Below header

ଓଡିଶାରେ ମଜବୁତ ହେବ କି ବିଜେପି? ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିଲେ ରାଜ୍ୟ ବିଜେପିର ବରିଷ୍ଠ ପ୍ରତିନିଧି ଦଳ

କେନ୍ୟୁଜ୍(ବ୍ୟୁରୋ): ପଞ୍ଚାୟତ ଓ ପୌର ନିର୍ବାଚନ ଫଳାଫଳ ଘୋଷଣା ପରେ ଆଜି ରାଜ୍ୟ ବିଜେପିର ବରିଷ୍ଠ ପ୍ରତିନିଧି ଦଳ ଦିଲ୍ଲୀରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ସାକ୍ଷାତ କରିଛନ୍ତି । ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ରାଜ୍ୟ ସାଧାରଣ ସମ୍ପାଦକ ପୃଥୀରାଜ ହରିଚନ୍ଦନ, ରାଜ୍ୟ ସମ୍ପାଦକ କାଳନ୍ଦି ସାମଲ ଓ ଅନ୍ୟାନ୍ୟ ନେତୃବୃନ୍ଦ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ସହ ରାଜ୍ୟ ପ୍ରତିନିଧି ମଣ୍ଡଳି ରାଜ୍ୟର ସାଂପ୍ରତିକ ରାଜନୈତିକ ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ ।

ଏହି ଅବସରରେ ଓଡ଼ିଶାରେ ଆଗାମୀ ସାଧାରଣ ନିର୍ବାଚନରେ ରାଜ୍ୟ ବିଜେପି କିଭଳି ଭଲ ପ୍ରଦର୍ଶନ କରିପାରିବ ସେ ଦିଗରେ ରଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ନଡ୍ଡା ମାର୍ଗଦର୍ଶନ କରିଥିଲେ । ଦଳର ସଂଗଠନକୁ ତୃଣମୂଳ ସ୍ତରରେ ମଜଭୂତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକାଭିମୁଖୀ ଓ ଗରିବ କଲ୍ୟାଣକାରୀ ଯୋଜନା କିଭଳି ଘରେ ଘରେ ପହଁଚିବ, ତା’ଉପରେ ମଧ୍ୟ ମତପ୍ରକାଶ କରିଥିଲେ ।

ପରବର୍ତ୍ତୀ ପର୍ଯ୍ୟାୟରେ ଦଳୀୟ ସଦସ୍ୟମାନେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବାସଭବନରେ ଓ କେନ୍ଦ୍ର ରେଳ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ରେଳ ଭବନ ଠାରେ ମଧ୍ୟ ସାକ୍ଷାତ୍ କରିବା ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ ।

ଏହି ପ୍ରତିନିଧି ମଣ୍ଡଳିରେ ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ, ଗୋଲକ ମହାପାତ୍ର, ରବି  ନାରାୟଣ ନାଏକ, ସାଧାରଣ ସମ୍ପାଦକା ଡା. ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ, ଟଙ୍କଧର ତ୍ରିପାଠୀ ଓ ରାଜ୍ୟ କୋଷାଧ୍ୟକ୍ଷ ସୁଦର୍ଶନ ଗୋଏଲ ପ୍ରମୁଖ ସାମିଲ ଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.