Below header

ଶ୍ରୀ ଜଗନ୍ନାଥଙ୍କ ସେବାରେ ଭରି ରହିଛି ନବରସ, ମା’ ଯଶୋଦାଙ୍କ ହାତରନ୍ଧା ପହିଲି ଭୋଗ ଭାବେ ଲାଗି ହୋଇଥାଏ

 ଶ୍ରୀ ଜଗନ୍ନାଥଙ୍କ ସେବାରେ ଭରି ରହିଥାଏ ନବରସ। ଯେମିତି ପହିଲି ଭୋଗ ନୀତିରେ ବାତ୍ସଲ୍ୟ ରସ। ଧନୁ ସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ମା ଯଶୋଦାଙ୍କ ବାତ୍ସଲ୍ୟ ମମତାର ଅଦ୍ଭୁତ ନିଦର୍ଶନ ଶ୍ରୀମନ୍ଦିରରେ ପରିପୁଷ୍ଟ।

ଶ୍ରୀ ଜଗନ୍ନାଥଙ୍କ ସେବାରେ ଭରି ରହିଥାଏ ନବରସ। ଯେମିତି ପହିଲି ଭୋଗ ନୀତିରେ ବାତ୍ସଲ୍ୟ ରସ। ଧନୁ ସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ମା ଯଶୋଦାଙ୍କ ବାତ୍ସଲ୍ୟ ମମତାର ଅଦ୍ଭୁତ ନିଦର୍ଶନ ଶ୍ରୀମନ୍ଦିରରେ ପରିପୁଷ୍ଟ। ସିନ୍ଦୂରା ଫାଟିବା ପୂର୍ବରୁ ମା’ ଯଶୋଦାଙ୍କ ହାତରନ୍ଧା ପହିଲି ଭୋଗ ଭାବେ ମହାପ୍ରଭୁଙ୍କ ପାଖରେ ଲାଗି ହୋଇଥାଏ ।

ରାମ କୃଷ୍ଣ ବେନିଭାଇଙ୍କୁ ଖୁଆଇ ଦେଇଥାନ୍ତି ମା’ଯଶୋଦା । ମାସେ ଯାଏଁ ମା’ଙ୍କ ହାତରନ୍ଧା ଖାଦ୍ୟ ଖାଇଥାନ୍ତି ମହାପ୍ରଭୁ । କଥିତ ଅଛି , ବିଶ୍ବାସ ମଧ୍ୟ ଅଛି ଏହି ମାସରେ ମହାଲକ୍ଷ୍ମୀ ବାପଘର ଯାତ୍ରା କରିଥାନ୍ତି । ଏଣୁ ମମତାମୟୀ ମା’ ଯଶୋଦା ବିଭିନ୍ନ ବ୍ୟଞ୍ଜନ ସହିତ ଅନ୍ନ ଶୀତୁଆ ପ୍ରତ୍ୟୁଷରେ ଗରମ ଗରମ ଜଗତପତିଙ୍କୁ ଖାଇବାକୁ ଦେଇଥାନ୍ତି । ଶ୍ରୀମନ୍ଦିରରେ ଏହି ନୀତି ଯଶୋଦାଙ୍କ ପୁତ୍ର ପ୍ରତି ବାତ୍ସଲ୍ୟ ସ୍ନେହ ଓ ନୈସର୍ଗିକ ପ୍ରେମର ନିଦର୍ଶନ ।

