ଧୂଳି ଧୂଆଁରେ ପେଷି ହେଉଛନ୍ତି କଣ୍ଡରାପଶି ଗ୍ରାମବାସୀ, କହୁଛନ୍ତି ଏଥର ରାସ୍ତା ନାହିଁ ତ ଭୋଟ ନାହିଁ

ଯୁଆଡେ ଦେଖିବେ ନାଲି ନାଲି ଧୂଳି । ଗଛ ପତ୍ର, ଘର ଦୁଆର, ଦୋକାନ ବଜ଼ାର ଏମିତିକି ଭାତ ହାଣ୍ଡିରେ ଧୂଳି । ଏପଟେ ଖରାର ତାତି ବଢିବାରେ ଲାଗିଛି । ଅନ୍ୟପଟେ ଖରା ତାତିଠୁ ରାଜନୀତି ତାତି ଆହୁରି ତୀବ୍ରତର ହେବାରେ ଲାଗିଛି ।

କେନ୍ଦୁଝର(କେନ୍ୟୁଜ): ଯୁଆଡେ ଦେଖିବେ ନାଲି ନାଲି ଧୂଳି । ଗଛ ପତ୍ର, ଘର ଦୁଆର, ଦୋକାନ ବଜ଼ାର ଏମିତିକି ଭାତ ହାଣ୍ଡିରେ ଧୂଳି । ଏପଟେ ଖରାର ତାତି ବଢିବାରେ ଲାଗିଛି । ଅନ୍ୟପଟେ ଖରା ତାତିଠୁ ରାଜନୀତି ତାତି ଆହୁରି ତୀବ୍ରତର ହେବାରେ ଲାଗିଛି । ନିର୍ବାଚନ ପାଖେଇ ଆସୁଥିବାରୁ ସବୁ ଦଳର ନେତା ନିଜ ଆସନ ବଞ୍ଚେଇବା ପାଇଁ ବ୍ୟସ୍ତ ଥିବାବେଳେ ଜନତାଙ୍କ ଦୁଃଖ ବୁଝିବ କିଏ । ଯଥା ପୂର୍ବମ ତଥା ପରମ ଏଠି କେବଳ ପ୍ରତିଶୃତି ମିଳେ ଆଉ ନିର୍ବାଚନ ସରିଲେ କିଏ ବା ଆଉ ପଚାରେ। ଆମେ କୌଣସି ବ୍ୟକ୍ତିଗତ ସମସ୍ୟା କଥା କହୁନାହୁଁ ଏଠି ଗାଁ ଗାଁ ର ସମସ୍ୟା ଦେଖିବାକୁ ମିଳିଛି । ସଦର ବ୍ଲକ ଅନ୍ତର୍ଗତ ପଳାସପଙ୍ଗା ଠାରୁ ବାମେବାରୀ ରାସ୍ତା କଥା କହୁଛୁ। ଗେଟି ପଥର ସହ ଆଣ୍ଠୁଏ ଲେଖାଏଁ ଖାଲ ଖମାର। ବର୍ଷ ବର୍ଷ ଧରି ଏହି ରାସ୍ତା ମରାମତି ପାଇଁ ଦାବି ହୋଇ ଆସୁଥିଲେ ମଧ୍ୟ ଏଯାଏ ରାସ୍ତା କାମ ହୋଇପାରିନାହିଁ ।

