ପ୍ରକୃତିର ଦାନ ହେନ୍ତାଳ ବଣ, ଚିଙ୍ଗୁଡ଼ି ଘେରି ଯୋଗୁଁ ନଷ୍ଟ ହୋଇ ଚାଲିଛି ଆଉ ବିପଦ ବଢ଼ାଉଛି

ରାଜନଗର : ପ୍ରକୃତି ଆଗରେ ହାର ମାନିଛି ବିଜ୍ଞାନ । ଏକଥା ବିଭିନ୍ନ ଦୈବୀ ଦୁର୍ବିପାକରୁ ପ୍ରମାଣିତ ହୋଇଛି ଅନେକ ଥର । ପ୍ରକୃତି ରାଗିଲେ ଭୋଗିବାକୁ ପଡ଼େ ପ୍ରାଣୀ ଜଗତକୁ। ଯେପରି ସମୁଦ୍ର ଶାନ୍ତ ଥିଲେ ମନକୁ ଶାନ୍ତି ଦିଏ ଆଉ ଅଶାନ୍ତ ହେଲେ ସବୁକିଛି ନଷ୍ଟ ଭ୍ରଷ୍ଟ କରିଦିଏ । ଯାହା ଏବେ ଓଡ଼ିଶାର କିଛି ଉପକୂଳବର୍ତ୍ତୀ ଅଞ୍ଚଳରେ ଘଟିବା ଆରମ୍ଭ ହୋଇଛି । ସମୁଦ୍ରର ଅଶାନ୍ତ ରୂପ, ଏକ ଥୁଣ୍ଟା ଗଛ ଆଉ ବେଳାଭୂମିକୁ ଦେଖିଲେ ପ୍ରକୃତିର କ୍ରୋଧ କେତେ ଭୟାନକ ହୋଇପାରେ ସେ କଥା ଭଲ ଭାବେ ବୁଝି ହୁଏ ।

ତେବେ ମଣିଷ ଯଦି ଭଲ କରି ଚିନ୍ତା କରିବ ତେବେ ଜାଣିବ ଯେ ପ୍ରକୃତି ସମସ୍ୟା ରଖିଛି ସତ ତା ସହିତ ସମାଧାନର ବ୍ୟବସ୍ଥା ବି କରିଛି । ଯେମିତି ସମୁଦ୍ର ପାଇଁ ରକ୍ଷା କବଚ ଭାବେ ରହିଛି ବିଶାଳ ହେନ୍ତାଳ ବଣ । ଓଡିଶାର ପୂର୍ବ ଉପକୂଳ ରେ ପ୍ରାୟ ୭୨ ପ୍ରଜାତିର ହେନ୍ତାଳ ବା ଲୁଣା ଜଙ୍ଗଲ ଏଇ ପ୍ରକୃତିର ଅବଦାନ । ପ୍ରାକୃତିକ ଉପାୟରେ ଏହା ତାର କଳେବର ବୃଦ୍ଧି କରୁଥିଲେ ମଧ୍ୟ ବନବିଭାଗର ଉଦାସୀନତା ପାଇଁ ଅନେକ ସମୟରେ ଜଙ୍ଗଲ ନଷ୍ଟ ହେବାରେ ଲାଗିଛି । ଆଉ ବିପଦ ଡାକି ଆଣୁଛି ମଣିଷ ପାଇଁ ।

chingudiକେନ୍ଦ୍ରାପଡା ହେଉଛି ଏକ ବନ୍ୟା ଓ ବାତ୍ୟା ପ୍ରବଣ ଜିଲ୍ଲା । ୧୯୭୧, ୧୯୮୨ ପୁଣି ୧୯୯୯ର ମହାବାତ୍ୟା ଉପକୂଳ ଓଡିଶାରେ ତାଣ୍ଡବ ରଚିଥିଲା । ସେତେବେଳେ ଏହି ହେନ୍ତାଳ ବଣ ହିଁ ସୁରକ୍ଷା କବଚ ସାଜିଥିଲା କେନ୍ଦ୍ରାପଡା ଜିଲ୍ଲା ପାଇଁ । ଫଳରେ ଅନେକ ଧନ ଜୀବନ ରକ୍ଷା ପାଇ ଯାଇଥିଲା । ୧୯୭୧ ମସିହା ବାତ୍ୟା ପରେ ୧୯୭୨ ମସିହା ଅପ୍ରେଲ ୪ ତାରିଖରେ ଭିଏତନାମାର ଏକ ଗବେଷଣାକାରୀ ଦଳ ପହଂଚି ଥିଲେ ଏଠାରେ । ସମୁଦ୍ର କୂଳରେ ୧କିମି ବ୍ୟାପି ହେନ୍ତାଳ ଜଙ୍ଗଲ ସୃଷ୍ଟି କରିବା ପାଇଁ ପରାମର୍ଶ ଦେଇଥିଲେ । କାରଣ ହେନ୍ତାଳ ବଣ ପବନ ଓ ପାଣିର ବେଗକୁ ରୋକିବାକୁ ସମର୍ଥ । ତେଣୁ ଏହାର ଗୁରୁତ୍ୱକୁ ବୁଝି ହେନ୍ତାଳ ଜଙ୍ଗଲର ସୁରକ୍ଷା ତଥା ଏହାର ଆକାର ବୃଦ୍ଧି କରିବା ପାଇଁ ସରକାର ନିଷ୍ପତ୍ତି ନେଇଥିଲେ । ସେଥିପାଇଁ ବଜେଟରେ ବ୍ୟୟ ବରାଦ ମଧ୍ୟ କରାଗଲା । ପ୍ରତି ବର୍ଷ ନାମକୁ ମାତ୍ର ଏହି ଲୁଣା ଜଙ୍ଗଲ ବୃଦ୍ଧି ନାଁରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଲା । ମାତ୍ର ବେଳାଭୂମିକୁ ଦେଖିଲେ ଆଜି ବି ବଙ୍ଗପସାଗର କୂଳ ମୁକୁଳା ପଡିଛି । ଅନେକ ନଦୀ ପଠା ଓ ନଦୀ ମୁହାଁଣରେ ସ୍ଥାନେ ସ୍ଥାନେ ପ୍ରାକୃତିକ ଭାବେ ହେନ୍ତାଳ ଜଙ୍ଗଲ ସୃଷ୍ଟି ହେଉଥିବା ବେଳେ ବନ ବିଭାଗ କୃତ୍ରିମ ହେନ୍ତାଳ ଜଙ୍ଗଲ ସୃଷ୍ଟି କରିବାର ପ୍ରୟାସ କରିଛି । ହେଲେ କାହିଁକି କେଜାଣି ଜଙ୍ଗଲ ବଢୁ ନାହିଁ ।

