Below header

ଗାର୍ଡ ଅଫ ଅନର ବ୍ୟବସ୍ଥା ଉଚ୍ଛେଦ ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର(କେନ୍ୟୁଜ୍): ରାଜ୍ୟରେ ଆଜିଠୁ ଗାର୍ଡ ଅଫ ଅନର ବ୍ୟବସ୍ଥା ଉଚ୍ଛେଦ । ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ସରକାରୀ ପଦାଧିକାରୀଙ୍କୁ ଦିଆଯାଉଥିବା ଗାର୍ଡ ଅଫ ଅନର ବା ହାଉସ ଗାର୍ଡ ବ୍ୟବସ୍ଥାକୁ ଉଚ୍ଛେଦ କରାଗଲା। ଏଥିପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଣିକି କେବଳ ସାଧାରଣତନ୍ତ୍ର ଦିବସ, ସ୍ୱାଧୀନତା ଦିବସ ଓ ଉତ୍କଳ ଦିବସ ଅବସରରେ ନିମନ୍ତ୍ରିତ ମୁଖ୍ୟ ଅତିଥିଙ୍କୁ ଗାର୍ଡ ଅଫ ଅନର ଦିଆଯାଇପାରିବ । ତେବେ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ରାଜ୍ୟପାଳ, ଲୋକାୟୁକ୍ତ, ସୁପ୍ରିମକୋର୍ଟ ଓ ହାଇକୋର୍ଟଙ୍କ ମୁଖ୍ୟ ବିଚାରପତିଙ୍କ କ୍ଷେତ୍ରରେ ଏହା ପୂର୍ବଭଳି କାର‌୍ୟ୍ୟକାରୀ ହେବ । ସେହିପରି ସ୍ୱାଧୀନତା ସଂଗ୍ରାମୀଙ୍କୁ ସଭାସମିତିରେ ମାନ୍ୟବର ଭାବରେ ସମ୍ବୋଧନ କରାଯିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଉଚ୍ଚ ସାମ୍ବିଧାନିକ ପଦବୀରେ ଥିବା ବ୍ୟକ୍ତିବିଶେଷ ଓ ସ୍ୱାଧୀନତା ସଂଗ୍ରାମୀଙ୍କୁ ହିଁ କେବଳ ମାନ୍ୟବର ସମ୍ବୋଧନ କରାଯିବ । ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ସରକାରୀ ଗାଡ଼ିରୁ ପ୍ରଥମେ ନାଲିବତି ହଟାଇ ଉଦାହରଣ ସୃଷ୍ଟି କରିଥିଲେ । ଏବେ ଗାର୍ଡ ଅଫ୍‌ ଅନର୍‌ ବ୍ୟବସ୍ଥା ଉଚ୍ଛେଦ କରି ନୂଆ ପରମ୍ପରା ସୃଷ୍ଟି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.