ଗ୍ରାମ ଦେଇ ପଳାସପଙ୍ଗା ବାମେବାରିକୁ ସଂଯୋଗ କରୁଥିବାରୁ ଦୈନନ୍ଦିନ ହଜାର ହଜାର ବାଇକ, ଚାରି ଚକିଆ ଜାନ ଯାଆସ କରିଥାନ୍ତି । ଏହି ରାସ୍ତାରେ ଆଇରନ ଟ୍ରକ୍ ସହଜରେ ପରିବହନ ପାଇଁ କିଡକୋ ସଂସ୍ଥା ଦ୍ୱାରା ରାସ୍ତା ନିର୍ମାଣ କରାଯାଇଥିଲା । ଏହି ରାସ୍ତା ଦେଇ ପ୍ରତିଦିନ ଆବଶ୍ୟକତା ଠାରୁ ଅଧିକ ଆଇରନ ଟ୍ରକ୍ ପରିବହନ କରି ଆସୁଛି । ଫଳରେ ଉକ୍ତ ରାସ୍ତାର ଅବସ୍ଥା ବିପର୍ଯ୍ୟୟ ହୋଇ ପଡ଼ିଛି । ବିଶେଷ କରି କଣ୍ଡରାପଶି ଠାରେ ଏହି ରାସ୍ତା ମରଣଯନ୍ତା ପାଲଟିଛି । ରାସ୍ତା ମଧ୍ୟରେ ବଡ ବଡ ଖାଲ ହୋଇ ଯାଇଥିବାରୁ ପ୍ରତିଦିନ ଦୁର୍ଘଟଣା ଘଟୁଛି । ଏହା ସହ ଉକ୍ତ ରାସ୍ତା ନଷ୍ଟ ହୋଇ ଯାଇଥିବାରୁ ରାସ୍ତାର ଧୂଳି ଯୋଗୁଁ ରାସ୍ତା କଡ଼ରେ ଥିବା ଗ୍ରାମବାସୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ଖାଲଖମା ଯୋଗୁଁ ଆମ୍ବୁଲାନ୍ସ ସେବା କିମ୍ବା ରୋଗୀଟିଏ ଠିକ ସମୟ ରେ ମେଡିକାଲ ପହଂଚି ପାରୁନାହିଁ । ବହୁ ସମୟ ରେ ଟ୍ରକ ଗୁଡିକ ବ୍ରେକ ଡାଉନ୍ ଯୋଗୁଁ ଘଣ୍ଟା ଘଣ୍ଟା ଧରି ରାସ୍ତା ରାସ୍ତା ଜାମ ରହୁଛି ଯାହାଫଳରେ ଛୋଟ ଜାନ ଗୁଡିକ ନିଜ ଜୀବନକୁ ବାଜି ଲଗାଇ ଯାଆସ କରିଥାନ୍ତି ।

ଏନେଇ କଣ୍ଡରାପଶି ଗ୍ରାମବାସୀ ବ୍ଳକରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ଅଭିଯୋଗ କରି ନୟାନ୍ତ ହୋଇ ପଡିଲେଣି । ବହୁବାର ରାସ୍ତା ଅବରୋଧ କରିବା ପରେ ଗତ ମାସ ଉକ୍ତ ରାସ୍ତା ଦେଇ ଚଳାଚଳ କରିଥିବା ଖଣି କମ୍ପାନୀର ଅଧିକାରୀ ମାନେ ରାସ୍ତା ମରାମତି କରିବା ସହ ଦୈନିକ ପାଣି ସିଞ୍ଚନ କରିବାକୁ ଲିଖିତ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ କିଛିଦିନ ପାଣି ଚିଞ୍ଚିବା ପରେ ବନ୍ଦ କରି ଦେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏନେଇ ଶତାଧିକ କଣ୍ଡରାପଶି ଗ୍ରାମବାସୀ ଜିଲ୍ଲାପାଳଙ୍କ ନିକଟକୁ ଆସି ଅଭିଯୋଗ କରିଛନ୍ତି । ଯଦି ଖୁବ ଶୀଘ୍ର ରାସ୍ତା ମରାମତି ଓ ପାଣି ସିଞ୍ଚନ ନକରିଲେ ଆଗାମୀ ସାଧାରଣ ନିର୍ବାଚନରେ ଭୋଟ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି ଗ୍ରାମବାସୀ । ଅଭିଯୋଗ ପରେ ଜିଲ୍ଲାପାଳ ଯଥାଶୀଘ୍ର ଦାବି ପୂରଣ କରିବେ ବୋଲି ପ୍ରତିଶୃତି ଦେଇଥିବା ଜଣାପଡିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.