Below header

ଆଜି ଛାଡଖାଇ : ଘରେ ଘରେ ଜମିବ ମାଛ ମାଂସର ଆସର

ଘରେ ଘରେ ଜମିବ ମାଛ ମାଂସର ଆସର । ମାସ ତମାମ ନିଷ୍ଠାର ସହ ନିରାମିଷ ଖାଦ୍ୟ ଖାଇଥିଲେ ଲୋକେ । ଆଉ ଅପେକ୍ଷା ଥିଲା ଛାଡଖାଇକୁ । ପଞ୍ଚୁକ ପରେ ପାଟିରେ ଟିକେ ଆଇଁସ ବାଜିବ। କିନ୍ତୁ ମଙ୍ଗଳବାରେ ଛାଡ଼ଖାଇ ପଡ଼ୁଥିବାରୁ ଆମିଷ ବେପାର ଟିକେ ଫିକା ପଡ଼ିବ ବୋଲି ଆଶା କରାଯାଉଛି।

ଭୁବନେଶ୍ୱର (କେନ୍ୟୁଜ): ସରିଲା ଧର୍ମ ମାସ କାର୍ତ୍ତିକ । ଘରେ ଘରେ ଜମିବ ମାଛ ମାଂସର ଆସର । ମାସ ତମାମ ନିଷ୍ଠାର ସହ ନିରାମିଷ ଖାଦ୍ୟ ଖାଇଥିଲେ ଲୋକେ । ଆଉ ଅପେକ୍ଷା ଥିଲା ଛାଡଖାଇକୁ । ପଞ୍ଚୁକ ପରେ ପାଟିରେ ଟିକେ ଆଇଁସ ବାଜିବ। କିନ୍ତୁ ମଙ୍ଗଳବାରେ ଛାଡ଼ଖାଇ ପଡ଼ୁଥିବାରୁ ଆମିଷ ବେପାର ଟିକେ ଫିକା ପଡ଼ିବ ବୋଲି ଆଶା କରାଯାଉଛି।ତଥାପି ଆମିଷ ବେପାରୀ ସଜବାଜ ଆରମ୍ଭ କରିଦେଲେଣି। ରାଜଧାନୀକୁ ଛେଳି, କୁକୁଡ଼ା, ମାଛ, କଙ୍କଡ଼ା ଆସିଲେଣି। କିଛି ଲୋକ ପୁଣି ୨୪ ଘଣ୍ଟା ପରେ ବୁଧବାର ଆମିଷ ଖାଇବା ପାଇଁ ବରାଦ ମଧ୍ୟ ଆରମ୍ଭ କରିସାରିଲେଣି। ଏଥର ଛାଡ଼ଖାଇ ମଙ୍ଗଳବାର ପଡ଼ୁଥିବାରୁ ମଙ୍ଗଳ ଓ ବୁଧବାର ଦୁଇ ଦିନ ଛାଡ଼ଖାଇ ସାରା ରାଜଧାନୀରେ ଧୁମଧାମ୍‌ରେ ପାଳନ ହେବାକୁ ପ୍ରସ୍ତୁତି ଶେଷ।

