Below header

କରୋନା ମହାମାରୀ ଯୋଗୁଁ ରାଜ୍ୟରେ କମିବ କି ସ୍କୁଲ ଫି! ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଜି ହାଇକୋର୍ଟରେ ହେବ ଶୁଣାଣି

କଟକ: କରୋନା ମହାମାରୀ ଯୋଗୁଁ ରାଜ୍ୟରେ କମିବ କି ସ୍କୁଲ ଫି! ଓଡିଶା ହାଇକୋର୍ଟରେ ଆଜି ହେବ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଶୁଣାଣି। ସାତୋଟି ସ୍ଲାବରେ ଫି ହ୍ରାସ କରିବାକୁ ରାଜ୍ୟ ସରକାର ହାଇକୋର୍ଟରେ ରଖିଛନ୍ତି ପ୍ରସ୍ତାବ। ଓଡିଶା ଅବିଭାବକ ମହାସଂଘ କରୋନା ପାଇଁ ଘରୋଇ ବିଦ୍ୟାଳୟ ଗୁଡିକ ଫି ଛାଡ଼ କରିବାକୁ ହାଇକୋର୍ଟରେ ରୁଜୁ କରିଛି ମାମଲା। ଗତ ଅକ୍ଟୋବର ୧୯ ଏ ସଂକ୍ରାନ୍ତୀୟ ଶୁଣାଣି କରି ଫି ହ୍ରାସ ସମ୍ପର୍କରେ ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗର ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ। ସାତୋଟି ସ୍ଲାବରେ ଫି ହ୍ରାସ କରିବାକୁ ରାଜ୍ୟ ସରକାର ହାଇକୋର୍ଟରେ ରଖିଥିଲେ ପ୍ରସ୍ତାବ।

ଗତ ସେପ୍ଟେମ୍ବର ୧ ତାରିଖରେ ଏହି ମାମଲାର ଶୁଣାଣି ବେଳେ ହାଇକୋର୍ଟ ଏହାର ଅପୋଷ ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ, ସ୍କୁଲ କର୍ତ୍ତୃପକ୍ଷ, ଶିକ୍ଷକ ସଂଘ ଓ ଅବିଭାବକ ମହାସଂଘର ମିଳିତ ବୈଠକ ଆୟୋଜନ ହୋଇଥିଲା। ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ କିଛି ପ୍ରତିଶତ ସ୍କୁଲ ଫି କମାଇଦେବାକୁ ସ୍କୁଲ ଗୁଡିକୁ ଅନୁରୋଧ କରିଥିଲେ। ବୈଠକରେ ସକରାତ୍ମକ ଆଲୋଚନା ହେବା ସହ ବୈଠକରେ ବାହାରିଥିବା ନିର୍ଯ୍ୟାସକୁ ନେଇ ହାଇକୋର୍ଟରେ ସରକାରଙ୍କ ପକ୍ଷରୁ ଏକ ରିପୋର୍ଟ ଉପସ୍ଥାପିତ ହୋଇଥିଲା।

ସ୍କୁଲ କର୍ତ୍ତୃପକ୍ଷଙ୍କ ସହ ସରକାର କରିଥିବା ଏମଓୟୁ ଅନୁଯାୟୀ, ବାର୍ଷିକ ୬ ହଜାର ଫି ଦେଉଥିବା ଛାତ୍ର ଛାତ୍ରୀ ଙ୍କର କୌଣସି ଛାଡ଼ ହେବନାହିଁ। ୬ ହଜାରରୁ ୧୨ ହଜାର ପର୍ଯ୍ୟନ୍ତ ୭.୫ ପ୍ରତିଶତ, ୧୨ ହଜାରରୁ ୨୪ ହଜାର ପର୍ଯ୍ୟନ୍ତ ୧୨ ପ୍ରତିଶତ, ୨୪ ହଜାରରୁ ୪୮ ହଜାର ପର୍ଯ୍ୟନ୍ତ ୧୫ ପ୍ରତିଶତ, ୪୮ ହଜାରରୁ ୭୨ ହଜାର ପର୍ଯ୍ୟନ୍ତ ୨୦ ପ୍ରତିଶତ, ୭୨ ହଜାରରୁ ୧ ଲକ୍ଷ ପର୍ଯ୍ୟନ୍ତ ୨୫ ପ୍ରତିଶତ ଓ ୧ ଲକ୍ଷରୁ ଅଧିକ ଫି ଥିଲେ ୨୬ ପ୍ରତିଶତ ଫି କମାଇଦେବାକୁ ସରକାର ଚୁକ୍ତି କରିବା ସହ ଗତ ସେପ୍ଟେମ୍ବର ୨୯ ତାରିଖରେ ଏ ନେଇ ରିପୋର୍ଟ ହାଇକୋର୍ଟରେ ଦାଖଲ କରିଥିଲେ।

ରାଜ୍ୟ ସରକାର ରିପୋର୍ଟ ଦାଖଲ କରିବା ପରେ ହାଇକୋର୍ଟ ଟିଉସନ ଫି ର କିଛି ପ୍ରତିଶତ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ଚାର୍ଜ କମାଇଦେବାକୁ ନିର୍ଦ୍ଦେଶ ଦେଇ ପାରନ୍ତି ବୋଲି ଆଶା କରାଯାଉଛି। ତେବେ ସ୍କୁଲ ଫି ରେ କେତେ ପ୍ରତିଶତ କମିବ କି ସରକାର ଦେଇ ଥିବା ପ୍ରସ୍ତାବ ସମ୍ପୂର୍ଣ୍ଣ ଗ୍ରହଣୀୟ ହେବ ତାହା ଆଜିର ଶୁଣାଣି ପରେ ସ୍ପଷ୍ଟ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.