Below header

ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ଓକିଲଙ୍କ ଆନ୍ଦୋଳନ ଉପରେ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ

ନୂଆଦିଲ୍ଲୀ:ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ଓକିଲଙ୍କ ଆନ୍ଦୋଳନ ଉପରେ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ। ଯେପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିବ, ସେପର୍ଯ୍ୟନ୍ତ ଦାବି ସମ୍ପର୍କରେ ହାଇକୋର୍ଟ ଅନୁଧ୍ୟାନ କରିବାର ପ୍ରଶ୍ନ ଉଠୁନି। ଓଡ଼ିଶା ହାଇକୋର୍ଟ ଦେଇଥିବା ଏସମ୍ପର୍କିତ ସତ୍ୟପାଠ ଉପରେ ଶୁଣାଣି କରି ଏଭଳି ନିର୍ଦ୍ଦେଶନାମା ଜାରି କରିଛନ୍ତି ସୁପ୍ରିମକୋର୍ଟ। ହାଇକୋର୍ଟ ରେଜିଷ୍ଟ୍ରାର୍‌ ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ସମ୍ପର୍କରେ ରିପୋର୍ଟ ଦେଇଥିଲେ।

ସର୍ବୋଚ୍ଚ ଅଦାଲତ କହିଛନ୍ତି, ଗତ ନଭେମ୍ବର ୮ ତାରିଖ ନିର୍ଦ୍ଦେଶ ପରେ ବି ରାଜ୍ୟର କିଛି ଜିଲ୍ଲା କୋର୍ଟରେ କାର୍ଯ୍ୟ ଆରମ୍ଭ ହୋଇନି। କିଛି ଜିଲ୍ଲା କୋର୍ଟରେ ବର୍ଷସାରା କାର୍ଯ୍ୟ ଠପ୍‌ ହୋଇଛି। ଏହି ପରିପ୍ରେକ୍ଷୀରେ ହାଇକୋର୍ଟଙ୍କ ଉପରେ କିଛି ଦାୟିତ୍ୱ ଛାଡ଼ିଛନ୍ତି ସୁପ୍ରିମକୋର୍ଟ। କହିଛନ୍ତି, ଯେଉଁସବୁ ଜିଲ୍ଲାର କୋର୍ଟରେ କାମ ହେଉ ନାହିଁ ଏବଂ ସେସବୁ ଜିଲ୍ଲା ସୀମାବର୍ତ୍ତୀ ଯେଉଁ କୋର୍ଟରେ କାର୍ଯ୍ୟ ସ୍ୱାଭାବିକ ରହିଛି, ସେସବିକୁ ଚିହ୍ନଟ କର। ଯେଉଁ ଜିଲ୍ଲା କୋର୍ଟରେ କାର୍ଯ୍ୟ ସ୍ୱାଭାବିକ ଭାବରେ ଚାଲିଛି, ସେଠାକୁ କାମ ହେଉ ନଥିବା ଜିଲ୍ଲା କୋର୍ଟର ଦାୟିତ୍ୱ ଦିଆଯିବା ସହ ଅଧିକାରୀଙ୍କୁ ବଦଳି କରାଯାଉ।

ସୁପ୍ରିମକୋର୍ଟଙ୍କୁ ଅବଗତ କରାଯାଇଥିଲା ଯେ, ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ଓକିଲମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିଛନ୍ତି। ଏହା ଉପରେ ସୁପ୍ରିମକୋର୍ଟ କହିଛନ୍ତି, ଦାବିର ଯଥାର୍ଥତା ଥାଇପାରେ। କିନ୍ତୁ ଜିଲ୍ଲା କୋର୍ଟଗୁଡ଼ିକରେ କାର୍ଯ୍ୟ ଠପ୍‌ କରାଯାଇ ପାରିବ ନାହିଁ। ଏହାସହ ସର୍ବୋଚ୍ଚ ଅଦାଲତ ପ୍ରଶ୍ନ କରିଛନ୍ତି, ଯେତେବେଳେ ଜିଲ୍ଲାକୋର୍ଟଗୁଡ଼ିକରେ କୌଣସି କାମ ହେଉ ନାହିଁ, ସେହି ପରିସ୍ଥିତିରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା କିଭଳି ହେବ? ଯେପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିବ, ସେପର୍ଯ୍ୟନ୍ତ ଦାବି ସମ୍ପର୍କରେ ହାଇକୋର୍ଟ ଅନୁଧ୍ୟାନ କରିବାର ପ୍ରଶ୍ନ ଉଠୁନି ବୋଲି କହିଛନ୍ତି ସୁପ୍ରିମକୋର୍ଟ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.