ଏଥର ଆମିଷ ବଜାରରେ ୧୨ କୋଟି ଟଙ୍କାର ବେପାର ହେବ ବୋଲି ବ୍ୟବସାୟୀ ସଂଘ ଆଶା ରଖିଛି। ଛାଡ଼ଖାଇରେ ମଟନର ଅଧିକ ଡିମାଣ୍ଡ ରହିବ। ୧ ମାସ ଧରି ଲୋକେ ଆମିଷ ଖାଇ ନ ଥିବାରୁ ମଟନ ଖାଇବାକୁ ଅଧିକ ପସନ୍ଦ କରିବେ। ଏହାକୁ ନଜରରେ ରଖି ମଟନ ବ୍ୟବସାୟୀମାନେ ଆଗୁଆ ଖାସି ଆଣି ଷ୍ଟକୟାର୍ଡରେ ରଖିଛନ୍ତି। ତେବେ ଡିମାଣ୍ଡକୁ ଦେଖି ରାଜ୍ୟ ବାହାରୁ ମଧ୍ୟ ଖାସି ମଗାଯାଇଛି। ଛାଡ଼ଖାଇ ପାଇଁ ମଟନ୍‌ ଦର କିଲୋ ପିଛା ୭୫୦ରୁ ୮ଶହ ଟଙ୍କା ରହିବ। ସେହିପରି ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ମାର୍କେଟରେ ଚିକେନ୍‌, ମାଛ, ଚିଙ୍ଗୁଡ଼ି ଆଦି ପର୍ଯ୍ୟାପ୍ତ ପରିମାଣର ରଖାଯିବ। ଚିକେନ୍‌ କିଲୋ ପ୍ରତି ଦର ୨୨୦ଟଙ୍କା, ଦେଶୀ କୁକୁଡ଼ା ୪ଶହ ଟଙ୍କା ରହିବ। ସେହିପରି ରୋହି ଓ ଭାକୁର ମାଛର ଦର ୨୦୦ରୁ ୨୨୦ଟଙ୍କା, ଜଳଙ୍ଗ ୧୭୦ରୁ ୧୯୦ ଟଙ୍କା, ବଡ଼ ଚିଙ୍ଗୁଡି ୪ଶହ ଟଙ୍କା, ଛୋଟ ଚିଙ୍ଗୁଡି ୨ଶହରୁ ୩ଶହ ଟଙ୍କା, ମହୁରାଳି ମାଛ ୨ଶହରୁ ୨୨୦ ଟଙ୍କା, ପୋହଳା ୨ଶହରୁ ୨୧୦ଟଙ୍କା, ମିରିକାଳି ୨୨୦ରୁ ୨୪୦ ଟଙ୍କା, ଭେକଟି ୬ଶହ ଟଙ୍କା, ଇଲିସି (ଆକାର ଅନୁଯାୟୀ) ୮ଶହରୁ ୨ହଜାର ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେବ।

ଏହାବ୍ୟତୀତ, ଛାଡ଼ଖାଇରେ ଅନେକ ବାହାଘର ଭୋଜି ରହୁଥିବାରୁ କେବଳ ରାଜଧାନୀରେ ଚିକେନ୍ ବ୍ୟବସାୟ ବୁଧବାର ଅଧିକ ହେବ। ଆନ୍ଧ୍ର ବ୍ୟତୀତ ପିପିଲି ଅଞ୍ଚଳରୁ ବ୍ରଏଲର ଆସିଥିବା ବେଳେ ବାରିପଦାରୁ ଦେଶୀ କୁକୁଡ଼ା ଆସିଛି। ଛାଡ଼ଖାଇରେ କିନ୍ତୁ ମଟନ ଓ ଚିକେନ୍ ଅପେକ୍ଷା ମାଛର ଚାହିଦା ବେଶି ରହିଥାଏ। ଅନ୍ୟ ଦିନଗୁଡ଼ିକରେ ରାଜଧାନୀକୁ ଆନ୍ଧ୍ରରୁ ୩ଟି ମାଛ ଗାଡ଼ି ଆସିଥାଏ। ତେବେ ଛାଡ଼ଖାଇ ପାଇଁ ଏଥର ୧୨ଟି ଗାଡ଼ି ଅର୍ଥାତ୍‌ ୧ କୋଟି ୨୦ ଲକ୍ଷ ଟଙ୍କାର ମାଛ ଆସିବ। ତେବେ ଛାଡ଼ଖାଇ ପରଦିନ ମାଣବସା ଗୁରୁବାର ଥିବାରୁ କିଛି ଲୋକ ବୁଧବାର ଆମିଷ ଖାଇବେ ନାହିଁ। ତେଣୁ ଶୁକ୍ରବାର ଏବଂ ରବିବାର ମଧ୍ୟ ଭଲ ବ୍ୟବସାୟ ହେବ ବୋଲି ଆଶା କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.