ପୌରାଣିକ ଆଖ୍ୟାନ ଅନୁଯାୟୀ ଏକଦା ଦ୍ୱାରକାରେ ଶ୍ରୀକୃଷ୍ଣ ମାତା ଯଶୋଦାଙ୍କୁ ଝୁରି ଝୁରି ବାଳ ଗୋପାଳ ରୂପ ଧାରଣ କରିଥିଲେ। ନାରଦ ସେଠାରେ ଉପସ୍ଥିତ ହୋଇ ରହସ୍ୟ ଜିଜ୍ଞାସା କରିଥିଲେ । ଉତ୍ତରରେ ଶ୍ରୀକୃଷ୍ଣଙ୍କ ଦ୍ୱାରା ପ୍ରେରିତ ନାରଦ ଗୋପପୁରରେ ଉପସ୍ଥିତ ହେଲେ । କୃଷ୍ଣ ବଳରାମ ଦୁଇଭାଇ ଯଶୋଦାଙ୍କ କୋଳରେ ବସି ସ୍ବାଦିଷ୍ଟ ଦ୍ରବ୍ୟ ଆନନ୍ଦରେ ଭୋଜନ କରୁଥିବା ଦେଖିଲେ । ଶ୍ରୀଜଗନ୍ନାଥଙ୍କ ପହିଲି ଭୋଗ ଏହାର ସ୍ମାରକୀ ବୋଲି କୁହାଯାଏ । ଶ୍ରୀମନ୍ଦିରରେ ଧନୁ ସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ସକାଳ ର ଗୋପଳବଲ୍ଲଭ ଭୋଗ ନୀତି ସହିତ ‘ପହିଲିଭୋଗ’ ନୀତି ଅନୁଷ୍ଠିତ ହୋଇଥାଏ । ଏହି ଦିନମାନଙ୍କରେ ରାତ୍ର ଦୁଇ ଘଡି ଥାଇ ଦ୍ୱାର ଫିଟା ନୀତି, ମଙ୍ଗଳ ଆଳତି, ଅବକାଶ ହୁଏ । ପରେ ଘୋଡ ଓ ଅଳଙ୍କାର ଲାଗି ହୋଇ ବେଶ ହୋଇଥାଏ । ତତ୍ପରେ, ଭିତର ବାହାର ଶୋଧ ହୋଇ ଅଣସରପିଣ୍ଡି ଠାରେ ଗୋପଳବଲ୍ଲଭ ଭୋଗ ବଢାଯାଇଥାଏ । ଏହାପରେ ଅହ୍ମୁଣିଆ ପାଣି ପଡିବା ଉତ୍ତାରୁ ପହିଲି ଭୋଗ ଛେକ ଆସିବା ପାଇଁ ବ୍ୟବସ୍ଥା ହୋଇଥାଏ। ଏହି ଭୋଗରେ ବିରି ଓ ଗହମରେ ଘୃତପାକ ହୋଇଥିବା ପିଠା ପଞ୍ଚୋପଚାରରେ ପୂଜା କରାଯାଇଥାଏ । ପହିଲି ଭୋଗରେ ‘ବଡ଼ ଝିଲି, ଦରସୁଆ ବଡି, ଦରସୁଆ ଝିଲି, ବଡ଼ ବଡ଼ା, କାକେରି, ସାନ ଅମାଲୁ, ନଳୀ, କାକେରା, ଆରିସା, ମୁଗେଇ, ଏଣ୍ଡୁରି, ଲଡୁ, ଗଜା, ଖଇର ଚୁଳ, ମଣ୍ଡା, ଚୁଡା ପୁଆ, ବଡ଼ି, କଣ୍ଟେଇ ପ୍ରଭୃତି ଲାଗି ହୋଇଥାଏ। ଶ୍ରୀମନ୍ଦିର ସ୍ୱତ୍ତ୍ୱଲିପିରେ ଏହାର ପରିମାଣ ମଧ୍ୟ ଉଲ୍ଲେଖ କରାଯାଇଛି । ଏହି ସବୁ ଦ୍ରବ୍ୟ ପାକ କରିବାକୁ ସୁବିଧା ହେବା ପାଇଁ ଏହି ଦିନମାନଙ୍କରେ ମଂଗଳ ଆଳତି ପରେ ହିଁ ରୋଷ ହୋମ ଅନୁଷ୍ଠିତ ହୋଇଥାଏ । ପୌଷ ମାସରେ ବୋହୂ ନିଜର ବାପ ଘରକୁ ଯିବାର ଚଳଣୀ ଓଡ଼ିଆ ଘର ମାନଙ୍କରେ ରହିଛି । ତେଣୁ ମା’ ବ୍ୟଗ୍ର ହୋଇ ନିଜ ପୁଅଝିଅଙ୍କୁ ଶୀତ ସକାଳରେ ଗରମ ଗରମ ଖାଦ୍ୟ ଖୁଆଇ ଦିଅନ୍ତି । ଏହି ପହିଲି ଭୋଗ ବଢା ଭାତର ସ୍ମୃତିକୁ ମନେ ପକାଇଦିଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.