ବେଙ୍ଗାଲୁରୁ : ନିର୍ଯାତିତ ଓଡ଼ିଆ ଶ୍ରମିକଙ୍କୁ ଉଦ୍ଧାର ପରେ ଓଡ଼ିଶା ପଠାଗଲା

ବେଙ୍ଗାଲୁରୁ (କେନ୍ୟୁଜ୍‌) : ଓଡିଶାରୁ ବେଙ୍ଗାଲୁରୁକୁ ବହୁତ ଲୋକ ଆସନ୍ତି କିଛି ରୋଜଗାର କରିବା ଆଶାରେ । ଯେଉଁମାନେ ବଡ଼ ବଡ଼ ଚାକିରି କରିଛନ୍ତି ସେମାନେ ଭଲରେ ଅଛନ୍ତି । ହେଲେ ଯେଉଁମାନେ ଶ୍ରମିକ ଭାବେ ଆସନ୍ତି ସେମାନଙ୍କ ମଧ୍ୟରୁ ବେଳେ ବେଳେ କିଛି ଲୋକ ନିର୍ଯାତନାର ଶିକାର ହେଉଛନ୍ତି । ଦଲାଲ ଠିକାଦାରମାନେ ଭୁଲ କଥା କହି ଓଡ଼ିଶାରୁ ଶ୍ରମିକମାନଙ୍କୁ ବେଙ୍ଗାଲୁରୁ ଆଣି ବିଭିନ୍ନ କମ୍ପାନୀରେ ଲଗାଉଛନ୍ତି । ହେଲେ ସେମାନଙ୍କୁ ପୂର୍ବରୁ ଯାହା କୁହାଯାଇଥାଏ ପରେ ତାହା ବଦଳି ଯାଏ । ସେମାନଙ୍କୁ ଅନ୍ୟ କାମରେ ଲଗାଇ ଦିଆଯାଏ । ଯେଉଁମାନେ ବିରୋଧ କରନ୍ତି ସେମାନେ ଅତ୍ୟାଚାର ଓ ନିର୍ଯାତନାର ଶିକାର ହୁଅନ୍ତି । ମାଡ଼ ମଧ୍ୟ ଖାଇବାର ନଜରି ରହିଛି । ଅନେକ ଜାଗାରେ ଏହି ଶ୍ରମିକମାନେ ଲୁଚି ଛପି ଘରକୁ ମଧ୍ୟ ପଳାଉଥିବା ଦେଖିବାକୁ ମିଳିଛି । ଏମିତିକି ନିର୍ଯାତନା ଯୋଗୁଁ ଲୋକଙ୍କର ମୃତ୍ୟୁ ମଧ୍ୟ ଘଟିଛି । ଏବେ ସେହିଭଳି ଏକ ଘଟଣା ଆମ ନଜରକୁ ଆସିଛି । ଆମ ପ୍ରତିନିଧିଙ୍କ ସହଯୋଗରେ ଜଣେ ନିର୍ଯାତିତ ଓଡ଼ିଆ ଶ୍ରମିକ ଉଦ୍ଧାର ହୋଇ ଶେଷରେ ଘରକୁ ଫେରିଛି ।

