ବିଷୁବ ସଂକ୍ରାନ୍ତି ଅବସରରେ କିଟ୍ ଓ କିସରେ ପାଳିତ ହେଲା ଓଡ଼ିଆ ନବବର୍ଷ
ଓଡ଼ିଆ ନବବର୍ଷ ଓ ବିଷୁବ ସଂକ୍ରାନ୍ତି ଅବସରରେ କିଟ୍ ଓ କିସରେ ଆଜି ଅନେକଗୁଡ଼ିଏ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ କିଟ୍ ଓ କିସ୍ ପକ୍ଷରୁ ଓଡ଼ିଆ ନବବର୍ଷ ଓ ଆଞ୍ଚଳିକ ନବବର୍ଷ ପାଳିତ ହୋଇଥିଲା।

ଭୁବନେଶ୍ୱର : ଓଡ଼ିଆ ନବବର୍ଷ ଓ ବିଷୁବ ସଂକ୍ରାନ୍ତି ଅବସରରେ କିଟ୍ ଓ କିସରେ ଆଜି ଅନେକଗୁଡ଼ିଏ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ କିଟ୍ ଓ କିସ୍ ପକ୍ଷରୁ ଓଡ଼ିଆ ନବବର୍ଷ ଓ ଆଞ୍ଚଳିକ ନବବର୍ଷ ପାଳିତ ହୋଇଥିଲା । ଏଥିରେ ବିଭିନ୍ନ ରାଜ୍ୟରୁ କିଟରେ ପଢୁଥିବା ଛାତ୍ରଛାତ୍ରୀଙ୍କ ଦ୍ଵାରା ଆୟୋଜିତ ଆଞ୍ଚଳିକ ନବବର୍ଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।
ଏଥିରେ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ କିଟ୍ କୁଳପତି ପ୍ରଫେସର ଶରଣଜିତ ସିଂହ, ଉପକୁଳପତି ଡା ସିବିକେ ମହାନ୍ତି, କୁଳସଚିବ ପ୍ରଫେସର ଜ୍ଞାନରଞ୍ଜନ ମହାନ୍ତି, କିସ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଦୀପକ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ପୂର୍ବାହ୍ନରେ କିସ୍ ପକ୍ଷରୁ ଆମ୍ବେଦକର ଜୟନ୍ତୀ ପାଳିତ ହୋଇଯାଇଛି । କିସ୍ ପରିସରରେ ଥିବା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ସମ୍ବିଧାନ ପ୍ରଣୟନ କ୍ଷେତ୍ରରେ ଆମ୍ବେଦରକରଙ୍କ ଭୂମିକା ସମ୍ପର୍କରେ ଆଲୋଚନା କରାଯାଇଥିଲା ।
ଆଜି କିଟ୍ ପରିସରରେ ପ୍ରତିଷ୍ଠାତା ଶ୍ରୀ ସାମନ୍ତଙ୍କ ଦ୍ୱାରା କିଟ୍ ପରିବହନ ଭବନ ଉଦ୍ଘାଟିତ ହୋଇଯାଇଛି । ଏଠାରେ କିଟ୍ ଶିକ୍ଷାନୁଷ୍ଠାନ ସମୂହର ପ୍ରାୟ ୫ଶହରୁ ଊର୍ଦ୍ଧ୍ୱ ଗାଡ଼ି ନିୟନ୍ତ୍ରିତ ହୋଇଥାଏ । ଶ୍ରୀ ସାମନ୍ତଙ୍କ ଉଦ୍ୟମରେ ପ୍ରତିବର୍ଷ ପଣା ସଂକ୍ରାନ୍ତିଠାରୁ କିଟ୍ ଓ କିସ୍ର ବିଭିନ୍ନ ସ୍ଥାନରେ ଜଳଛତ୍ର ଖୋଲାଯାଇ ଜନସାଧାରଣ ଙ୍କୁ ଦହିପାଣି ବଣ୍ଟନର ବ୍ୟବସ୍ଥା କରାଯାଇଥାଏ । ଚଳିତବର୍ଷ ମଧ୍ୟ କିଟ୍ ଓ କିସ୍ର ୬ଟି ବିଭିନ୍ନ ସ୍ଥାନରେ ଖୋଲାଯାଇଥିବା ଜଳଛତ୍ରକୁ ଶ୍ରୀ ସାମନ୍ତ ଉଦ୍ଘାଟନ କରିଥିଲେ । ଖରାକୁ ଲକ୍ଷ୍ୟକରି ଆସନ୍ତା ଦେଢ଼ମାସ ପର୍ଯ୍ୟନ୍ତ ଏହି ଜଳଛତ୍ରଗୁଡ଼ିକରେ ଦହିପାଣି ବଣ୍ଟନର ବ୍ୟବସ୍ଥା କରାଯିବ । ଆଜି କିଟ୍ କ୍ୟାମ୍ପସ୍ରେ ଏକ ଅତ୍ୟାଧୁନିକ ଫୁଡ୍ କୋର୍ଟକୁ ମଧ୍ୟ ପ୍ରତିଷ୍ଠାତା ଶ୍ରୀ ସାମନ୍ତ ଉଦ୍ଘାଟନ କରିଥିଲେ ।