ରାଜ୍ୟର ୨୮ଜଣ ବରିଷ୍ଠ ସାମ୍ବାଦିକଙ୍କୁ ପେନସନ ପ୍ରଦାନ, ବରିଷ୍ଠ ସାମ୍ବାଦିକଙ୍କ ସ୍ମୃତି ଉଦ୍ଦେଶ୍ୟ ସମ୍ମାନ ପ୍ରଦାନ

ଭୁବନେଶ୍ବର(କେନ୍ଯୁଜ୍): ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ ପକ୍ଷରୁ ଗତକାଲି ଜୟଦେବ ଭବନଠାରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି। ଚଳିତବର୍ଷ ରାଜ୍ୟର ୨୮ଜଣ ବରିଷ୍ଠ ସାମ୍ବାଦିକଙ୍କୁ ପେନସନ ପ୍ରଦାନ କରାଯିବା ସହିତ ୬ଜଣ ବରିଷ୍ଠ ସାମ୍ବାଦିକଙ୍କ ସ୍ମୃତି ଉଦ୍ଦେଶ୍ୟରେ ବିଭିନ୍ନ ବିଶ୍ବବିଦ୍ୟାଳୟ ଓ ସ୍ଵୟଂଶାସିତ ମହାବିଦ୍ୟାଳୟରେ ସାମ୍ବାଦିକତା ଶିକ୍ଷା କ୍ଷେତ୍ରରେ ସର୍ବୋଚ୍ଚ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଥିଲା।

ଏହି ଅବସରରେ ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ ପଟ୍ଟନାୟକଙ୍କୁ ‘ଉତ୍କଳ ସାମ୍ବାଦିକ ରନୁ ସମ୍ମାନ-୨୦୨୧ ପ୍ରଦାନ କରାଯିବା ସହିତ ଅନ୍ୟ ରାଜ୍ୟର ବିଭିନ୍ନ ସମ୍ବାଦପତ୍ରର ୬ଜଣ ସାମ୍ବାଦିକ ସାମ୍ବାଦିକଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। ଗୁଜୁରାଟ ସୁରଟର ଲୀଳାଗନ୍ଦ ପୌନିକର, ମହାରାଷ୍ଟ୍ରର ରାମକୁମାର ପାଲ ଓ ସନ୍ତୋଷ ପାଣ୍ଡେ, ଚେନ୍ନାଇର ଶିବରାଳି ସୁକୁମାର ଓ ଗଣପତି ସୋମାସୁନ୍ଦରମ୍ ଏବଂ ଆଫଗାନିସ୍ଥାନରୁ ପ୍ରଶାନ୍ତ ଶତପଥୀ ପ୍ରମୁଖଙ୍କୁ ଜାତୀୟସ୍ତରରେ ‘ରାଷ୍ଟ୍ରୀୟ ସାମ୍ବାଦିକ ଗୌରବ ସମ୍ମାନ ୨୦୨୧’ରେ ସମ୍ମାନିତ କରାଯାଇଥିଲା।

ଢେଙ୍କାନାଳସ୍ଥିତ ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ ଅଫ ମାସ୍‌ କମ୍ୟୁନିକେଶନ (ଆଇଆଇଏମ୍ଏସ୍)ର ଓଡ଼ିଆ ବିଭାଗର ଛାତ୍ରୀ ଯାଜ୍ଞସେନୀ ଧଳଙ୍କୁ ‘ଦିଲ୍ଲୀପ ଶତପଥୀ ସ୍ମାରକୀ ସମ୍ମାନ ଏବଂ ବିଜେବି ସ୍ଵୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ଅର୍ପିତା ନନ୍ଦଙ୍କୁ ଅରିନ୍ଦମ୍ ଦାଶ ସ୍ମାରକୀ ସମ୍ମାନ ସହିତ ଅନ୍ୟ କିଛି ଛାତ୍ରଛାତ୍ରୀମାନଙ୍କୁ ମଧ୍ଯ ସମ୍ମାନିତ କରାଯାଇଥିଲା।

ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ଦୀପକ ମାଲବ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡ଼ୁ ମୁଖ୍ୟ ଅତିଥି, ନେପାଳ ପ୍ରେସ୍ କାଉନସିଲ୍‌ର ଅଧ୍ୟକ୍ଷ ତଥା ଡବ୍ଲୁଏପିସିର ମହାସଚିବ କିଶୋର ଶ୍ରେଷ୍ଠା ମୁଖ୍ୟବକ୍ତା ଭାବେ ଯୋଗଦେଇ ଗଣମାଧ୍ୟମର ଭୂମିକା ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ମନ୍ତ୍ରୀ ଶ୍ରୀ ଟୁଡୁ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସମାଜର ଜାଗ୍ରତପ୍ରହରୀ ବୋଲି ଅଭିହିତ କରିଥିଲେ। ବର୍ତ୍ତମାନ ସମୟରେ ଖବରକାଗଜ, ଟେଲିଭିଜନ୍‌ ଆଦି ଗଣମାଧ୍ୟମ ସମ୍ବାଦ ଦେବା ସହ ଜ୍ଞାନ ଦେବା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି। ତେଣୁ ସକାରାତ୍ମକ ବାର୍ତ୍ତା ଦେଲେ ସାମ୍ବାଦିକମାନେ ସମ୍ମାନର ଅଧିକାରୀ ହୋଇପାରିବେ ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.