ଗତ ମାର୍ଚ୍ଚ ୧୩ ତାରିଖ ଦିନ ଜଣେ ଓଡ଼ିଆ ଶ୍ରମିକ ନିର୍ଯାତନର ଶିକାର ହୋଇ କମ୍ପାନିରୁ ଲୁଚି ପଳାଇ ଆସିଥିଲେ । ଏହି ଓଡ଼ିଆ ଶ୍ରମିକ ଜଣଙ୍କ ହେଲେ ଖୋର୍ଦ୍ଧା ଜିଲ୍ଲା ବଙ୍ଗିଦା ପଞ୍ଚାୟତ ଆଡଖଣ୍ଡିଆ ଗାଁର ସୁରେନ୍ଦ୍ର ନାୟକ । ସେ ବେଙ୍ଗାଲୁରୁ ହେବାଲ ଠାରେ ଏକ କମ୍ପାନୀରେ କାର୍ଯ୍ୟ କରୁଥିଲେ । ପ୍ରାୟ ଏକ ମାସ ତଳେ ସେ ବେଙ୍ଗାଲୁରୁ ଆସିଥିଲେ । ହେଲେ ଠିକାଦାର ତାଙ୍କୁ ଯେଉଁ କାମ କରିବା ପାଇଁ କହିକି ଆଣିଥିଲା ସେଥିରେ ନଲଗାଇ ଅନ୍ୟ କାର୍ଯ୍ୟରେ ତାଙ୍କୁ ନିୟୋଜିତ କରିଥିଲା । ଏଭଳି ସେମାନେ ୧୦ ରୁ ୧୫ ଜଣ ଆସିଥିବା କହିଛନ୍ତି ସୁରେନ୍ଦ୍ର । କିନ୍ତୁ କିଛି ଗୋଟିଏ ଦିନ କାମ କରିବା ପରେ ନିର୍ଯାତନାର ଶିକାର ହେଲେ । ଫଳରେ ଜଣେ ଜଣେ ଲୁଚିକି ପଳାଇବାକୁ ଆରମ୍ଭ କଲେ । ସୁରେନ୍ଦ୍ର ବି ଗତ ୧୩ ତାରିଖ ଦିନ ଲୁଚିକି ପଳାଇ ଆସିଥିଲେ । ହେଲେ ତାଙ୍କ ପାଖରେ ଅର୍ଥ ନଥିବାରୁ ସେ କଣ କରିବେ କିଭଳି ଘରକୁ ଫେରିବେ କିଛି ଉପାୟ ନପାଇ ହେବାଲରେ ଥିବା ଏକ ହସ୍ପିଟାଲ ନିକଟକୁ ଆସି ସାହାଯ୍ୟ ମାଗିଥିଲେ । କିନ୍ତୁ କାହାଠାରୁ ବି ତାଙ୍କୁ ସାହାଯ୍ୟ ମିଳିନଥିଲା । କାରଣ ସୁରେନ୍ଦ୍ରଙ୍କ ଭାଷା କେହି ବୁଝି ପାରିନଥିଲେ । ସୁରେନ୍ଦ୍ର ଓଡ଼ିଆ ବ୍ୟତୀତ ଅନ୍ୟ ଭାଷା ଜାଣିନଥିଲା । ଗୋଟିଏ ଦିନ ଉପାସରେ କଟିଥିଲା ସୁରେନ୍ଦ୍ରଙ୍କର।

ପର ଦିନ ଅର୍ଥାତ ୧୪ ତାରିଖ ଦିନ ସନ୍ଦୀପ ଜି ନାମକ ଜଣେ ବ୍ୟକ୍ତି ତାଙ୍କ ମା’ଙ୍କୁ ମେଡିକାଲ ନେଇଥିଲେ ଦେଖାଇବାକୁ । ସେହିଠରେ ସୁରେନ୍ଦ୍ରଙ୍କୁ କାନ୍ଦୁଥିବାର ଦେଖି ପଚାରିବା ପାରେ ଜାଣିବାକୁ ପାଇଲେ ସେ ଓଡ଼ିଆ ବୋଲି । ପରେ ସେ ଆହ୍ୱାନ ଫାଉଣ୍ଡେସନକୁ ତାଙ୍କ କଥା ଜଣାଇ ଥିଲେ । ଆହ୍ୱାନ ଫାଉଣ୍ଡେସନର ମୁଖ୍ୟ ବ୍ରଜକିଶୋର ପ୍ରଧାନ ଏକଥା ଜାଣିବା ପରେ ଆମ ବେଙ୍ଗାଲୁରୁ ପ୍ରତିନିଧି ଗୋବିନ୍ଦ ବାରିକଙ୍କୁ ଯୋଗାଯୋଗ କରିଥିଲେ । ଖବର ପାଇବା ପରେ ଆମ ପ୍ରତିନିଧି ତାଙ୍କୁ ସେଠାରୁ ଆଣି ଏକ ପିଜିରେ ରଖି ଥିଲେ । ଆଜି ତାଙ୍କୁ ପ୍ରଶାନ୍ତି ଟ୍ରେନ ଯୋଗେ ନିଜ ଗ୍ରାମକୁ ପଠାଇଛନ୍ତି । ଗୋବିନ୍ଦଙ୍କ ସମେତ, ବ୍ରଜକିଶୋର ପ୍ରଧାନ, ସନ୍ଦୀପ ଜି, ପିଜି ମାଲିକ ପ୍ରମୋଦ ବେହେରା, ସମାଜସେବୀ ଅଭୟ ବାରିକ ଓ ଅମିତ ଦାଶ ପ୍ରମୁଖଙ୍କ ସହଯୋଗରେ ସୁରେନ୍ଦ୍ର ଘରକୁ ଫେରି ପାରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.