ମଣିଷ ବୋଧହୁଏ ନିଜ ବିନାଶ ନିଜେ କରିବାକୁ ଯେମିତି ଜିଦ୍‌ ଧରିଛି । ବର୍ତ୍ତମାନ ଏଠାରେ ଥିବା ଏହି ହେନ୍ତାଳ ଜଙ୍ଗଲ ଧ୍ୱଂସ ପାଇବାକୁ ବସିଲାଣି । ଭିତରକନିକା ଜାତୀୟ ଉଦ୍ୟାନ ପାଶ୍ୱର୍ବତୀ ଆର୍ଦଭୂମି ଅଂଚଳ ଜବର ଦଖଲକାରୀଙ୍କ କବଜାରେ । ହଜାର ହଜାର ସଂଖ୍ୟାରେ ବେଆଇନ ଚିଙ୍ଗୁଡି ଘେରି ଗଢି ଉଠିଛି ଏଠି। ଜଙ୍ଗଲ ଧ୍ୱଂସ କରି ଚିଙ୍ଗୁଡି ଘେରି ନିର୍ମାଣ କରାଯାଇଛି । ହାଇକୋର୍ଟ ମଧ୍ୟ ଚିନ୍ତା ପ୍ରକଟ କରି ଘେରି ଉଚ୍ଛେଦ ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ମାତ୍ର ପ୍ରଶାସନ ତାର କାମ ଠିକ୍‌ ଭାବେ କରୁଥିବା ଅନୁମାନ କରି ହେଉନି । ନାମକୁ ମାତ୍ର କିଛି ଘେରି ଭାଙ୍ଗି କାମ ସାରି ଦେଲା ଭଳି ମନେ ହେଉଛି । ଗୋଟିଏ ପଟେ ଚିଙ୍ଗୁଡି ଘେରି ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଅନ୍ୟପଟେ କ୍ଷୟ ହୋଇ ଚାଲିଛି ହେନ୍ତାଳ ବଣ । ଆଉ ବିପଦ ସୃଷ୍ଟି ହେଉଛି ପରିବେଶ ପ୍ରତି ।

ବିଜ୍ଞାନର ସବୁ ଜ୍ଞାନ କୌଶଳ ଅକାମୀ ହୋଇଯାଏ ପ୍ରକୃତି ଆଗରେ । ଗୋଟିଏ ପ୍ରାକୃତିକ ବିପର୍ଯ୍ୟୟ ସବୁ କିଛି ଉଜାଡ଼ି ଦିଏ, ନିଶ୍ଚିହ୍ନ କରିଦିଏ । ଏଇ ଏକବିଂଶ ଶତାବ୍ଦୀରେ ଆମେ ଏବେବି ସେହି ପ୍ରକୃତିର ଦୟାରେ ବଞ୍ଚିଛୁ । ତେଣୁ ତାରି ଦାନକୁ ନଷ୍ଟ କରି ନିଜ ପାଇଁ ବିପଦ ସୃଷ୍ଟି କରୁଛି ଏଇ ମଣିଷ । ଗୋଟିଏ ପରେ ଗୋଟିଏ ବିପର୍ଯ୍ୟୟ ଘଟି ଚାଲିଥିଲେ ମଧ୍ୟ ଯେମିତି ଆମେ ଏଥିରୁ କିଛି ଶିଖିବା ଲାଗି ପ୍ରୟାସ କରୁନାହୁଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.