ବିଶିଷ୍ଟ ସାହିତ୍ୟିକା, ପୂର୍ବତନ ‘ସମାଜ’ ସମ୍ପାଦିକା ମନୋରମା ମହାପାତ୍ରଙ୍କ ପରଲୋକ

ସମାଜର ପୂର୍ବତନ ସଂପାଦିକା ତଥା ବିଶିଷ୍ଟ ସାହିତ୍ୟକା ଓ ଶିକ୍ଷାବିତ୍‌ ମନୋରମା ମହାପାତ୍ରଙ୍କ ବିୟୋଗ । ଏସ୍ସିବି ମେଡିକାଲରେ ଚିକିତ୍ସିତ ହେଉଥିବା ସମୟରେ ପରଲୋକ ହୋଇଛି ।  ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ସୂଚନା ମୁତାବକ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ମେଡିକାଲ ଅଣାଯାଇଥିଲା । ଜଣେ ଶିକ୍ଷାବିତ୍‌, ସାହିତ୍ୟିକ ତଥା ସୁବକ୍ତା ଭାବରେ ସ୍ବର୍ଗତ ମହାପାତ୍ର ଓଡିଆ ସାରସ୍ବତ ଜଗତରେ ନିଜ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରାଯାଇଛନ୍ତି। ବିଭିନ୍ନ ସାମାଜିକ ସମସ୍ୟା, ବିଶେଷକରି ନାରୀ ମାନଙ୍କ ଅଧିକାର ଓ ସମସ୍ୟା ଉପରେ ସଚେତନତା ସୃଷ୍ଟି କରିବା କ୍ଷେତ୍ରରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

ସମାଜର ସଂପାଦିକା ଭାବରେ ସେ ସାମ୍ବାଦିକତା କ୍ଷେତ୍ରରେ ଉଚ୍ଚ ଆଦର୍ଶ ବଜାୟ ରଖିଥିଲେ। ଲୋକସେବକ ମଣ୍ଡଳର ସଦସ୍ୟ ଭାବରେ ସମାଜ ସେବା କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ତାଙ୍କର ବିୟୋଗରେ ଓଡିଶା ଜଣେ ବାଗ୍ମୀ ତଥା ମହିୟସୀ ମହିଳାଙ୍କୁ ହରାଇଲା ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି। ପରଲୋକଗତ ଆତ୍ମାର ସଦ୍‌ଗତି କାମନା କରିବା ସହିତ ମୁଖ୍ୟମନ୍ତ୍ରୀ ଶୋକସନ୍ତପ୍ତ ପରିବାରବର୍ଗକୁ ଗଭୀର ସମବେଦନା ଜଣାଇଛନ୍ତି। ସେ ଓଡ଼ିଶାର ସ୍ୱାଧିନତା ସଂଗ୍ରାମୀ ତଥା ସମାଜର ପୂର୍ବତନ ସଂପାଦକ ଡକ୍ଟର ରାଧାନାଥ ରଥଙ୍କ ଝିଅ । ୧୯୮୪ ମସିହାରେ ସେ ସାହିତ୍ୟ ଏକାଡେମୀ ପୁରସ୍କାରରେ ପୁରସ୍କୃତ ହୋଇଥିଲେ । “କାଦମ୍ବିନୀ” ସମ୍ମାନରେ ବି ତାଙ୍କୁ ସମ୍ମନିତ କରାଯାଇଥିଲା ।

ସେ ଏକାଧାରରେ ଜଣେ କବୟିତ୍ରୀ, ଲେଖିକା, ସ୍ତମ୍ଭକାର, ସାମ୍ବାଦିକା ଓ ଆର୍ଥିନୀତିରେ ଅବସରପ୍ରାପ୍ତ ଅଧ୍ୟାପିକା ଥିଲେ। ୧୯୩୪ ମସିହା ଜୁନ୍‌୧୦ ତାରିଖରେ କଟକ ଜିଲ୍ଲା ଆଠଗଡର ରାଧାଥପୁର ଶାସନରେ ତାଙ୍କର ଜନ୍ମ ହୋଇଥିଲା। ପ୍ରାଥମିକ ଶିକ୍ଷା ଶେଷ ପରେ ରେଭେନସା ଗାର୍ଲସ ହାଇସ୍କୁଲରୁ ମ୍ୟାଟିକ୍‌ ପାସ୍‌ କରିଥିଲେ । ପିଲାଟି ବେଳରୁ ଶିକ୍ଷକତା କରିବାରେ ତାଙ୍କର ଖୁବ ଆଗ୍ରହ ଥିଲା ।
୧୯୭୦ ରୁ ୧୯୮୫ ପର୍ଯ୍ୟନ୍ତ ଅର୍ଥନୀତିରେ ପ୍ରାଧ୍ୟାପିକା ଭାବରେ ଦୀର୍ଘ ୧୫ବର୍ଷ କାଳ ଶିକ୍ଷାଦାନ କରିଛନ୍ତି। ପରେ ସେ ସରକାରୀ ଚାକିରୀରୁ ଅବସର ନେଇ ସାମ୍ବାଦିକତା ଓ ସାହିତ୍ୟ ସେବାରେ ନିଜକୁ ନିୟୋଜିତ ରଖିଥିଲେ। ଅନେକ ଉପନ୍ୟାସ, ଗଳ୍ପ ଓ କବିତା ଓଡ଼ିଆ ସାହିତ୍ୟ ଜଗତକୁ ରୁଦ୍ଧିମନ୍ତ କରିଛି।

ତାଙ୍କ ଅନନ୍ୟ କୃତି ମଧ୍ୟରେ ରହିଛି ବଣରାଇଜର କଥା, ବୈଦେହୀ ବିସର୍ଜିତା, ଏକଲା ନଈର ଗୀତ , ଜହ୍ନରାତିର ମୁହଁ , ସାତ ସମୁଦ୍ର ତେର ନଈ , ଟିକି ବଗିଚାର ଟିକି ଚଢ଼େଇ , ଆଇଙ୍କ ମୁଣିରୁ ବିଜ୍ଞାନ ଗପ , ବନ୍ଦ ଘରର କବାଟ , ଆମେ ସବୁ ନୀରବ ଦର୍ଶକ , ଝଡ଼ପରେ ସୂର୍ଯ୍ୟୋଦୟ , ପାହାନ୍ତି ତାରାର ଲୁହ , ସମୟ ପୁରୁଷ ଆଦି ପ୍ରସିଦ୍ଧ ଗପ ଓ ଉପନ୍ୟାସ ରହିଛି। ତାଙ୍କ ପରଲୋକରେ ସାହିତ୍ୟ ଜଗତରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ପରଲୋକରେ ଓଡ଼ିଶାର ରାଜ୍ୟପାଳ ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ସମେତ ମାନ୍ୟଗଣ୍ୟ ବ୍ୟକ୍ତି ଶୋକ ବ୍ୟକ୍ତ କରିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.