୀକରଣ ହୋଇଛି । ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆ ଓଡ଼ିଶା- ନବୀନ ଓଡ଼ିଶା ଲକ୍ଷ୍ୟର ଏହା ଏକ ଛୋଟ ପ୍ରୟାସ ବୋଲି ଯୁବକଯୁବତୀଙ୍କୁ ଉଦବୋଧନ କହିଛନ୍ତି ସାଂସଦ ଡ. ଅଚ୍ୟୁତ ସାମନ୍ତ । ଯୁବକଯୁବତୀମାନେ ଶିକ୍ଷିତ, ସଶକ୍ତ ହୋଇ ରୋଜଗାରକ୍ଷମ ହେବା ନେଇ ମୁଖ୍ୟମନ୍ତ୍ରୀଙ୍କ ଯେଉଁ ଉଦ୍ଦେଶ୍ୟ ରହିଛି ତାହା ଏଠାରେ କାର୍ଯ୍ୟକାରୀ କରାଯାଇଛି ବୋଲି ସେ କହିଛନ୍ତି । ସଫଳ ଆୟୋଜନ ପଛରେ ଜିଲ୍ଲା ପ୍ରଶାସନ ଓ କିଟ୍ କର୍ମଚାରୀଙ୍କ ଅକୁଣ୍ଠ ସହଯୋଗ ପାଇଁ ଡ. ସାମନ୍ତ ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ ।

ନିର୍ବାଚନ ସମୟରେ କନ୍ଧମାଳବାସୀଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟ, ରୋଜଗାର ଓ ପର୍ଯ୍ୟଟନର ବିକାଶ ନେଇ ଦେଇଥିବା ପ୍ରତିଶ୍ରୁତି ପାଳନ କରିବା ପାଇଁ ସେ ଚେଷ୍ଟା ଜାରି ରଖିଛନ୍ତି ଡ. ସାମନ୍ତ କହିଥିଲେ । ଏହି ଅବସରରେ ଅନ୍ୟତମ ନିଯୁକ୍ତିଦାତା ମହାରାଷ୍ଟ୍ର ଚାମ୍ବରସ ଅଫ କମର୍ସ, ଇଣ୍ଡଷ୍ଟ୍ରି ଓ ଏଗ୍ରିକଲଚରର ସଭାପତି ଲଳିତ ଗାନ୍ଧୀ ଯୋଗ ଦେଇ କହିଲେ, ଭାରତର ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ଯୁବକମାନେ ଅଧିକ କୁଶଳୀ ଓ ଦକ୍ଷ । ମହାରାଷ୍ଟ୍ରର ବିଭିନ୍ନ ଶିଳ୍ପ ସଂସ୍ଥାରେ ବର୍ଷକୁ ୫ହଜାରରୁ ଊର୍ଦ୍ଧ୍ୱ ଓଡ଼ିଆ କୁଶଳୀ ଓ ଦକ୍ଷ ଯୁବକଯୁବତୀଙ୍କୁ ନିଯୁକ୍ତି ଦିଆଯିବା ନିମନ୍ତେ ସେ ପ୍ରତିଶ୍ରୁତି ଦେଇଥିଲେ । ନିଯୁକ୍ତି ମେଳାରେ ଫୁଲବାଣୀ ଓ ବାଲିଗୁଡା ବିଧାୟକଙ୍କ ସହ ଜିଲ୍ଲାର ବହୁ ଅଧିକାରୀ ଯୋଗ ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.