୩୨ ବର୍ଷ ତଳେ କଟକ ପୁରୀଘାଟ ଥାନାରେ ହୋଇଥିବା ହାଜତ ମୃତ୍ୟୁ ଘଟଣାର ରାୟ ଶୁଣାଇଲେ ହାଇକୋର୍ଟ, ଦୁଇ ଅବସରପ୍ରାପ୍ତ ପୋଲିସ ଅଫିସରଙ୍କୁ ଏକ ବର୍ଷ ସଜ୍ଜା ନିର୍ଦ୍ଦେଶ

କଟକ: ୭୬ ବର୍ଷ ଓ ୭୫ ବର୍ଷର ଦୁଇ ଅବସରପ୍ରାପ୍ତ ପୋଲିସ ଅଫିସରଙ୍କୁ ଏକ ବର୍ଷର ସଜ୍ଜା ନିର୍ଦ୍ଦେଶ। ହାଜତ ମୃତ୍ୟୁର ଶିକାର ହୋଇଥିବା ବ୍ୟକ୍ତିଙ୍କ ପରିବାରକୁ ୩ ଲକ୍ଷ ଟଙ୍କାର କ୍ଷତିପୂରଣ ନିର୍ଦ୍ଦେଶ ଦେଲେ ଓଡ଼ିଶା ହାଇକୋର୍ଟ। ହାଜତ ମୃତ୍ୟୁ ଭଳି ଜଘନ୍ୟ ଅପରାଧ କରିଥିବା ଦୁଇ ପୂର୍ବତନ ପୁଲିସ ଅଧିକାରୀଙ୍କୁ ସଜା ଶୁଣାଇଲେ ହାଇକୋର୍ଟ । ୩୨ ବର୍ଷ ତଳେ କଟକ ପୁରୀଘାଟ ଥାନାରେ ହୋଇଥିବା ହାଜତ ମୃତ୍ୟୁ ମାମଲାରେ  ରାୟ ଶୁଣାଇଛନ୍ତି ହାଇକୋର୍ଟ ।

ଦୋଷୀ ସାବ୍ୟସ୍ତ ହୋଇଥିବା ତତ୍କାଳୀନ ଥାନାଧିକାରୀ ପ୍ରଭାତ ମହାନ୍ତି ଓ ସବ ଇନସ୍ପେକ୍ଟର ପ୍ରତାପ ଚୌଧୁରୀ ଉଭୟଙ୍କୁ ଏକ ବର୍ଷ ଲେଖାଏଁ ଜେଲଦଣ୍ଡ ଭୋଗିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ୨ ସପ୍ତାହ ଭିତରେ ଉଭୟେ ଆତ୍ମସମର୍ପଣ କରିବେ ଏବଂ ଏଭଳି ମାମଲାର ଯେପରି ପୁନରାବୃତ୍ତି ନହୁଏ ସେଥିପାଇଁ ପୋଲିସ ବିଭାଗକୁ କଡା ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଏହା ସହ ହାଜତ ମୃତ୍ୟୁର ଶିକାର ହୋଇଥିବା କାଶୀନାଥ ନାଏକଙ୍କ ଉତ୍ତରାଧିକାରୀଙ୍କୁ ଏକ ମାସ ମଧ୍ୟରେ ୩ ଲକ୍ଷ ଟଙ୍କାର କ୍ଷତିପୁରନ ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ।ଯେଉଁଠି ଏପରି ଘଟଣା ମାନ ଘଟୁଛି , ସେହି ଦୋଷୀ ମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

୧୯୮୫ ମସିହାରେ କଟକ ରାଜାବଗିଚାର ବାସିନ୍ଦା କାଶିନାଥ ନାଏକ ହାଜତ ମୃତ୍ୟୁର ଶୀକାର ହୋଇଥିଲେ । ୧୯୮୮ ମସିହାରେ ମାମଲାରେ ସମ୍ପୃକ୍ତ ୨ ଅଧିକାରୀଙ୍କୁ ସେସନ୍ସ କୋର୍ଟ ଦୋଷୀ ସାବ୍ୟସ୍ତ କଲେ । ତତ୍କାଳୀନ ଆଇ ଆଇ ସିଙ୍କୁ ୫ ବର୍ଷ ଓ ଏସ ଆଇ ଶ୍ରୀ ଚୌଧୁରୀଙ୍କୁ ୭ ବର୍ଷ ପାଇଁ ସଜା ଶୁଣାଇଥିଲେ ସେସନ୍ସ କୋର୍ଟ । ତେବେ ସେହି ବର୍ଷ ଉଭୟଙ୍କୁ ହାଇକୋର୍ଟ ରୁ ଜାମିନ ମଧ୍ୟ ମିଳିଥିଲା । କିନ୍ତୁ ପିଡୀତଙ୍କ ପରିବାର ନ୍ୟାୟ ପାଇଁ ହାଇକୋର୍ଟଙ୍କ ଦ୍ଵାରସ୍ତ ହୋଇଥିଲେ । ୩୨ ବର୍ଷ ପରେ ଆଜି ଉକ୍ତ ମାମଲାର ରାୟ ପ୍ରକାଶ ପାଇଛି । ଯେହେତୁ ଦୋଷୀ ଦ୍ବ୍ଵୟଙ୍କର ବୟସ ଅଧିକ ହୋଇସାରିଛି । ତେଣୁ ଉଭୟ ଦୋଷୀ ୧ ବର୍ଷ ଲେଖାଏଁ କାରାଦଣ୍ଡ ଭୋଗିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

Leave A Reply

Your email address will not be published.