ମନ୍ତ୍ରୀଙ୍କ ପାଇଁ ମହଙ୍ଗା ପଡିଲା ମନ୍ତବ୍ୟ, ଶେଷରେ ଇସ୍ତଫା ଦେଲେ ପ୍ରଦୀପ ମହାରଥୀ

ଭୁବନେଶ୍ବର : କୃଷି ଓ ପଞ୍ଚାୟତିରାଜ ମନ୍ତ୍ରୀ ପଦରେ ଥିଲେ ମହାରଥୀ। ପିପିଲି ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ରାୟ ଆସିବା ପରେ ବୟାନ ଦେଇ ବିବାଦୀୟ ହୋଇପଡ଼ିଥିଲେ ମହାରଥୀ। ଏହାପର ଠାରୁ ତାଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରିବା ଦାବି କରିଥିଲା ବିଜେପି ଓ କଂଗ୍ରେସ ମହିଳା ମୋର୍ଚ୍ଚା। ପରିସ୍ଥିତି ଏପରି ହୋଇଥିଲା ଯେ, ଗତ କିଛି ଦିନ ଧରି କୃଷି ବିଭାଗର ଅନେକ କାର‌୍ୟ୍ୟକ୍ରମରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳିନଥିଲା। ଆଉ ଆଜି ନିଜ ପଦରୁ ଇସ୍ତଫା ଦେଇଛନ୍ତି।

ପୂର୍ବରୁ ଏହି ମାମଲାରେ ୨୦୧୨ରେ ମଧ୍ୟ ସେ ବିବାଦୀୟ ହୋଇ ମନ୍ତ୍ରୀପଦରୁ ଇସ୍ତଫା ଦେଇଥିଲେ। ଗତକାଲି ବାରିପଦା ବିଜେପି ସମାବେଶରେ ପିପିଲି ଗଣଦୁଷ୍କର୍ମ ଘଟଣା ଉଠାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହଥିଲେ, ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ମିଳିନାହିଁ। ଏ ଘଟଣାରେ ସରକାର ପୁନଃ ଯାଞ୍ଚ କରିବା ଆବଶ୍ୟକ ବୋଲି କହିଥିଲେ ମୋଦି। ଏହା ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ପିପିଲି ମାମଲାକୁ ରାଜ୍ୟ ସରକାର ଗୁରୁତର ସହ ନେଇଛନ୍ତି। ଆଉ ଆଜି ମହାରଥୀ ଇସ୍ତଫା ଦେଇଛନ୍ତି।

ଅନ୍ଯପଟେ ଇସ୍ତଫା ନେଇ ପ୍ରତିକ୍ରିୟା ରଖିଛନ୍ତି ପ୍ରଦୀପ ମହାରଥୀ । କହିଛନ୍ତି ସ୍ୱଇଚ୍ଛାରେ ଇସ୍ତଫା ଦେଇଛି । ମୋ ଯୋଗୁ ଦଳ ଉପରେ ଚାପ ନ ପଡ଼ୁ ସେଥିପାଇଁ ଇସ୍ତଫା ଦେଇଥିବା କହିଛନ୍ତି ମହାରଥୀ ।

ପିପିଲିରୁ ୬ଥର ବିଧାୟକ ଭାବେ ନିର୍ବାଚିତ ହୋଇ ବିଭିନ୍ନ ସମୟରେ ମନ୍ତ୍ରିମଣ୍ଡଳରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ତୁଲାଇଛନ୍ତି। ୧୯୮୫ରୁ ୧୯୯୫ ଯାଏ ଜନତା ଦଳରୁ ଏବଂ ୨୦୦୦ ମସିହାରୁ ଲଗାତାର ଚାରି ଚାରି ଥର ବିଜୁ ଜନତା ଦଳରୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ୨୦୧୧ରେ କୃଷି ମନ୍ତ୍ରୀ ହୋଇଥିଲେ ପ୍ରଦୀପ ମହାରଥୀ। ହେଲେ ପିପିଲି ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ବିବାଦୀୟ ହୋଇ ୨୦୧୨ ଜାନୁଆରି ୧୯ତାରିଖରେ ମନ୍ତ୍ରୀପଦରୁ ଇସ୍ତଫା ଦେଇଥିଲେ। ୨୦୧୪ରେ ପୁଣି କୃଷି, ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ପରେ କୃଷି, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ମନ୍ତ୍ରୀ ଭାବେ କାର‌୍ୟ୍ୟ କରିଥିଲେ। ଗତ ଡିସେମ୍ବର ୨୫ତାରିଖରେ ବହୁ ଚର୍ଚ୍ଚିତ ପିପିଲି ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍‌ଙ୍କ ରାୟ ଆସିଥିଲା। ଏହି ମାମଲାରେ ଅଭିଯୁକ୍ତ ଦୁଇ ଭାଇଙ୍କୁ କୋର୍ଟ ଦୋଷମୁକ୍ତ କରିଥିଲେ । ଆଉ ଏହା ଉପରେ ବୟାନ ଦେଇ ଅନେକ ମହିଳା ସଂଗଠନ ସହ ବିଜେପି ଓ କଂଗ୍ରେସର ମହିଳା ମୋର୍ଚ୍ଚାର ରୋଷର ଶିକାର ହୋଇଥିଲେ ମହାରଥୀ । ତାଙ୍କ ଇସ୍ତଫା ନେଇ ପ୍ରବଳ ଚାପ ପଡ଼ିଥିଲା। ଶେଷରେ ବିବାଦୀୟ ବୟାନ ପାଇଁ ମହାରଥୀ ଇସ୍ତଫା ଦେଇଛନ୍ତି।

ଏହା ସହ ପଢନ୍ତୁ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଇସ୍ତଫା ଦାବିରେ ରାଜ୍ୟ ମହିଳା କଂଗ୍ରେସର ବିକ୍ଷୋଭ

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.