ଶବକୁ ମିଳିଲାନି ସମ୍ମାନ: ଧର୍ମ ପରିବର୍ତ୍ତନ କରିଥିବାରୁ ସଂସ୍କାର ପାଇଁ ମଶାଣିରେ ଜାଗା ଦେଉନାହାନ୍ତି ଗ୍ରାମବାସୀ

ଉମରକୋଟ(କେନ୍ୟୁଜ୍): ଶବ କୁ ମିଳିଲାନି ସମ୍ମାନ । ସଂସ୍କାର ପାଇଁ ମଶାଣିରେ ଜାଗା ଦେଉନାହାନ୍ତି ଗ୍ରାମବାସୀ । ଘଟଣାଟି ଘଟିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ଗୁଳିବଡନା ଗ୍ରାମରେ । ଗତକାଲି ଏହି ଗ୍ରାମରେ ବୃଦ୍ଧ ଜିତ୍ରୁ ଭତ୍ରାଙ୍କ ମୃତ୍ୟୁ ଘଟିଥିଲା । ତେବେ ବୃଦ୍ଧ ଜଣକ ମୂଳ ଧର୍ମକୁ ପରିବର୍ତ୍ତନ କରି ଖ୍ରୀଷ୍ଟୀୟ ଧର୍ମ ଗ୍ରହଣ କରିଥିଲେ।
ଯାହାଫଳରେ ସେହି ଗ୍ରାମର ହିନ୍ଦୁ ସମ୍ପ୍ରଦାୟର ଲୋକମାନେ ଉକ୍ତ ବୃଦ୍ଧଙ୍କ ଶବକୁ ଗାଁ ମଶାଣିରେ ସ୍ଥାନ ଦେଉନାହାନ୍ତି । ଫଳରେ ବର୍ତ୍ତମାନ ଯାଏ ଶବ ସଂସ୍କାର ହୋଇ ପାରିନାହିଁ । ମୃତଦେହ ଘରେ ପଡ଼ି ରହିଛି । ଘଟଣାସ୍ଥଳରେ ପୋଲିସ୍ ବି ପହଞ୍ଚିନାହିଁ । ଗତରାତିରେ ଝରିଗାଁ ତହସିଲଦାର ଓ ରାଜସ୍ବ ନୀରିକ୍ଷକ ଗ୍ରାମବାସୀଙ୍କୁ ବୁଝେଇବାକୁ ଚେଷ୍ଟା କରିଥିଲେ ବି ଗ୍ରାମବାସୀ ମାନିନଥିଲେ। ଶବକୁ ନ ଉଠେଇବା ଯୋଗୁଁ ଦୁଇ ଗୋଷ୍ଠି ମଧ୍ୟରେ ଉତେଜନା ହେବା ସହ ଘଟଣାକୁ ସମାଧାନ କରିବାକୁ ଆସିଥିବା ପାଷ୍ଟରଙ୍କୁ ଗ୍ରାମବାସୀ ମାରପିଟ କରିଛନ୍ତି। ଅନ୍ଯପଟେ ପ୍ରଶାସନ ଯେଉଁଠି ଜାଗା ଦେବ ସେହି ଜାଗାରେ ସଂସ୍କାର କରିବୁ ବୋଲି କହିଛନ୍ତି ମୃତକଙ୍କ ପୁଅ।